ଦେଶ ବିଦେଶ

Mining bills: ଖଣି ବିଲ୍‌ ନେଇ ମୁହଁାମୁହିଁ: ‘ରାଜ୍ୟ ଅର୍ଥନୀତି ବିପଦରେ’ ଭୟଙ୍କର ଚକ୍ରାନ୍ତ, ଓଡ଼ିଶାବାସୀ ବରଦାସ୍ତ କରିବେନି

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି, ଏହି ବିଲ୍‌ ପାଇଁ ଓଡ଼ିଶାର ଅର୍ଥନୀତି ଆଜି ବିପଦରେ।

ଭୁବନେଶ୍ବର: ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି, ଏହି ବିଲ୍‌ ପାଇଁ ଓଡ଼ିଶାର ଅର୍ଥନୀତି ଆଜି ବିପଦରେ। ଏତେ ଗୁରୁତ୍ବପୂର୍ଣ୍ଣ ସଂଶୋଧନ ବିଲ୍‌ ବିନା ଆଲୋଚନାରେ କେନ୍ଦ୍ର ସରକାର ପାରିତ କରାଇଦେଲେ। କେବଳ ବିଜେଡି ସାଂସଦମାନେ ଏହାକୁ ରାଜ୍ୟସଭାରେ ବିରୋଧ କରିଥିଲେ। ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଆଗରେ କେହି ବଡ଼ ନୁହେଁ। ପାର୍ଟି ନୁହେଁ, ମାଟିର ସ୍ୱାର୍ଥ ପାଇଁ ଆମକୁ ଆଜି ଏକାଠି ହେବାକୁ ପଡ଼ିବ। ଏକ ଭିଡିଓ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ୨୦୦୦ ମସିହାରେ ଯେତେବେଳେ ଆମେ ଓଡ଼ିଶା ଶାସନ ଦାୟିତ୍ୱ ନେଲୁ, ସେତେବେଳେ ଓଡ଼ିଶାର ଅର୍ଥନୀତି ବହୁତ ଖରାପ ଅବସ୍ଥାରେ ଥିଲା। ୨୦୨୪ରେ  ଯେତେବେଳେ  ସରକାର ପରିବର୍ତ୍ତନ ହେଲା, ସେତେବେଳେ ପଚାଶ ହଜାର କୋଟି ଟଙ୍କାର ବଳକା ରାଜସ୍ବ ଆମେ ଛାଡ଼ି ଯାଇଥିଲୁ। ରାଜସ୍ବ ବଳକା ରାଜ୍ୟ ସହ ଦ୍ରୁତ ପ୍ରଗତି ଆମେ ଆଣିପାରିଥିଲୁ। ଗରିବୀ କମିଥିଲା। ଏହି ଦ୍ରୁତ ବିକାଶରେ ଖଣିଜ ଟିକସ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।

ଓଡ଼ିଶାରେ କ୍ରୋମାଇଟ, ବକ୍ସାଇଟ, ଲୁହାପଥର, କୋଇଲା ଓ ମାଙ୍ଗାନିଜ ଗଚ୍ଛିତ ରହିଛି। କିନ୍ତୁ ସଂଶୋଧନ ବିଲ୍‌ ଏସବୁ ଉପରୁ ଆମ ଅଧିକାର ଛଡ଼ାଇ ନେଇଛି। ଆମ ଲୋକଙ୍କ କଲ୍ୟାଣ ପାଇଁ ଆମ ଖଣିରୁ ଆମେ କାହିଁକି ଟିକସ ସଂଗ୍ରହ କରିପାରିବୁନି? ଆମ ଲୋକ ଧୂଳିଧୂଆଁ ସହିବେ। କିନ୍ତୁ ଦିଲ୍ଲୀ ଦରବାର ଆମ ସମ୍ପଦରେ ସମୃଦ୍ଧ ହେବ। ଏହା ଆମେ ହେବାକୁ ଦେବାନି।
ବିଜେପିକୁ ସମାଲୋଚନା କରି ବିରୋଧୀ ଦଳ ନେତା କହିଲେ, ଓଡ଼ିଶାରୁ ଲୋକସଭାକୁ ୨୦ ଜଣ ବିଜେପି ସାଂସଦ ନିର୍ବାଚିତ ହୋଇଛନ୍ତି। କିନ୍ତୁ ଏ ମାଟି ପାଇଁ କେହି ବି ପାଟି ଖୋଲିଲେନି। ଓଡ଼ିଶାର ସ୍ବାର୍ଥର ସୁରକ୍ଷା ପାଇଁ ସେମାନେ ନିଜ କର୍ତ୍ତବ୍ୟକୁ ଠିକ ଭାବେ ତୁଲାଇବାରେ ବିଫଳ ହୋଇଛନ୍ତି। ବିଜୁ ବାବୁ ସବୁବେଳେ ରାଜ୍ୟର ବିକାଶ ପାଇଁ ଆର୍ଥିକ ସ୍ବାୟତ୍ତତା ଉପରେ ଜୋର୍‌ ଦେଉଥିଲେ। ଏହି ସଂଶୋଧନ ବିଲ୍‌ ଦ୍ବାରା ପ୍ରତି ବର୍ଷ ଆମେ ହଜାର ହଜାର କୋଟି ଟଙ୍କାର କ୍ଷତି ସହିବା। ଏହି ଟଙ୍କାରେ ରାଜ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଥା’ନ୍ତା। ଏତେ ବଡ଼ କ୍ଷତି ଓଡ଼ିଶା ସହି ପାରିବ ତ?
‘ଜେନ୍‌-ଜି’ର ଭବିଷ୍ୟତ କଣ ହେବ? 
ଏହି ବିଲ୍‌କୁ ବିରୋଧ କରି ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି। ସର୍ବଦଳୀୟ ବୈଠକ ଡାକିବାକୁ ଏବଂ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଚିଠିରେ ଅନୁରୋଧ କରାଯାଇଛି। ଆମ ଅଧିକାରର ସୁରକ୍ଷା ପାଇଁ ମୁଁ ଲଢ଼ିବି। ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ଅଧିକାର ପାଇଁ ମୋର ଲଢ଼େଇ ଜାରି ରହିବ। ଏହି ଲଢ଼େଇରେ ଓଡ଼ିଶାବାସୀ ସାମିଲ ହେବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button