Bridge Bharat Summit ବ୍ରିଜ ଭାରତ ସମ୍ମିଳନୀ ୨୦୨୬: ଅଧିକ ପ୍ରଭାବଶାଳୀ ସିଏସ୍ଆର୍ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ
ଭୁବନେଶ୍ୱରରେ ବ୍ରିଜ ଭାରତ ସମ୍ମିଳନୀ ୨୦୨୬ରେ ରାଜ୍ୟପାଳ ହରିବାବୁ କମ୍ବମପତି ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ପରିବେଶ ଓ ଗ୍ରାମୀଣ ବିକାଶକୁ ପ୍ରାଥମିକତା ଦେଇ ସିଏସ୍ଆର୍କୁ ଅଧିକ ପ୍ରଭାବଶାଳୀ କରିବାକୁ ଶିଳ୍ପସଂସ୍ଥାଙ୍କୁ ଆହ୍ୱାନ ଦେଇଛନ୍ତି।

ଭୁବନେଶ୍ୱର: କେବଳ ଆଇନ ଗତ ଅନୁପାଳନ ମଧ୍ୟରେ ସୀମିତ ନରହି କର୍ପୋରେଟ ସଂସ୍ଥାଗୁଡିକ ଓଡ଼ିଶାର ବିକାଶରେ ଦାୟିତ୍ୱବାନ ସହଯୋଗୀ ଭାବେ କାର୍ଯ୍ୟ କରିବା ସହ ସିଏସଆର (କର୍ପୋରେଟ୍ ସୋସିଆଲ୍ ରେସ୍ପନସିବିଲିଟି)କୁ ଅଧିକ ପ୍ରଭାବଶାଳୀ କରନ୍ତୁ ବୋଲି ମଙ୍ଗଳବାର ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ସାଧାରଣ ଉଦ୍ୟୋଗ (ପବ୍ଲିକ ଏଣ୍ଟରପ୍ରାଇଜେସ) ବିଭାଗ ସହଯୋଗରେ ଏବଂ ଓଡ଼ିଶା କର୍ପୋରେଟ ଫାଉଣ୍ଡେସନ ଓ ଫ୍ରିଡମ ଏଡୁର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ବ୍ରିଜ ଭାରତ ସମ୍ମିଳନୀ ୨୦୨୬ ଓ “କର୍ପୋରେଟ ସାମାଜିକ ଦାୟିତ୍ୱ: ଦେଖାଯାଉଥିବା ସମସ୍ୟା ଓ ଚାଲେଞ୍ଜ” ଶୀର୍ଷକ ଜାତୀୟ ସେମିନାରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଡ ହରିବାବୁ କମ୍ବମପଟି କହିଛନ୍ତି।
ରାଜ୍ୟପାଳ କହିଛନ୍ତି, କମ୍ପାନି ଆଇନ ୨୦୧୩ ଅଧୀନରେ ଭାରତର ସିଏସଆର ଢାଞ୍ଚା କର୍ପୋରେଟମାନଙ୍କ ପାଇଁ ସାମାଜିକ ବିକାଶରେ ଅଂଶଗ୍ରହଣର ଏକ ସଂରଚିତ ବ୍ୟବସ୍ଥା ସୃଷ୍ଟି କରିଛି। ଏହା ମାଧ୍ୟମରେ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା, ମହିଳା ସଶକ୍ତିକରଣ, ପରିବେଶ ସ୍ଥିରତା, ଗ୍ରାମୀଣ ବିକାଶ ଓ ବିପର୍ଯ୍ୟୟ ପରିଚାଳନା ଭଳି କ୍ଷେତ୍ରକୁ ସମ୍ବଳ ଯୋଗାଇ ଦିଆ ଯାଇପାରୁଛି।
ଇସ୍ପାତ, ବିଦ୍ୟୁତ, ଖଣି ଓ ଉତ୍ପାଦନ ଭଳି କ୍ଷେତ୍ରରେ ଦ୍ରୁତ ଶିଳ୍ପାୟନ ସହ ପରିବେଶ ପ୍ରତି ଦାୟିତ୍ୱ, ଜଳବାୟୁ ସହନଶୀଳତା ଓ ଗୋଷ୍ଠୀ କଲ୍ୟାଣକୁ ଗୁରୁତ୍ୱ ଦେବା ଉଚିତ ବୋଲି ରାଜ୍ୟପାଳ କହିଛନ୍ତି। ସିଏସଆର ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ, ପୁଷ୍ଟି, ଜୀବିକା, ଦକ୍ଷତା ବିକାଶ, କ୍ରୀଡ଼ା, ଗ୍ରାମୀଣ ବିକାଶ ଓ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତିକୁ ପ୍ରାଥମିକତା ଦେବାକୁ ଶିଳ୍ପମାନଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




