Swargadwar Wood Shortage: ସ୍ୱର୍ଗଦ୍ୱାରରୁ ସରିଗଲା କାଠ, ଦେଢ଼ ଘଣ୍ଟା ପରେ ଆସିଲା, ପଡ଼ି ରହିଲା ୨୦ରୁ ଅଧିକ ଶବ

ପୁରୀ, ୨୪/୦୯ : ପୁରୀ ସ୍ୱର୍ଗଦ୍ୱାରରେ ସରିଗଲା କାଠ । ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ଶବ ପଡ଼ି ରହିବା ପରେ କାଠ ଗାଡ଼ି ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲା । ଫଳରେ ଶବ ଦାହ ହୋଇପାରିଥିଲା । ବୁଧବାର ସ୍ୱର୍ଗଦ୍ୱାରରେ ଅପରାହ୍ଣ ପ୍ରାୟ ୫ଟାରୁ ସାଢ଼େ ୬ଟା ମଧ୍ୟରେ ଏଭଳି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଥିଲା । ସ୍ୱର୍ଗଦ୍ୱାରରେ କାଠ ଅଭାବଜନିତ ସ୍ଥିତି ମାନବକୃତ ବୋଲି ଅଭିଯୋଗ ହେଉଛି ।
ସ୍ୱର୍ଗଦ୍ୱାରରେ ଶବ ଦାହ କରିଲେ ଆତ୍ମାର ସଦ୍ଗତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ବହୁ ଦୂରଦୂରାନ୍ତରୁ ପରିଜନମାନେ ସେମାନଙ୍କ ପରିବାର ମୃତ ବ୍ୟକ୍ତିଙ୍କ ଶବ ନେଇ ଏଠାକୁ ଆସନ୍ତି । ସ୍ୱର୍ଗଦ୍ୱାର ଉନ୍ନତୀକରଣ ପରେ ଶବ ସଂସ୍କାର ନିମନ୍ତେ ଉତ୍ତମ ସୁବିଧା ଏଠାରେ ମିଳୁଥିବା ପ୍ରଶାସନ ଘୋଷଣା କରିବା ପରେ ଆଗନ୍ତୁକଙ୍କ ସଂଖ୍ୟା ବଢ଼ିଛି । ଦୈନିକ ଏଠାରେ ୯୦ରୁ ୧୪୦ ପର୍ଯ୍ୟନ୍ତ ଶବ ଦାହ କରାଯାଉଛି । ବୁଧବାର ପ୍ରାୟ ୧୦୦ରୁ ଅଧିକ ଶବ ଦାହ କରାଯାଇଛି । ଅପରାହ୍ଣରେ କାଠ ସରିଯିବାରୁ ପ୍ରାୟ ୨୦ରୁ ଅଧିକ ଶବ ଦାହ ନିମନ୍ତେ ଧାଡ଼ିରେ ରହି ଅପେକ୍ଷା କରିଥିଲେ । ଶବ ଥୋଇ ପୋଡ଼ିବା ନିମନ୍ତେ ସାଇଜ୍ କାଠ ସମ୍ପୂର୍ଣ୍ଣ ସରିଯାଇଥିଲା । କିଛି ପରିମାଣର ଡାଳି ସରୁ କାଠ ରହିଥିଲା । ଏହାକୁ ନେଇ ଜନଅସନ୍ତୋଷ ପ୍ରକାଶ ପରେ ଗୋଟିଏ ଟ୍ରାକ୍ଟରରେ ସାଇଜ୍ କାଠ ଆସି ପହଞ୍ଚିଥିଲା ।
ସ୍ୱର୍ଗଦ୍ୱାରରେ କାଠ ଯୋଗାଇ ନିମନ୍ତେ ଓଏଫ୍ଡ଼ିସି ଦାୟିତ୍ୱ ନେଇଛି । ପୂର୍ବ ତୁଳନାରେ କାଠ କ୍ୱିଣ୍ଟାଲ ପ୍ରତି ୩୦୦ ଟଙ୍କା ଅଧିକ ଦର ମଧ୍ୟ ଓଏଫ୍ଡ଼ିସି ସ୍ୱର୍ଗଦ୍ୱାରରୁ ନେଉଛି । ମାତ୍ର ଲୋକଙ୍କ ଆବଶ୍ୟକତା ମୁତାବକ କାଠ ଯୋଗାଇ ପାରୁନି । ଦୈନିକ ସ୍ୱର୍ଗଦ୍ୱାର ନିମନ୍ତେ ୨୦୦ କ୍ୱିଣ୍ଟାଲରୁ ଅଧିକ ଝାଉଁ କାଠ ଆବଶ୍ୟକ । ହେଲେ ଓଏଫ୍ଡ଼ିସି ପକ୍ଷରୁ ଆବଶ୍ୟକ ସାଇଜ୍ ଝାଉଁ କାଠ ଯୋଗାଇ ଦିଆଯାଉନାହିଁ । ଯେତିକି ବି କାଠ ଏଠାକୁ ଆସୁଛି ସେଥିରେ ଆକାଶୀ ଓ ଅନ୍ୟ କଞ୍ଚା କାଠ ଆସୁଛି । ଯାହା ଶବ ଦାହ ବେଳେ ଧୂଆଁ କରୁଛି । ଓଏଫ୍ଡ଼ିସି ପୂର୍ବରୁ କାଠ କ୍ୱିଣ୍ଟାଲ ପିଛା ୯୦୦ ଟଙ୍କା ନେଉଥିଲା । ଏବେ ୧୨୦୦ ଟଙ୍କା ନେଉଛି ।
ସୌଜନ୍ୟ ପ୍ରମେୟ




