ରାଜ୍ୟ

ମାଛକୁଣ୍ଡ ପୁଲିସକୁ ବଡ଼ ସଫଳତା, ପିକ୍ଅପ୍ ଭ୍ୟାନ୍ରୁ ୫୫ ଲକ୍ଷର ଗଞ୍ଜେଇ ଜବତ, ମାଫିଆ ଗିରଫ

କୋରାପୁଟ, ୩।୧୦: କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୁଲିସକୁ ବଡ଼ ସଫଳତା । ନିଶା କାରବାର ବିରୋଧରେ ଚାଲିଥିବା କଡ଼ା ଚଢ଼ାଉ ବେଳେ ପୁଲିସ ଏକ ପିକଅପ୍ ଭ୍ୟାନ୍ରୁ ଆନୁମାନିକ ୫୫ ଲକ୍ଷ ଟଙ୍କା ମୂଲ୍ୟର ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରିଛି । ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳରୁ ଅନ୍ତଃରାଜ୍ୟ ନିଶା ବେପାରୀମାନେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ ମାଛକୁଣ୍ଡ ପୁଲିସକୁ ପୂର୍ବରୁ ଗୁପ୍ତ ସୂଚନା ମିଳିଥିଲା । ଏହି ସୂଚନାକୁ ଭିତ୍ତି କରି ପୁଲିସ ପକ୍ଷରୁ ତୁରନ୍ତ ଏକ ବିଶେଷ ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ବାଦିଗଡ଼ ଗାଁ ନିକଟସ୍ଥ ମୁଖ୍ୟ ରାସ୍ତାରେ ଛକି ରହି ନାକାବନ୍ଦୀ ଓ କଡ଼ା ଯାଞ୍ଚ ଆରମ୍ଭ କରିଥିଲା ।

ଯାଞ୍ଚ ସମୟରେ ଆନ୍ଧ୍ରପ୍ରଦେଶ ପଟୁ ଏକ ପିକଅପ୍ ଭ୍ୟାନ୍ ଅତ୍ୟନ୍ତ ଦ୍ରୁତ ଗତିରେ ଆସୁଥିବା ପୁଲିସ ଦେଖିବାକୁ ପାଇଥିଲା। ସନ୍ଦେହ ହେବାରୁ ପୁଲିସ ଟିମ୍ କୌଶଳକ୍ରମେ ଗାଡ଼ିଟିକୁ ଅଟକାଇଥିଲା । ପିକଅପ୍ ଭ୍ୟାନ୍ର ପଛପଟ ଡାଲା ଯାଞ୍ଚ କରିବା ବେଳେ ୨୭ଟି ବଡ଼ ଜରି ବ୍ୟାଗ୍ ହସ୍ତଗତ ହୋଇଥିଲା । ସେଥିରୁ ବିପୁଳ ପରିମାଣର ଓଦା ଗଞ୍ଜେଇ ମିଳିଥିଲା, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ପୁଲିସ ଘଟଣାସ୍ଥଳରୁ ଗଞ୍ଜେଇ ସହ ପିକଅପ୍ ଭ୍ୟାନ୍ଟିକୁ ଜବତ କରିବା ସହ ଗାଡ଼ିରେ ଥିବା ଗଞ୍ଜେଇ ମାଫିଆକୁ ସଙ୍ଗେ ସଙ୍ଗେ ଗିରଫ କରି ଥାଣାକୁ ଆଣିଛି । ଏହି ଚୋରା ଚାଲାଣ ରାକେଟ୍ ପଛରେ ଅନ୍ୟ କାହାର ହାତ ରହିଛି, ଗଞ୍ଜେଇ କେଉଁଠାରୁ ଅଣାଯାଇ କେଉଁ ରାଜ୍ୟକୁ ପଠାଯାଉଥିଲା, ସେ ନେଇ ଗିରଫ ଅଭିଯୁକ୍ତକୁ ଅଧିକ ପଚରାଉଚୁରା କରାଯାଉଛି । ଏହି ଆନ୍ତଃରାଜ୍ୟ ଗଞ୍ଜେଇ କାରବାରର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ମାଛକୁଣ୍ଡ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଆହୁରି ଜୋରଦାର କରିଛି ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button