ଦେଶ ବିଦେଶ

ହର୍ମୁଜ ପ୍ରଣାଳୀକୁ ଆମେରିକାର ଭୂଖଣ୍ଡ ଘୋଷଣା କଲେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ଆମେରିକାର ନୂତନ ଭୂଖଣ୍ଡ ଭାବେ ଘୋଷଣା କରିଛନ୍ତି। ଟ୍ରମ୍ପ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ‘ଟ୍ରୁଥ ସୋସିଆଲ’ରେ ହର୍ମୁଜ ପ୍ରଣାଳୀର ମାନଚିତ୍ର ପୋଷ୍ଟ କରି ଏହାକୁ ଆମେରିକାର ଭୂଖଣ୍ଡ ଭାବେ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ହର୍ମୁଜ ପ୍ରଣାଳୀ ଏବେ ଆମେରିକାର ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ହୋଇଛି। ପାରସ୍ୟ ଉପସାଗର ଓ ଓମାନ ଉପସାଗରକୁ ସଂଯୋଗ କରୁଥିବା ଏହି ଜଳପଥ ବିଶ୍ବ ବାଣିଜ୍ୟର ପ୍ରମୁଖ ମାର୍ଗ ହୋଇଥିବାବେଳେ ଏହାକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ସଂଘର୍ଷ ଲାଗି ରହିଛି। ସୋମବାର ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ଟ୍ରମ୍ପ କହିଥିଲେ ଯେ ହର୍ମୁଜ ପ୍ରଣାଳୀ ଏବେ ଆମେରିକା ନିୟନ୍ତ୍ରଣରେ ରହିଛି। ତେଣୁ ଏହାକୁ ନିଜର ଭୂଖଣ୍ଡ ଘୋଷଣା କରିବା ଆମେରିକା ପାଇଁ ଭଲ ହେବ। ଟ୍ରମ୍ପ ଦାବି କରିଛନ୍ତି ଯେ ନୌସେନା ଅବରୋଧ ମାଧ୍ୟମରେ ଆମେରିକା ହର୍ମୁଜ ପ୍ରଣାଳୀ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିସାରିଛି ଏବଂ ଏହାକୁ ଆମେରିକାର ଏକ ଅଂଶ ଭାବେ ଘୋଷଣା କରାଯିବା ଉଚିତ୍।

ଅନ୍ୟପଟେ ଇରାନ ଏହି ଜଳପଥ ଦେଇ ସମସ୍ତ ବାଣିଜ୍ୟିକ ଜାହାଜ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ ରଖିଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ୍ ଓ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛନ୍ତି ଯେ ଆମେରିକା ନିଜର ପ୍ରତିଶ୍ରୁତି (ଯେପରିକି ଆମେରିକୀୟ କଟକଣା ହଟାଇବା ଓ ଅବରୋଧ ପ୍ରତ୍ୟାହାର କରିବା) ପୂରଣ ନକରିବା ପର୍ଯ୍ୟନ୍ତ ଏହି ଜଳପଥ ଖୋଲାଯିବ ନାହିଁ।

ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ‘ସୋସିଆଲ ମିଡିଆ ପୋଷ୍ଟ କିମ୍ବା ବିମାନବାହୀ ଜାହାଜ ଦ୍ୱାରା ହର୍ମୁଜକୁ ଦଖଲ କରାଯାଇପାରିବ ନାହିଁ।’ ବିଶ୍ୱର ପ୍ରାୟ ୨୦ ପ୍ରତିଶତ (ଏକ ପଞ୍ଚମାଂଶ) ତୈଳ ଏବଂ ଗ୍ୟାସ୍ ପରିବହନ ଏହି ସଂକୀର୍ଣ୍ଣ ଜଳପଥ ଦେଇ ହୋଇଥାଏ, ଯାହା ବନ୍ଦ ରହିବା ଫଳରେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର ଉପରେ ଗଭୀର ପ୍ରଭାବ ପଡ଼ୁଛି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button