Student Union Elections: ୧୫ରେ ଛାତ୍ର ସଂସଦ ନିର୍ବାଚନ, ୭ ଦିନ ମଧ୍ୟରେ ଘୋଷଣା!
୨୦୧୭ ପରେ ଓଡ଼ିଶାର କ୍ୟାମ୍ପସରେ ପୁଣି ଛାତ୍ର ସଂସଦ ନିର୍ବାଚନ ନେଇ ପ୍ରସ୍ତୁତି। ଅକ୍ଟୋବର ୧୫ରେ ଭୋଟିଂ ନେଇ ବିଚାର, ୫ରୁ ପ୍ରକ୍ରିୟା ଆରମ୍ଭ।

ଭୁବନେଶ୍ବର: ଏଥର କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ହୋଇପାରେ। ଯଦି ସ୍ଥିତି ସାକାରତ୍ମକ ରହେ ତେବେ ଅକ୍ଟୋବର ୧୪ କିମ୍ବା ୧୫ରେ ସାରା ରାଜ୍ୟରେ ଗୋଟିଏ ଦିନରେ ନିର୍ବାଚନ କରିବାକୁ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଛନ୍ତି। ଏହାର ଠିକ୍ ୧୦ ଦିନ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୫ରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି। ତେବେ କେଉଁ ପଦ୍ଧତିରେ ନିର୍ବାଚନ ହେବ ତାହାକୁ ନେଇ ଉଚ୍ଚଶିକ୍ଷା ବିଭାଗରେ ମାନସ ମନ୍ଥନ ଜାରି ରହିଛି। ନିର୍ବାଚନ କେବଳ ସରକାରୀ କଲେଜଗୁଡ଼ିକରେ ହେବ ନା ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ମଧ୍ୟ ପୂର୍ବ ପରି କରାଯିବ, ତାହା ଚୂଡ଼ାନ୍ତ ହୋଇପାରି ନାହିଁ।
୮ ବର୍ଷ ପରେ କ୍ୟାମ୍ପସ୍ରେ ନିର୍ବାଚନ ହେବା ନେଇ ଆଶା ଉଜ୍ଜ୍ବଳ ହୋଇଛି। ତେଣୁ କେବଳ ସରକାରୀ କଲେଜରେ ସୀମିତ ରଖିବାକୁ ମତପ୍ରକାଶ ପାଇଛି। କିନ୍ତୁ ଏପରି ହେଲେ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ମଧ୍ୟ ଛାତ୍ର ଅଶାନ୍ତି ହେବାର ଆଶଙ୍କା ରହିଛି। ସେଥି ପାଇଁ ପୂର୍ବ ପରି ସବୁ କଲେଜରେ ନିର୍ବାଚନ କରାଇବାକୁ ମଧ୍ୟ ଭିନ୍ନ ମତ ପ୍ରକାଶ ପାଇଛି। ଆସନ୍ତାକାଲି ସୁଦ୍ଧା ଏହା ସ୍ପଷ୍ଟ ହେବ।
ଗୁରୁତ୍ବପୂଣ୍ଣ କଥା ହେଲା ଶାସକ ଦଳର ବହୁ ବିଧାୟକ ନିର୍ବାଚନ ସପକ୍ଷରେ ନାହାନ୍ତି। ଗତକାଲି ବିଜେପି ବିଧାୟକମାନଙ୍କ ବୈଠକରେ ଏ ନେଇ ମତାମତ ମଗାଯାଇଥିଲା। ଅଧିକାଂଶ ବିଧାୟକ ନିର୍ବାଚନ ଚାହୁ ନଥିବା ଜଣାପଡ଼ିଥିଲା। କିନ୍ତୁ ଚଳିତ ବର୍ଷ ଛାତ୍ରସଂସଦ ନିର୍ବାଚନ କରାଇବାକୁ ଉପରୁ ନିର୍ଦ୍ଦେଶ ରହିଛି ବୋଲି ବିଜେପି ସଭାପତି ସମସ୍ତଙ୍କୁ ଜଣାଇଥିଲେ। ଜେନ୍-ଜିଙ୍କୁ ନିଜ ପକ୍ଷରେ ରଖିବା ପାଇଁ ନିର୍ବାଚନ ଆବଶ୍ୟକ ବୋଲି କୁହାଯାଇଛି। ତେଣୁ ଏଥି ପାଇଁ ସମସ୍ତେ ପ୍ରସ୍ତୁତ ରହିବାକୁ ସଭାପତି କହିଥିଲେ।
ସୌଜନ୍ୟ ସମ୍ବାଦ




