ରାଜ୍ୟ

Odisha Flood Updates : ବର୍ଷା ବିତ୍ପାତ… ଧୋଇଗଲା ୮ ଲକ୍ଷ ଟଙ୍କାର ମାଟି ମୂର୍ତ୍ତି, ବତୁରିଗଲା ବହିଖାତା, ଚିନ୍ତାରେ ୩୦୦ ପିଲା

ରାଉରକେଲା, ୧୯/୮ : ଛାଞ୍ଚରେ ନଡ଼ା ଭିଡ଼ା ସରି ଆରମ୍ଭ ହୋଇଥିଲା ମାଟି ଲେସା । ପୂର୍ଣ୍ଣାଙ୍ଗ ରୂପ ନେଉଥିଲେ ମୂର୍ତ୍ତି । କିଛିଦିନ ମଧ୍ୟରେ ରଙ୍ଗକାମ ହୋଇଥାଆନ୍ତା । ମଣ୍ଡପରେ ଜୀବନ୍ୟାସ ପାଇଥାଆନ୍ତେ ମାଟିର ପ୍ରତିମା । ତା’ଆଗରୁ ସବୁକିଛି ଛଡ଼ାଇ ନେଇଛି ଲଗାଣ ବର୍ଷା । ପାଣି ମାଡ଼ିଯାଇ ନଷ୍ଟ ହୋଇଯାଇଛି ଲକ୍ଷାଧିକ ଟଙ୍କାର ମୂର୍ତ୍ତି । ଧୋଇଯାଇଛି ୧୫ କୁମ୍ଭକାର ପରିବାରର ବର୍ଷକର ପରିଶ୍ରମ । ବର୍ଷା ପରେ ଆଉ ଶୁଖିଲା ପାଗ ହେଉନି । ବରାଦ ମୂର୍ତ୍ତି କେମିତି ଗଢ଼ାଯିବ ଏବଂ ଠିକ୍‌ ସମୟରେ କମିଟିକୁ ହସ୍ତାନ୍ତର କରିବେ ତା’କୁ ନେଇ ଚିନ୍ତାରେ ପଡ଼ିଛନ୍ତି ରାଉରକେଲା ସହର ଉପକଣ୍ଠ ବନ୍ଧମୁଣ୍ଡା କୋଇଲା ଗେଟ୍‌ସ୍ଥିତ କୁମ୍ଭାର ବସ୍ତିର ମୂର୍ତ୍ତିକାର ପରିବାର । ଗତ ୧୨ ଓ ୧୩ ତାରିଖରେ ହୋଇଥିବା ମୂଷଳ ବର୍ଷାରେ ରାଉରକେଲା ଏବଂ ସହର ଉପକଣ୍ଠରେ ସୃଷ୍ଟି କରିଥିଲା ଜଳପ୍ରଳୟ । ଏହାର ୫ଦିନ ମଧ୍ୟରେ ପୁଣି ଲଘୁଚାପ ମାଡ଼ ହୋଇଛି । ଅଣ୍ଟା ସଳଖିବାକୁ ଚେଷ୍ଟା କରୁଥିବା ଗରିବ ପରିବାର ପାଇଁ ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଯାହାର ଚିତ୍ର ଦେଖିବାକୁ ମିଳିଛି ବନ୍ଧମୁଣ୍ଡା କୋଇଲା ଗେଟ ନିକଟ କୁମ୍ଭାର ବସ୍ତିରେ । ଅଞ୍ଚଳରେ ୧୫ କୁମ୍ଭକାର ପରିବାର ମାଟି ପ୍ରତିମା ନିର୍ମାଣ କରି ଗୁଜରାଣ ମେଣ୍ଟାଇଥାନ୍ତି । ହେଲେ ଲଗାଣବର୍ଷାରେ ପ୍ରାୟ ୮ରୁ ୧୦ ଲକ୍ଷ ଟଙ୍କାର ମୂର୍ତ୍ତି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି । କାରିଗରମାନେ କହିଛନ୍ତି, ବରାଦ ଥିବା ଗଣେଶ ଓ ବିଶ୍ୱକର୍ମା ମୂର୍ତ୍ତି କାମ ଆରମ୍ଭ ହୋଇସାରିଥିଲା । କେତେକ କମିଟିଠାରୁ ଅଗ୍ରିମ ରଖିଥିଲେ । ହାତରେ ମାସେ ସମୟ ଥିବାରୁ କାମ ଜୋର୍‌ସୋର୍‌ରେ ଚାଲିଥିଲା । ହେଲେ ବର୍ଷା ପାଣି ପଶିଯିବାରୁ ଅଧିକାଂଶ ମୂର୍ତ୍ତି ଧୋଇଯାଇଛି । ସେସବୁ ପୁଣି ପ୍ରସ୍ତୁତ କରିବାକୁ ଡବଲ ପରିଶ୍ରମ ଲାଗିବ । ଅଧିକ ଟଙ୍କା ଓ ସମୟ ଖର୍ଚ୍ଚ ହେବ ବୋଲି ଦୁଃଖର ସହ କହିଛନ୍ତି କାରିଗର ରାକେଶ ପ୍ରଜାପତି, ଜୟରାମ ପ୍ରଜାପତି ଏବଂ ଲୋକେଶ ପ୍ରଜାପତି ।

