କେବିସିରେ ଚମକିଲେ ଓଡ଼ିଆ ଝିଅ ସୋନାଲି

ଖୁଣ୍ଟା : ମୟୂରଭଞ୍ଜ ଜିଲା ଅନ୍ତର୍ଗତ ଖୁଣ୍ଟା ଅଞ୍ଚଳର କନ୍ୟା ତଥା ଡାକ ବିଭାଗର କର୍ମଚାରୀ ସୋନାଲି ଶେଷାଦ୍ରୀ ବିଗ୍ ବି ଅମିତାଭ ବଚ୍ଚନଙ୍କ ପରିଚାଳିତ ଲୋକପ୍ରିୟ ଟେଲିଭିଜନ ଶୋ’ ‘କୌନ ବନେଗା କରୋଡପତି’ (କେବିସି)ରେ ଭାଗ ନେଇ ହଟ୍ସିଟରେ ବସିବାର ଗୌରବ ଲାଭ କରିଛନ୍ତି। ନିଜର ଅଦମ୍ୟ ଇଚ୍ଛାଶକ୍ତି, ଧୈର୍ଯ୍ୟ ଓ ପ୍ରଚେଷ୍ଟା ବଳରେ ସେ ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ହଟ ସିଟରେ ବସିବାରେ ସମର୍ଥ ହୋଇପାରିଛନ୍ତି ା ଏହି ସଫଳତା ଖାଲି ମୟୂରଭଞ୍ଜ ଜିଲାରେ ନୁହେଁ, ଓଡ଼ିଶା ପାଇଁ ଗୌରବ ଆଣିଦେଇଛି ଏବଂ ସର୍ବଭାରତୀୟ ସ୍ତରରେ ସେ ଏକ ପରିଚିତ ଚେହେରା ପାଲଟିଛନ୍ତି।
ଗତ ଜାନୁୟାରୀରେ ସୋନାଲି କେବିସିରେ ଭାଗ ନେବା ପାଇଁ ନାମ ପଞ୍ଜିକୃତ କରିଥିଲେ। ମାର୍ଚ୍ଚରେ ସେ କ୍ୱାଲିଫାଏ କରିଥିଲେ। ଗତ ଜୁନରେ କଲକାତାରେ ଅଡିସନ ଦେଇ ମନୋନୀତ ହୋଇଥିଲେ। ଫାଷ୍ଟଟେଷ୍ଟ ଫିଙ୍ଗର ଫାଷ୍ଟରେ ସେ ପ୍ରଥମ ଦୁଇ ଜଣଙ୍କ ମଧ୍ୟରେ ଥିଲେ। ତେବେ ଦୁଇ ଜଣଙ୍କ ମଧ୍ୟରେ ବଜର ରାଉଣ୍ଡରେ ସୋନାଲି ବାଜି ମାରି ହଟ୍ ସିଟରେ ବସିଥିଲେ। ବାପା ସୁଶାନ୍ତ ଦଳେଇ ଓ ମାଆ ରୀନା ଦଳେଇଙ୍କ ଝିଅ ସୋନାଲି ଏକମାତ୍ର ସନ୍ତାନ। ଝିଅର ସଫଳତାରେ ବାପା ମଆଙ୍କର ଖୁସି କହିଲେ ନସରେ। ସୋନାଲି ଜୀବନ ସଂଘର୍ଷରେ ଘାତ, ପ୍ରତିଘାତ ମଧ୍ୟରେ ଆଗକୁ ବଢ଼ିଛନ୍ତି। ବାପା ଦୁର୍ଘଟଣାର ଶିକାର ହେବା ପରେ ପରିବାରର ଭାର ସେ ନିଜେ ସମ୍ଭାଳି ଥିଲେ ଆଉ ମାଆ ତାଙ୍କୁ ସାହସ ଯୋଗାଇ ଥିଲେ। ସମ୍ପ୍ରତି ସେ ଖୁଣ୍ଟା ବ୍ଲକ ବାସିପିଠାସ୍ଥିତ ଡାକଘରେ ଜିଡିଏସ ଭାବେ କାର୍ଯ୍ୟରତ। ଚାକିରି ସମୟ ପରେ କେବିସିରେ ପଚରାଯାଉଥିବା ପ୍ରଶ୍ନ ଓ ତାର ଉତ୍ତରଗୁଡ଼ିକ ଅଧ୍ୟୟନ କରିବା ଓ ମାନସିକ ଭାବେ ନିଜକୁ ପ୍ରସ୍ତୁତ କରୁଥିବାବେଳେ ସମଗ୍ର ପରିବାର ସୋନାଲିଙ୍କୁ ପ୍ରଚ୍ଛଦପଟରେ ରହି ସହଯୋଗ କରିଥିବା କହନ୍ତି ସୋନାଲୀ।
ମିଲେନିୟମ ଷ୍ଟାର ଅମିତାଭ ବଚ୍ଚନଙ୍କ ସହ ବର୍ତ୍ତାଳାପ, ନିଜ ଓ ପରିବାରର ସୁଖଦୁଃଖ ବାଣ୍ଟିବା ତାଙ୍କ ଜୀବନର ଏକ ଅଭୁଲା ମୁହୂର୍ତ୍ତ ା କେବିସିରେ ଭାଗ ନେଇ ଅର୍ଥ ରାଶି ପୁରସ୍କାର ଜିତିବା ଓ ଜାତୀୟ ଟେଲିଭିଜନରେ ଆସିବାର ଖୁସି ତାଙ୍କ ପାଇଁ ବର୍ଣ୍ଣନାତୀତ ବୋଲି କହନ୍ତି। ହଟ୍ସିଟରେ ଅମିତାଭ ବଚ୍ଚନ ତାଙ୍କୁ ମୋଟ ୧୬ଟି ପ୍ରଶ୍ନ ପଚାରିଥିଲେ। ସେଥିମଧ୍ୟରୁ ସେ ୧୨ଟି ପ୍ରଶ୍ନର ସଠିକ ଉତ୍ତର ଦେଇ ପ୍ରତିଯୋଗିତାରୁ ଓହରି ଯାଇଥିଲେ। କେବିସିରୁ ସେ ୧୨.୫ ଲକ୍ଷ ଟଙ୍କା ଜିତିଛନ୍ତି।
ସୌଜନ୍ୟ ସମାଜ




