Dara Singh case: ଦାରା ସିଂ ମାମଲା: ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ; ଆପଣ ନିଷ୍ପତ୍ତି ନିଅନ୍ତୁ, ନଚେତ୍ ଆମେ ନେବୁ
ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିସନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ରବୀନ୍ଦ୍ର ପାଲ ଓରଫ୍ ଦାରା ସିଂହଙ୍କ ଦଣ୍ଡ ହ୍ରାସ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିସନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ରବୀନ୍ଦ୍ର ପାଲ ଓରଫ୍ ଦାରା ସିଂହଙ୍କ ଦଣ୍ଡ ହ୍ରାସ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିବାରୁ କୋର୍ଟ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଷ୍ଟିସ୍ ମନୋଜ ମିଶ୍ର ଓ ଜଷ୍ଟିସ୍ ବିଜୟ ବିଷ୍ଣୋୟୀଙ୍କ ଦୁଇଜଣିଆ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥିତ ଆଇନଜୀବୀଙ୍କୁ କହିଥିଲେ, ‘ଆପଣମାନେ ଯାହା ନିଷ୍ପତ୍ତି ନେବାକୁ ଚାହୁଛନ୍ତି, ନିଅନ୍ତୁ। ଏ ଦିଗରେ ଯଥାଶୀଘ୍ର ଆପଣ ନିଷ୍ପତ୍ତି ନିଅନ୍ତୁ, ନଚେତ୍ ଆମେ ନିଜେ ନିଷ୍ପତ୍ତି ନେବୁ। ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ବିଳମ୍ବ କରି ଏହାକୁ ଏଡ଼ାଇ ଯିବାକୁ ଆମେ ସହ୍ୟ କରିପାରିବୁ ନାହିଁ। ଦଣ୍ଡ ସମୀକ୍ଷା ବୋର୍ଡ କ’ଣ ନିଷ୍ପତ୍ତି ନେଇଛି, ଆମକୁ ତାହା ଅବଗତ କରାଯାଇନାହିଁ।’ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ କେନ୍ଦୁଝରଜିଲ୍ଲା ଜେଲ୍ରୁ ରିପୋର୍ଟ ଏପର୍ଯ୍ୟନ୍ତ ମିଳିନାହିଁ ବୋଲି କହିବା ପରେ ଏହାକୁ ନେଇ ଖଣ୍ଡପୀଠ ଏପରି ଅସନ୍ତୋଷ ପ୍ରକାଶ କରିଥିଲେ।
ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨ ତାରିଖରେ ହେବ। ସେହି ସମୟ ମଧ୍ୟରେ ଦଣ୍ଡ ସମୀକ୍ଷା ବୋର୍ଡ ଦାରା ସିଂହଙ୍କ ଆବେଦନ ଉପରେ ନିଷ୍ପତ୍ତି ନେଇ ସେ ସମ୍ପର୍କରେ କୋର୍ଟକୁ ଅବଗତ କରିବା ଲାଗି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




