OES recruitment 2026 ; ବଦଳିଲା ଓଇଏସ୍ ନିଯୁକ୍ତି ପରୀକ୍ଷା ଢାଞ୍ଚା : ଦୁଇଟି ପର୍ଯ୍ୟାୟରେ ୬୭୫ ମାର୍କର ହେବ ପରୀକ୍ଷା

ଭୁବନେଶ୍ୱର,୧୯/୦୮ : ଓଡ଼ିଶା ଶିକ୍ଷା ସେବା (ସ୍କୁଲ ଶିକ୍ଷା) ପଦବିରେ ନିଯୁକ୍ତି ପାଇଁ ପରୀକ୍ଷା ଢାଞ୍ଚାର ନିୟମାବଳୀ ପ୍ରକାଶ ପାଇଛି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା କରାଯିବ । ୬୦୦ ମାର୍କର ଲିଖିତ ପରୀକ୍ଷା ଏବଂ ୭୫ ମାର୍କର ବ୍ୟକ୍ତିତ୍ୱ ପରୀକ୍ଷଣ ତଥା ସାକ୍ଷାତକାର ପରୀକ୍ଷା କରାଯିବ । ପରୀକ୍ଷା ଢାଞ୍ଚା ଓ ସିଲାବସ ଜାରି କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଭାଗର ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ଓଡ଼ିଶା ଶିକ୍ଷା ସେବା (ଓଇଏସ୍) (ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ନିୟମାବଳୀ, ୨୦୨୯ର ନିୟମ ୬(୨)(ବି) ଅନୁଯାୟୀ ଓପିଏସସି ସହ ପରାମର୍ଶ କରି ସରକାର ଓଇଏସ୍ ପଦବିରେ ସିଧାସଳଖ ନିଯୁକ୍ତି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା ହେବ । ମୋଟ ୬୭୫ ମାର୍କର ପରୀକ୍ଷା ହେବ । ଲିଖିତ ପରୀକ୍ଷା ୨ଟି ପେପରରେ କରାଯିବ । ପ୍ରତି ପେପର ୩୦୦ ମାର୍କ ଲେଖାଏଁ ପରୀକ୍ଷା କରାଯିବ । ପେପର୍-୧ରେ (Objective) ଟାଇପର ପ୍ରଶ୍ନ ଆସିବ । ଦ୍ୱିତୀୟ ପେପରରେ ବିଷୟଭିତ୍ତିକ ତଥା ବର୍ଣ୍ଣନାତ୍ମକ (Subjective) ହେବ । ଅପ୍ଟିକାଲ ମାର୍କ ରେକ୍ଗ୍ନିସନ୍ (ଓଏମ୍ଆର) କିମ୍ବା କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମାଧ୍ୟମରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯିବ ।
ପେପର-୧ରେ ସାଧାରଣ ସଚେତନତା, ଓଡ଼ିଆ ଓ ସାଧାରଣ ଇଂରାଜୀରୁ ୧୫୦ଟି ପ୍ରଶ୍ନ ଆସିବ । ପ୍ରତି ପ୍ରଶ୍ନ ପାଇଁ ୨ ମାର୍କ ଲେଖାଏଁ ରହିବ । ସେହିପରି ପେପର-୨ରେ ଶିକ୍ଷା ଉପରେ ବିଷୟଭିତ୍ତିକ ପରୀକ୍ଷା ହେବ । ଏଥିରେ ନେଗେଟିଭ୍ ମାର୍କିଂ ରହିବ । ପ୍ରତି ଭୁଲ୍ ଉତ୍ତର ପାଇଁ ୦.୫ ମାର୍କ କାଟ୍ ହେବ । ଉଭୟ ଅବ୍ଜେକ୍ଟିଭ୍ ଓ ସବ୍ଜେକ୍ଟିଭ୍ ପେପରର ପରୀକ୍ଷା ସମୟ ଅଢ଼େଇ ଘଣ୍ଟା ହେବ । ପ୍ରତି ପେପରର ବିଭିନ୍ନ ବିଷୟବସ୍ତୁରୁ କେତେ ସଂଖ୍ୟାର ପ୍ରଶ୍ନ ଆସିବ ତାହା ଓପିଏସସି ସ୍ଥିର କରିବ । ପ୍ରାର୍ଥୀଙ୍କ ଯୋଗ୍ୟତା ନିର୍ଣ୍ଣୟ କରିବା ପାଇଁ ପ୍ରତି ପେପର କିମ୍ବା ସମୁଦାୟ ମାର୍କ ଉପରେ ଯୋଗ୍ୟତା ମାର୍କ ଓପିଏସସି ସ୍ଥିର କରିବ । ଓପିଏସସି ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ଯୋଗ୍ୟତା ମାର୍କ ହାସଲ କରିଥିବା ପ୍ରାର୍ଥୀଙ୍କୁ ବିଭିନ୍ନ ବର୍ଗର ଖାଲିଥିବା ପଦବି ସଂଖ୍ୟା ଅନୁପାତ ପ୍ରାୟ ୧:୨ (ସର୍ବନିମ୍ନ ୫ଜଣ ପ୍ରାର୍ଥୀ ସର୍ତ୍ତରେ) ହିସାବରେ ବ୍ୟକ୍ତିତ୍ୱ ପରୀକ୍ଷା ପାଇଁ ମନୋନୀତ କରାଯିବ । ନିଯୁକ୍ତି ସୁପାରିଶ ପାଇଁ ଅନ୍ତିମ ମେଧା ତାଲିକା ଲିଖିତ ପରୀକ୍ଷା ଓ ବ୍ୟକ୍ତିତ୍ୱ ପରୀକ୍ଷାର ମୋଟ ମାର୍କ ଆଧାରରେ ପ୍ରସ୍ତୁତ କରାଯିବ । ଯଦି ଦୁଇ ବା ତତୋଧିକ ପ୍ରାର୍ଥୀ ସମାନ ମାର୍କ ପାଆନ୍ତି, ତେବେ ଲିଖିତ ପରୀକ୍ଷାରେ ସର୍ବାଧିକ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ପ୍ରାଥମିକତା ଦିଆଯିବ । ଯଦି ଲିଖିତ ପରୀକ୍ଷାରେ ମଧ୍ୟ ସମାନ ମାର୍କ ରହିଥାଏ ତେବେ ଯେକୌଣସି ସ୍ନାତକୋତ୍ତର ପରୀକ୍ଷାରେ ସର୍ବାଧିକ ମାର୍କ ଆଧାରରେ ମେଧା କ୍ରମ ନିର୍ଦ୍ଧାରଣ କରାଯିବ ।
ସୌଜନ୍ୟ ପ୍ରମେୟ