ବତୁରିଗଲା ବହିଖାତା, ଚିନ୍ତାରେ ୩୦୦ ପିଲା 

ଲଗାଣବର୍ଷା ଜନିତ ଜଳବନ୍ଦୀ ସ୍ଥିତି କେବଳ ଜୀବିକା ଉଜାଡ଼ିନି, ପାଠପଢୁଆ ପିଲାଙ୍କ ଭବିଷ୍ୟତକୁ ଅନ୍ଧକାରମୟ କରିଦେଇଛି । ଘରେ ପାଣି ପଶିଯିବାରୁ ପ୍ରାୟ ୩୦୦ ପିଲାଙ୍କ ବହିବସ୍ତାନି ଭିଜିଯାଇଛି । ପ୍ରାୟ ସପ୍ତାହେ ହେଲା ଆଉ ଖରାପାଗ ହୋଇନି । ମଝିରେ ମଝିରେ ବର୍ଷା ଢାଳୁଛି । ଓଦା ବହିଖାତା ଶୁଖୁ ନ ଥିବାରୁ ପାଠପଢ଼ା ପ୍ରଭାବିତ ହୋଇଛି । ଆସନ୍ତା ମାସରେ ଅର୍ଦ୍ଧବାର୍ଷିକ ପରୀକ୍ଷା । ଏଭଳି ସ୍ଥଳେ ଚିନ୍ତାଗ୍ରସ୍ତ ଗରିବ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଏ ଠେଲା ଉପରେ ତ ଆଉ କିଏ ରାସ୍ତା ଉପରେ ବହି ଶୁଖାଉଥିବାରେ ବ୍ୟସ୍ତ । ଅନେକ ପିଲା ସମ୍ପର୍କୀୟଙ୍କ ଘରେ ମୁଣ୍ଡ ଗୁଞ୍ଜିଛନ୍ତି । ସହରତଳି ମାଲଗୋଦାମ ଅଞ୍ଚଳରେ ଦେଖିବାକୁ ମିଳିଛି ଲଗାଣବର୍ଷା ପରବର୍ତ୍ତୀ ଏଭଳି ଦୃଶ୍ୟ । ଛାତ୍ରଛାତ୍ରୀଙ୍କ କହିବା କଥା, ୧୨ ତାରିଖ ରାତିରୁ ୧୩ ତାରିଖ ଅପରାହ୍ଣ ପର୍ଯ୍ୟନ୍ତ ହୋଇଥିବା ଭୟଙ୍କର ବର୍ଷାରେ ଘରେ ପାଣି ପଶିଗଲା । ସବୁ ବହିଖାତା ଓଦା ହୋଇ ନଷ୍ଟ ହୋଇଗଲା । ୬ମାସ ଧରି କରିଥିବା ନୋଟ୍‌ ସବୁ ବତୁରିଗଲା । ଯାହାକୁ ପୁଣିଥରେ କରିବାକୁ ପଡ଼ିବ । ୫ଦିନ ହେଲା ମଝିରେ ମଝିରେ ବର୍ଷା ହେଉଛି । ଭଲରେ ସୂର୍ଯ୍ୟକିରଣ ପଡ଼ିନି । ଅନେକ ପିଲା ବହିବସ୍ତାନି ଧରି ନିଜ ନିଜ ସମ୍ପର୍କୀୟଙ୍କ ଘରକୁ ପଳାଇଛନ୍ତି । ସେଠାରେ ରହି ପରୀକ୍ଷା ପ୍ରସ୍ତୁତି ଚଳାଇଛନ୍ତି । ଅନ୍ୟପଟେ ଏଭଳି ସଙ୍କଟମୟ ସ୍ଥିତିରେ ବିଦ୍ୟାଳୟ ତରଫରୁ କେତେଜଣ ଛାତ୍ରଛାତୀଙ୍କୁ ଖାତା ଦିଆଯାଇଛି । ହେଲେ ପୁସ୍ତକ ଷ୍ଟକ୍‌ ନ ଥିବାରୁ ଦିଆଯାଇପାରିନାହିଁ । ଫଳରେ ପାଠପଢ଼ା ପ୍ରଭାବିତ ହେଉଛି । ଏହାର ଭରଣା ପାଇଁ ପିଲାମାନେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହଯୋଗ ଲୋଡ଼ିଛନ୍ତି । ସମସ୍ୟା ସମ୍ପର୍କରେ ବିଶ୍ରା ଗୋଷ୍ଠୀ ଶିକ୍ଷାଧିକାରୀ ସୁପ୍ରଭାତ ବେହେରା କହିଛନ୍ତି, ବିଭାଗୀୟ ନିର୍ଦ୍ଦେଶ ଆସିଲେ ବର୍ଷା ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ । ସେମାନଙ୍କୁ ପାଠପଢ଼ାରେ ଆବଶ୍ୟକ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ।

