ରାଜ୍ୟ

Judgement: ଜମି ସୀମା ନିର୍ଦ୍ଧାରଣ ସଂପର୍କିତ ଦରଖାସ୍ତ ପାଇଁ ପୋର୍ଟାଲରେ ସଂଶୋଧନ ଉପରେ ହାଇକୋର୍ଟଙ୍କ ଗୁରୁତ୍ବାରୋପ

ଜମିର ସୀମା ନିର୍ଦ୍ଧାରଣ ପାଇଁ ଦରଖାସ୍ତ ପ୍ରସଂଗରେ ଅନଲାଇନ ପୋର୍ଟାଲରେ ସଂଶୋଧନ କରାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ବିଶେଷକରି ଗୋଟିଏ ଖାତା ଅନ୍ତର୍ଗତ ଭିନ୍ନ ଭିନ୍ନ ପ୍ଲଟ ପାଇଁ ପୃଥକ ପୃଥକ ସୀମା ନିର୍ଦ୍ଧାରଣ ଦରଖାସ୍ତ ଦାଖଲ...

କଟକ: ଜମିର ସୀମା ନିର୍ଦ୍ଧାରଣ ପାଇଁ ଦରଖାସ୍ତ ପ୍ରସଂଗରେ ଅନଲାଇନ ପୋର୍ଟାଲରେ ସଂଶୋଧନ କରାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ବିଶେଷକରି ଗୋଟିଏ ଖାତା ଅନ୍ତର୍ଗତ ଭିନ୍ନ ଭିନ୍ନ ପ୍ଲଟ ପାଇଁ ପୃଥକ ପୃଥକ ସୀମା ନିର୍ଦ୍ଧାରଣ ଦରଖାସ୍ତ ଦାଖଲ ସଂପର୍କିତ ଅନଲାଇନ ପୋର୍ଟାଲରେ ଥିବା ବ୍ୟବସ୍ଥା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ କେବଳ ଅନ ଲାଇନ ବ୍ୟବସ୍ଥା ଚଳିବ ନାହିଁ। ଅଫ୍‌ ଲାଇନରେ ମଧ୍ୟ ଜମିର ସୀମା ନିର୍ଦ୍ଧାରଣ ଦରଖାସ୍ତ ଗ୍ରହଣୀୟ ହେବ ବୋଲି ହାଇକୋର୍ଟ କହିଛନ୍ତି।

ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କଟକସ୍ଥିତ ଶ୍ରୀ ଗଡଗଡେଶ୍ୱର ମହାଦେବ ବିଜେଙ୍କ ଟ୍ରଷ୍ଟିଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ କେବଳ ଅନଲାଇନ୍ ମାଧ୍ୟମରେ ଆବେଦନ କରିବା ଓ ସୀମା ନିର୍ଦ୍ଧାରଣ ପାଇଁ ପ୍ଲଟ୍ ପିଛା ୮୦୦ ଟଙ୍କା ଦେୟ ଦେବା ଆଇନଗତ ଭାବେ ବାଧ୍ୟତାମୂଳକ ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

