Shodasha Puja: ଆଜିଠାରୁ ବଡ଼ଦେଳରେ ଷୋଳ ପୂଜା ନୀତି, ଆରମ୍ଭ ହେବ ଶ୍ରୀ ଦୁର୍ଗାମାଧବଙ୍କ ଉପାସନା

ପୁରୀ,୦୩/୧୦: ଆଜି ମୂଳାଷ୍ଟମୀରେ ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ ଓ ଦେବୀ ଉତ୍ଥାପନ ନୀତି ଅନୁଷ୍ଠିତ ହେବ । ଏହି ଅବସରରେ ଶ୍ରୀମନ୍ଦିରରେ ମା’ବିମଳାଙ୍କ ପୀଠ ସମେତ ଶ୍ରୀକ୍ଷେତ୍ରର ଦେବୀ ପୀଠମାନଙ୍କରେ ଷୋଡ଼ଶ ଦିନାତ୍ମକ ପୂଜାର୍ଚ୍ଚନାର ଶୂଭାରମ୍ଭ ହେବ । ବଡ଼ଦେଉଳ ରତ୍ନଭଣ୍ଡାରରୁ ମା’ଦୁର୍ଗାଙ୍କର ସ୍ୱର୍ଣ୍ଣ ପ୍ରତିମା ରତ୍ନ ସିଂହାସନରେ ବିଜେ କରିବେ । ମା’ସୁଭଦ୍ରାଙ୍କ ଆଜ୍ଞାମାଳ ପାଇ ମା’ଦୁର୍ଗା ସୋମନାଥ ମଣ୍ଡପକୁ ବିଜେ ହେବେ । ସେଠାରେ ଶ୍ରୀଅଙ୍ଗ ପୋଛାଯାଇ ନୂଆଲୁଗା ଲାଗି ହୋଇ ଠାକୁରାଣୀଙ୍କ ବେଶ ବଢ଼ିବ। ଯଥାବିଧି ସହସ୍ର କୁମ୍ଭାଭିଷେକ ନୀତି ସମ୍ପନ୍ନ ହେବ । ଏଥିସହ ଶାରଦୀୟ ପୂଜା ଅବସରରେ ଶ୍ରୀମନ୍ଦିରରେ ଦୁର୍ଗାମାଧବ ଉପାସନା ଆରମ୍ଭ ହେବ ।
ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ହେଉଛନ୍ତି ମାଧବ । ସର୍ବତ୍ର ଦୁର୍ଗାଙ୍କ ସହିତ ମହାଦେବଙ୍କ ଉପାସନାର ପରମ୍ପରା ଥିଲା ବେଳେ ଶ୍ରୀକ୍ଷେତ୍ରରେ ମାଧବଙ୍କ ସହିତ ଉପାସନା ପ୍ରଚଳିତ । ଶନିବାର ଅପରାହ୍ନରେ ମାଧବ ଆଜ୍ଞାମାଳ ପାଇ ଭଣ୍ଡାର ଦ୍ୱାରକୁ ଆସିବେ । ପୂର୍ବରୁ ସେଠାରେ ଦେବୀ ଦୁର୍ଗା ଅଧିଷ୍ଠିତ ହୋଇଥିବେ । ବିଧି ଅନୁସାରେ ଉଭୟ ଦେବଦେବୀ ରୁନ୍ଧା ହେବେ । ପରେ ମା’ବିମଳା ଠାକୁରାଣୀଙ୍କ ଜଗମୋହନରେ ଦେବଦେବୀ ବିଜେ ହୋଇ ଯଥାବିଧି ପୂଜା ସମ୍ପନ୍ନ ହେବ ।
ସୌଜନ୍ୟ ସମାଜ




