Murder Case: ଖର୍ଚ୍ଚ ଉପରେ ଶ୍ୱଶୁରଙ୍କ କଣ୍ଟ୍ରୋଲ୍ ଥିଲା ; ମର୍ଡରପ୍ଲାନ୍ ରଚିଥିଲା ବୋହୂ, ଚାକରକୁ ଦେଇଥିଲା ସୁପାରୀ

ନୂଆଦିଲ୍ଲୀ,୦୮/୦୯; ଘରେ କୋଟି ଟଙ୍କାର ବ୍ୟବସାୟ ଥିଲା । ଆର୍ଥିକ ସମସ୍ୟା ନଥିଲା । କୋଟିପତି ଘରର ବୋହୂ ହୋଇ ବି ସେ ଏବଂ ତାଙ୍କ ସ୍ୱାମୀଙ୍କର ଖର୍ଚ୍ଚ ଉପରେ ଶ୍ୱଶୁରଙ୍କର ପୂରା ନିୟନ୍ତ୍ରଣ ଥିଲା । ପାର୍ଟିକୁ ଯିବା, ବିଳମ୍ବିତ ରାତିରେ ଫେରିବାକୁ ଶ୍ୱଶୁର ପସନ୍ଦ କରୁନଥିଲେ । ଶ୍ୱଶୁରଙ୍କ ଆକଟ ବୋହୂକୁ ସହ୍ୟ ହେଉନଥିଲା । କାନପୁରର କୋଟିପତି ଔଷଧ ବ୍ୟବସାୟୀ ବିନୀତ ନିମୋଚା ହତ୍ୟାକାଣ୍ଡ ମାମଲାରେ ନୂଆ ମୋଡ଼ ଆସିଛି । ବୋହୂ ଶାଲୁ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ହୋଇଥିବା ଜଣାପଡି଼ଛି । ଶ୍ୱଶୁରଙ୍କ ଆକଟ ଯୋଗୁ ଅତିଷ୍ଠ ହୋଇ ଚାକର ବିଶାଲଙ୍କ ସହାୟତାରେ ଶାଲୁ ତାଙ୍କୁ ହତ୍ୟା କରିଛି । ଏଥିଲାଗି ଉଭୟଙ୍କ ମଧ୍ୟରେ ୬ ଲକ୍ଷ ଟଙ୍କାରେ କଥା ଛିଡି଼ଥିଲା । ପୁଲିସ ଏବେ ଶାଲୁଙ୍କୁ ଗିରଫ କରି ଜେଲ୍ ପଠାଇଛି ।
ଶନିବାର ରାତି ପ୍ରାୟ ୧୧.୨୮ ମିନିଟ୍ ସମୟରେ ବିନୀତଙ୍କୁ ତାଙ୍କର ଫ୍ଲାଟରେ ହତ୍ୟା କରାଯାଇଥିଲା । ସେତେବେଳେ ସେ ଫ୍ଲାଟ୍ରେ ଏକୁଟିଆ ଥିଲେ । ପୁଅ ସୁବ୍ରତ, ବୋହୂ ଶାଲୁ ଏକ ପାର୍ଟିରେ ଯୋଗ ଦେବାକୁ ଯାଇଥିଲେ । ରବିବାର ଭୋର୍ରୁ ସେମାନେ ଫେରିବା ପରେ ବିନୀତଙ୍କ ରକ୍ତଜୁଡୁବୁଡୁ ଶବ ବେଡ୍ରୁମ୍ ମଧ୍ୟରେ ପଡି଼ଥିବା ଦେଖିବାକୁ ପାଇଥିଲେ । ସେତେବେଳେ ଶାଲୁ କାନ୍ଦିବା ସହ ବାରମ୍ବାର ବେହୋସ ହେବାର ନାଟକ କରିଥିଲେ । ତେଣୁ ତାଙ୍କ ଉପରକୁ କାହାର ସନ୍ଦେହ ହୋଇନଥିଲା । ତେବେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବାରୁ ସେଦିନ ଚାକର ବିଶାଲ ଏବଂ ତାଙ୍କ ସାଥୀ ବିନୀତଙ୍କ ଫ୍ଲାଟ୍ ମଧ୍ୟରେ ପ୍ରବେଶ କରିବା, ବାହାରିବାର ଦେଖିବାକୁ ମିଳିଥିଲା । ଏହାପରେ ପୁଲିସ ରବିବାର ବିଳମ୍ବିତ ରାତିରେ ଉଭୟଙ୍କୁ ଗିରଫ କରିଥିଲା । ଜେରା ସମୟରେ ବିଶାଲ ଶାଲୁଙ୍କ ନିର୍ଦ୍ଦେଶରେ ବିନୀତଙ୍କୁ ହତ୍ୟା କରିଥିବା ପ୍ରକାଶ କରିଥିଲେ । ବିଶାଲଙ୍କର ଏହି ବୟାନ ପରେ ହତ୍ୟାକାଣ୍ଡରେ ନୂଆ ମୋଡ଼ ଆସିଥିଲା । ପୁଲିସ ଶାଲୁଙ୍କର କଲ୍ ଡିଟେଲ ରେକର୍ଡ ଯାଞ୍ଚ କରିଥିଲା । ସେଥିରୁ ହତ୍ୟାଦିନ ଶାଲୁ ଏବଂ ବିଶାଲ ୧୪ ଥର କଥା ହୋଇଥିବା ଜଣାପଡ଼ିଥିଲା ।
ସୌଜନ୍ୟ ପ୍ରମେୟ