”ଓଡ଼ିଶା ସର୍ଭେ ଏଣ୍ଡ ସେଟେଲମେଣ୍ଟ (ଓଏସଏସ) ରୁଲ୍ସ, ୧୯୬୨” ର ନିୟମ-୩୮ ଅଧୀନରେ ସୀମା ନିର୍ଦ୍ଧାରଣ ପାଇଁ ଅଫଲାଇନ୍ ଆବେଦନ ଗ୍ରହଣ କରାଯିବ ବୋଲି ହାଇ‌କୋର୍ଟ କହିଛନ୍ତି। ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ , ସରକାରୀ ନିର୍ଦ୍ଦେଶାବଳୀ ବଳରେ ସଂଶୋଧିତ ୮୦୦ ଟଙ୍କା ଫି’ କେବଳ ସେହି ନାଗରିକଙ୍କ ପାଇଁ ଲାଗୁ ହେବ, ଯେଉଁମାନେ ସ୍ୱେଚ୍ଛାକୃତ ଭାବେ ଲାଇସେନ୍ସପ୍ରାପ୍ତ ସର୍ଭେୟରଙ୍କ ଦ୍ୱାରା ଜମି ମାପ କରିବାକୁ ଚାହିଁବେ। କିନ୍ତୁ ଜଣେ ସାଧାରଣ ନାଗରିକ ଓଏସଏସ ରୁଲ୍ସର ନିୟମ-୩୮ ଅନୁଯାୟୀ ଧାର୍ଯ୍ୟ ମୂଳ ଫି’ ଦେଇ ଅଫଲାଇନ୍‌ରେ ବି ଆବେଦନ କରିପାରିବେ। ଆବେଦନକାରୀଙ୍କ ଅଫ ଲାଇନ ଆବେଦନ କଟକ ସଦର ତହସିଲଦାର ଗ୍ରହଣ କରି ୪ସପ୍ତାହ ମଧ୍ୟରେ ଜମିର ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସଂପୂର୍ଣ୍ଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରରୀର ପ୍ରକାଶ ଯେ,ଶ୍ରୀ ଗଡଗଡେଶ୍ୱର ମହାଦେବ ବିଜେଙ୍କ କଟକ ସଦର ତହସିଲ ଅନ୍ତର୍ଗତ ଗୋଟିଏ ଖାତା ଅଧିନରେ ୧୧ଟି ପ୍ଲଟ୍ (ମୋଟ୍ ୨.୬୦ ଏକର) ଜମିର ସୀମା ନିର୍ଦ୍ଧାରଣ ପାଇଁ ଟ୍ରଷ୍ଟି ଅଫଲାଇନ ଜରିଆରେ ସଦର ତହସିଲଦାରଙ୍କ ନିକଟରେ ଆବେଦନ କରିଥିଲେ। କିନ୍ତୁ ତହସିଲଦାର କେବଳ ଅନଲାଇନ ଆବେଦନ ଗ୍ରହଣ କରାଯିବ ବୋଲି କହି ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଆବେଦନକାରୀ ଅନଲାଇନ ପୋର୍ଟାଲରେ ଦରଖାସ୍ତ ଦାଖଲ ପାଇଁ ଚେଷ୍ଟା କରିବାରୁ ଗୋଟିଏ ଖାତାର ପ୍ରତ୍ୟେକ ପ୍ଲଟ୍ ଲାଗି ଅଲଗା ଅଲଗା ଦରଖାସ୍ତ ଓ ପ୍ରତି ପ୍ଲଟ୍ ପାଇଁ ୮୦୦ ଟଙ୍କା ଲେଖାଏଁ ଫି’ ପଇଠ କରିବାକୁ କୁହାଯାଇଥିଲା। ଓଏସଏସ ରୁଲ୍ସ ଅନୁଯାୟୀ ପ୍ରତି ପ୍ଲଟ୍ ପାଇଁ ମାତ୍ର ୪ ଟଙ୍କା ଫି’ ଫଇଠ ନିୟମ ଥିବା ସତ୍ତ୍ୱେ, ରାଜ୍ୟ ସରକାରଙ୍କ ୨୦୨୦, ଫେବ୍ରୁଆରି ୧୪ ଓ ୨୦୨୫, ଅକ୍ଟୋବର୧୫ର ଏସଓପି ମାଧ୍ୟମରେ ୮୦୦ ଟଙ୍କା ଧାର୍ଯ୍ୟ କରାଯିବା ଆଇନ ବିରୋଧୀ ବୋଲି ଦର୍ଶାଇ ହାଇକୋର୍ଟରେ ଏହି ଆବେଦନ ଦାୟର ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭାସ୍କର ଚନ୍ଦ୍ର ପଣ୍ଡା ମାମଲା ପରିଚାଳନା କରୁଥିବା ବେଳେ ବରିଷ୍ଠ ଆଇନଜୀବୀ ରମାକାନ୍ତ ମହାନ୍ତି ”ଆମିକସ୍ କ୍ୟୁରି” ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button