Building collapse: ଅର୍ପିତଙ୍କ ଆଖିରେ ଦୁନିଆ ଦେଖିବେ ୨ ଜଣ, ପୁଅକୁ ହରାଇବା ଦୁଃଖରେ ବି କର୍ନିଆ ଦାନ କଲେ ପରିବାର

ନୂଆଦିଲ୍ଲୀ,୦୮/୦୯; ଦିଲ୍ଲୀର ସତ୍ୟ ନିକେତନରେ ୬ ମହଲା ହଷ୍ଟେଲ କୋଠା ଭୁଶୁଡ଼ିବା ପରେ ପ୍ରାୟ ୨୭ ଘଣ୍ଟା ଧରି ଚାଲିଥିବା ଉଦ୍ଧାର ଅଭିଯାନ ଶେଷ ହୋଇଛି । ଅଘଟଣରେ ମୃତ୍ୟୁସଂଖ୍ୟା ୭ରୁ ବୃଦ୍ଧି ହୋଇଛି । ୩ ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ଏହି ଦୁର୍ଘଟଣାରେ ଆଖି ବୁଜିଥିବା ଅର୍ପିତଙ୍କ ଚକ୍ଷୁ ଦାନ କରିଛନ୍ତି ତାଙ୍କ ପରିବାର ।ମୃତକଙ୍କ ମଧ୍ୟରେ ୧୮ ବର୍ଷୀୟ ଛାତ୍ର ଅର୍ପିତ ଜୟ ଅଛନ୍ତି । ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହାପରେ ପରିବାର ଲୋକେ ଅର୍ପିତଙ୍କ ଚକ୍ଷୁକୁ ଦାନ କରିଦେଇଛନ୍ତି ।
ଦିନକ ପୂର୍ବରୁ ଅର୍ପିତ ତାଙ୍କ ପିତା ଭୂପେନ୍ଦ୍ର ଜୟଙ୍କ ସହିତ ଭିଡିଓ କଲ୍ରେ କଥା ହୋଇଥିଲେ । ଭୂପେନ୍ଦ୍ର କହିଛନ୍ତି, ମୋ ପୁଅ ରାକ୍ଷୀ ପୂର୍ଣ୍ଣିମା ଛୁଟି ପରେ ଫେରିଆସିଥିଲା । ରବିବାର ସକାଳେ ସେ ନିଜ ହଷ୍ଟେଲ ପହଞ୍ଚିଥିଲା । କିନ୍ତୁ କିଛି ସମୟ ପରେ ଆମେ ତା’ର ଶବ ଦେଖିଲୁ । ହଷ୍ଟେଲ କୋଠାର ଅବସ୍ଥା ଖରାପ ଥିବା ନେଇ ମୋ ପୁଅ ମୋତେ ଆଗରୁ କହିଥିଲେ ତାକୁ ସେଠାରୁ ମୁଁ ନେଇଯାଇଥାନ୍ତି । ସେ ବଞ୍ଚିଯାଇଥାନ୍ତା । ଏହା କହି ଭୂପେନ୍ଦ୍ର କାନ୍ଦି ପକାଇଥିଲେ । ମୃତକଙ୍କ ମଧ୍ୟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ପିଜିଡିଏଭି କଲେଜର ଦ୍ୱିତୀୟ ବର୍ଷ ଛାତ୍ର ଅୟତ ସିଂହ ଯାଦବ ବି ଅଛନ୍ତି ।
ସୌଜନ୍ୟ ପ୍ରମେୟ