ମନ୍ଦିରା ଖୋଲିଲା ୯ ଗେଟ୍‌, ଫୁଲୁଛି ବ୍ରାହ୍ମଣୀ 

ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଶଙ୍ଖ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ରାଜଗାଙ୍ଗପୁର ବ୍ଲକ କାଂସବାହାଲ ନିକଟସ୍ଥ ଶଙ୍ଖ ନଦୀ ଉପରେ ନିର୍ମିତ ମନ୍ଦିରା ଡ୍ୟାମ୍‌ର ୧୧ଟି ଗେଟ୍‌ ମଧ୍ୟରୁ ୯ଟି ଗେଟ୍‌ ମଙ୍ଗଳବାର ଖୋଲା ଯାଇଛି । ଏଣୁ ବ୍ରାହ୍ମଣୀ ନଦୀ ଫୁଲିବାରେ ଲାଗିଛି । ତେଣୁ ନଦୀକୂଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ପ୍ରଶାସନଜ ପକ୍ଷରୁ ପରାମର୍ଶ ଦିଆଯାଇଛି । ସୂଚନା ମୁତାବକ, ମନ୍ଦିରା ଡ୍ୟାମ୍‌ରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୫.୨ ମିମି ବର୍ଷା ରେକର୍ଡ କରାଯାଇଛି । ଡ୍ୟାମ୍‌କୁ ୪୨,୩୫୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪୦ ହଜାର କ୍ୟୁସେକ ଜଳ ଛଡ଼ା ଯାଉଛି । ଡ୍ୟାମ୍‌ର ଜଳସ୍ତର କ୍ଷମତା ୬୯୦ ଫୁଟ୍‌ ଥିବା ବେଳେ ବର୍ତ୍ତମାନ ୬୮୨.୯ ଫୁଟ୍‌ ଜଳ ରହିଛି । ଅନ୍ୟପକ୍ଷରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ କୋଏଲ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି ।

ବାଲୁଘାଟକୁ ସତର୍କବାଣୀ 

ଲଗାଣ ବର୍ଷା ଓ ମନ୍ଦିରା ଡ୍ୟାମ୍‌ର ୯ଟି ଗେଟ୍‌ ବ୍ରାହ୍ମଣୀ ନଦୀ ଜଳସ୍ତରକୁ ବୃଦ୍ଧି କରିଛି । ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ଆଶଙ୍କା କରି ଆଜି ରାଉରକେଲା ମହାନଗର ନିଗମ ପକ୍ଷରୁ ବାଲୁଘାଟ, ପଲପଲ ବସ୍ତି ସମେତ ନଦୀ କୂଳରେ ଥିବା ବିଭିନ୍ନ ଅଞ୍ଚଳବାସୀଙ୍କୁ ସତର୍କ କରାଯାଇଛି । ଆଜି ସନ୍ଧ୍ୟାରେ ମହାନଗର ନିଗମ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଏହି ଅଞ୍ଚଳରେ ଲୋକମାନଙ୍କୁ ନିକଟସ୍ଥ ସ୍କୁଲକୁ ଯିବାକୁ ପରାମର୍ଶ ଦିଆଯାଇଛି । ଆରଏମ୍‌ସି ଡେପୁଟି କମିଶନର ଅନୀତା ନାଏକ, ତହସିଲଦାରଙ୍କ ସମେତ ଅନ୍ୟ ଅଧିକାରୀମାନେ ଉକ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଡେପୁଟି କମିଶନର କହିଛନ୍ତି ଯେ, ବାଲୁଘାଟ ସ୍କୁଲରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ନଦୀରେ ଜଳସ୍ତର ବୃଦ୍ଧି ପାଇଲେ ୩୦-୪୦ଘର ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଣୁ ଆରଏମ୍‌ସି ପକ୍ଷରୁ ଅନ୍ୟୁନ ୫୫୦ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି । ଏହାସହ ଆରଏମ୍‌ସିର ସଫେଇ ବିଭାଗ ଅଧିକାରୀ ମଧ୍ୟ ଏହି ଅଞ୍ଚଳ ଉପରେ ନଜର ରଖିଛନ୍ତି ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button