ରାଜ୍ୟ

Fund Misuse Allegations ଭାତଲଇଡା ଜିପିରେ ‘ମା ପାଇଁ ଗଛଟିଏ’ରେ ଟଙ୍କା ହରିଲୁଟ୍‌: ୨୫୦ ଚାରା ଲଗାଇ ୫ଶହ ଗଛର ଟଙ୍କା ଖାଇଗଲେ

ଲଇକେରାର ଭାତଲଇଡା ପଞ୍ଚାୟତରେ ‘ମା ପାଇଁ ଗଛଟିଏ’ ଅଭିଯାନରେ ଅର୍ଥ ହେରଫେର ଅଭିଯୋଗ। ୫୦୦ ଚାରା ବଦଳରେ ପ୍ରାୟ ୨୫୦ ଲାଗିଥିବା ଓ ମଷ୍ଟରରୋଲ୍‌ରେ ୭ ଦିନର କାମ ଦର୍ଶାଇଥିବା ନେଇ ପ୍ରଶ୍ନ ଉଠିଛି।

୫୦୦ ଚାରା ବଦଳରେ ଲାଗିଛି ପ୍ରାୟ ୨୫୦

ମଷ୍ଟରରୋଲ୍‌ରେ ୭ ଦିନ, ଶ୍ରମିକ କହୁଛନ୍ତି ୧-୨ ଦିନ କାମ ହୋଇଛି

ଲଇକେରା (ଭରତ ପାତ୍ର): ଭାତଲଇଡା ପଞ୍ଚାୟତରେ ସରକାରୀ ଯୋଜନାରେ ଆଉ ଏକ ଅନିୟମିତତା ଅଭିଯୋଗ ହୋଇଛି।  ‘ମା ପାଇଁ ଗଛଟିଏ’ ଭଳି ଏକ ମହତ୍‌ ଅଭିଯାନରେ ମଧ୍ୟ ଅର୍ଥ ହେରଫେର ହୋଇଥିବା ଜଣାଯାଇଛି।  ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ପ୍ରତି ପଞ୍ଚାୟତରେ ୫୦୦ଟି ଚାରା ରୋପଣ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ବର୍ତମାନ ୨୫୦ ଗଛ ଦେଖିବାକୁ ମିଳିଛି। କେବଳ ଏହାନୁହେଁ ମଷ୍ଟରରୋଲ୍‌ରେ ୭ ଦିନ କାମ ହୋଇଥିବା ଦର୍ଶାଯାଇଥିବା ବେଳେ ଶ୍ରମିକମାନେ ଦୁଇଦିନ କାମ ହୋଇଥିବା ଅଭିଯୋଗ କରିଛନ୍ତି।

ଏମଜିଏନଆରଇଜିଏସ୍‌ ଯୋଜନାରେ ୨୦୨୫-୨୬ ଆର୍ଥିକ ବର୍ଷରେ ଭାତଲଇଡା ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୫୦୦ଟି ଚାରା ରୋପଣ ପାଇଁ ପ୍ରାୟ ୧ ଲକ୍ଷ ଟଙ୍କାର ଅଟକଳ ହୋଇଥିଲା । ବାସ୍ତବରେ ପ୍ରାୟ ୨୫୦ଟି ଚାରା ହିଁ ଲଗାଯାଇଛି।

ଏହି ବାବଦରେ ନାମ ଗୋପନ ରଖି କିଛି ଶ୍ରମିକ କହିଛନ୍ତି ଯେ, ସେମାନେ ମାତ୍ର ଦିନେ କିମ୍ବା ଦୁଇଦିନ ଚାରାରୋପଣ କାମକୁ ଯାଇଥିଲେ । ଅଥଚ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରେ ସାତଦିନ ଧରି ଶ୍ରମିକମାନେ କାମ କରିଥିବା ଦର୍ଶାଯାଇଥିବା ଅଭିଯୋଗ ହୋଇଛି । ଏପରି ବିରୋଧାଭାସ ମଷ୍ଟରରୋଲ୍‌ ଓ ମଜୁରି ପ୍ରଦାନ ପ୍ରକ୍ରିୟାକୁ ସନ୍ଦେହ ଘେରକୁ ଆଣିଛି। ଏନେଇ ବ୍ଲକ୍‌ର ଏପିଓ ସୁନୟନା ବେହେରା ନିଜ ମୁଣ୍ଡରୁ ଅଠା ପୋଛି କହିଛନ୍ତି ଯେ, ଗତବର୍ଷ ବନ ବିଭାଗ ପକ୍ଷରୁ ଦରମଲା ଓ ଛୋଟ ଚାରା ଦିଆଯାଇଥିଲା । ଚଳିତବର୍ଷ ମଧ୍ୟ ପ୍ରାୟ ୨୫୦ଟି ଚାରା ମଗାଯାଇଛି ଏବଂ ଖାଲି ସ୍ଥାନରେ ସେଗୁଡ଼ିକ ଲଗାଯିବ ବୋଲି ସେ ସୂଚନା ଦେଇଛନ୍ତି ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button