MKCG : ଚାରିଦିନ ହେଲା ରୋଗ ନିଦାନ କେନ୍ଦ୍ର ଲିଙ୍କ୍ ଫେଲ୍,୬ ହଜାର ରୋଗୀଙ୍କୁ ହାତ ଲେଖା ରିପୋର୍ଟ

ବ୍ରହ୍ମପୁର, ୨୯୯ : ଘରେ ବସି ରୋଗୀ ରିପୋର୍ଟ ପାଇବେ । ହସ୍ପିଟାଲ ବାରମ୍ବାର ଦୌଡ଼ିବାକୁ ହେବନି । ସିଙ୍ଗଲ୍ ୱିଣ୍ଡୋରେ ସବୁ ସୁବିଧା ମିଳିବ । ଏଭଳି କୁହାଯାଉଥିବାବେଳେ ବାସ୍ତବ ଚିତ୍ର କିଛି ଅଲଗା । ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଆଞ୍ଚଳିକ ରୋଗ ନିଦାନ କେନ୍ଦ୍ର (ଆର୍ଡିସି)ର ପଞ୍ଜୀକରଣ ଲିଙ୍କ୍ ୪ ଦିନ ହେଲା ଫେଲ୍ । ହଜାର ହଜାର ରୋଗୀ ହଇରାଣ ହେଉଛନ୍ତି । ରକ୍ତ ପରୀକ୍ଷା ପାଇଁ ପଞ୍ଜୀକରଣଠାରୁ ଆରମ୍ଭ କରି ରିପୋର୍ଟ ପ୍ରଦାନ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ବିଗିଡ଼ିଯାଇଛି । କର୍ମଚାରୀମାନେ ହାତରେ ଲେଖି ରିପୋର୍ଟ ଦେଉଛନ୍ତି ।
ପ୍ରତିଦିନ ୬ ହଜାରରୁ ଅଧିକ ପରୀକ୍ଷା ରିପୋର୍ଟ ଏଭଳି ଭାବେ ପ୍ରସ୍ତୁତ କରିବା କର୍ମଚାରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ରକ୍ତ ନମୁନା ଦେବାଠାରୁ ରିପୋର୍ଟ ସଂଗ୍ରହ ପର୍ଯ୍ୟନ୍ତ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡୁଛି । ଆର୍ଡିସିରେ ରୋଗୀଙ୍କ ପରୀକ୍ଷା ପଞ୍ଜୀକରଣ ଓ ରିପୋର୍ଟ ପ୍ରଦାନ ଦାୟିତ୍ୱରେ ଥିବା ଘରୋଇ ସଂସ୍ଥାର ଲିଙ୍କ୍ରେ ବୈଷୟିକ ସମସ୍ୟା ଦେଖାଦେଇଛି । ଅନ୍ଲାଇନ୍ ପଞ୍ଜୀକରଣ ହୋଇପାରୁନି । ପରୀକ୍ଷା କରାଇବା ପରେ ନିର୍ଦ୍ଧାରିତ ସମୟରେ ରିପୋର୍ଟ ପାଇବାରେ ମଧ୍ୟ ରୋଗୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ବାରମ୍ବାର ଅଭିଯୋଗ ପରେ ବି ସମସ୍ୟାର ସ୍ଥାୟୀ ସମାଧାନ ନହେବାରୁ ରୋଗୀଙ୍କ ଅସନ୍ତୋଷ ବଢ଼ୁଛି । ସମସ୍ୟାର ସବୁଠାରୁ ଗୁରୁତର ପ୍ରଭାବ ପଡୁଛି ମେଡିକାଲର ସେଣ୍ଟ୍ରାଲ ଆଇସିୟୁ, ଟ୍ରାମା କେୟାର ସେଣ୍ଟର ଓ କାଜୁଆଲିଟିରେ ଚିକିତ୍ସାଧୀନ ଗୁରୁତର ରୋଗୀଙ୍କ ଉପରେ । ସମୟାନୁସାରେ ପରୀକ୍ଷା ରିପୋର୍ଟ ନମିଳିଲେ ରୋଗ ନିରୂପଣ ସହ ପରବର୍ତ୍ତୀ ଚିକିତ୍ସା ନିଷ୍ପତ୍ତି ନେବାରେ ବିଳମ୍ବ ହେଉଛି ।
ସୌଜନ୍ୟ ପ୍ରମେୟ


