୧୭ ପୂର୍ବରୁ ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍

ଭୁବନେଶ୍ବର : ଅକ୍ଟୋବର ଦ୍ବିତୀୟ ସପ୍ତାହ ବେଳକୁ ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିନ୍ତୁ ସମ୍ଭାବ୍ୟ ଅବପାତ ଗତିପଥ କେଉଁ ଆଡ଼କୁ ରହିବ ଏବଂ ଓଡ଼ିଶା ଉପରେ କେତେଦୂର ପ୍ରଭାବ ପଡ଼ିବ, ପାଣିପାଗ ବିଭାଗ ସ୍ପଷ୍ଟ କରିନାହିଁ। କିନ୍ତୁ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥାର କିଛି ମଡେଲ ଆକଳନ କରିଛି ଯେ ଅକ୍ଟୋବର ୧୭ ପୂର୍ବରୁ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାର ସମ୍ଭାବନା କମ। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଅକ୍ଟୋବର ୧୨ ପାଖାପାଖି ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ଗଠିତ ହୋଇପାରେ। ପରେ ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ହୋଇପାରେ। ଅକ୍ଟୋବର ୧୫ ପାଖାପାଖି ଦକ୍ଷିଣ-ମଧ୍ୟ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଦୁର୍ବଳ ଅବପାତ ଗଠନର ସମ୍ଭାବନା ରହିଛି। ଏହା ଘୂର୍ଣ୍ଣିବାତ୍ୟା ଗଠନ ପାଇଁ ପରିବେଶ ତିଆରି ହେବାର ସମ୍ଭାବନା ବଢ଼ୁଛି। କିନ୍ତୁ ଏହାର ସ୍ପଷ୍ଟ ଚିତ୍ର ଆସିନାହିଁ। ବର୍ତ୍ତମାନ ଓଡ଼ିଶା ପାଇଁ କୌଣସି ବିପଦ ସଙ୍କେତ ନାହିଁ ବୋଲି ସେ କହିଛନ୍ତି।
ସୌଜନ୍ୟ ସମାଜ




