ଆସନ୍ତା ୩ ଦିନ ଶୁଖିଲା ପାଗ, ୫ରୁ ବଦଳିବ ପାଣିପାଗ; ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା

ଭୁବନେଶ୍ବର ୦୩/୧୦: ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ଶୁଖିଲା ରହିବ ପାଗ । ୫ ତାରିଖ ଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ । ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଅକ୍ଟୋବର ୯ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ସେପଟେ ଆସନ୍ତା ୧୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୧୩ ବେଳକୁ ଏହା ଲଘୁଚାପର ରୂପ ନେଇପାରେ । ୧୫ ତାରିଖ ବେଳକୁ ଅବପାତ ସମ୍ଭାବନା ରହିଛି । ଆଇଏମଡି ପକ୍ଷରୁ ଏନେଇ ଆକଳନ କରାଯାଇଛି । ତେବେ ଏହି ସିଷ୍ଟମ ଅଧିକ ଘନୀଭୂତ ହୋଇ ଅବପାତ, ଗଭୀର ଅବପାତ ନା ତା’ଠାରୁ ବେଶି ବଳ ଜୁଟାଇବ ତାହା ଏବେଠୁ ଆକଳନ କରିବା ମୁସ୍କିଲ୍ । ସମ୍ଭାବ୍ୟ ସିଷ୍ଟମକୁ ନେଇ ବିଭିନ୍ନ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । ଜିଏଫଏସ୍ର ତାଜା ଆକଳନ ଅନୁସାରେ ଏହି ସିଷ୍ଟମ ଆସିବାକୁ ବିଳମ୍ବ ହୋଇପାରେ । ମାତ୍ର ଇସିଏମଡ୍ଲ୍ୟୁଏଫ୍ ଦେଖାଉଛି, ୧୬ ତାରିଖବେଳକୁ ଆନ୍ଧ୍ର ଉପକୂଳ ପାଖାପାଖି ଥିବ । କିନ୍ତୁ, ଏବେଠାରୁ କୌଣସି ମଡେଲ୍ ଏହାର ସମ୍ଭାବ୍ୟ ଗତିପଥ ଦେଖାଇ ନାହାନ୍ତି ।
ସୌଜନ୍ୟ ପ୍ରମେୟ




