Shubhashree Missing Mystery: ଶୁଭଶ୍ରୀ ନିଖୋଜ ଘଟଣାର ମିଳୁନି ଖିଅ, ଜେଜେଙ୍କ ଏତଲା ପରେ ବଢିଲା ରହସ୍ୟ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୦୩/୧୦: ସସ୍ପେନ୍ସ ବଢ଼ାଇଲା ୧୯ ବର୍ଷୀୟ ଯୁବତୀ ଶୁଭଶ୍ରୀ ଦାସଙ୍କ ନିଖୋଜ ମାମଲା । ରାଜନଗର ଥାନା ଅଧୀନ ରାଜପୁର ଗାଁର ଶୁଭଶ୍ରୀ ନିଖୋଜ ହେବାର ୫ ଦିନ ପରେ ତାଙ୍କ ଜେଜେ ଶୁକଦେବ ଦାସ ଏତଲା ଦେଇଛନ୍ତି ଓ ତାଙ୍କ ଏତଲା ଘଟଣାକୁ ଅଧିକ ରହସ୍ୟାବୃତ୍ତ କରି ରଖିଛି । ଜେଜେଙ୍କ ଏତଲା ଅନୁଯାୟୀ ଶୁଭଶ୍ରୀ ନିଖୋଜ ହେବା ଦିନ ତାଙ୍କ ବାପାମା’ କେହି ଘରେ ନଥିଲେ । ଗତକାଲି ଶୁଭଶ୍ରୀଙ୍କ ବାପା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ତାଙ୍କ ଝିଅ ମାନସିକ ରୋଗୀ ।
ଜେଜେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ନାତୁଣୀ ଦାନ୍ତ ଘଷି ଘଷି ଘରୁ ବାହାରକୁ ଚାଲିଯାଇଥିଲା । ସେ କାହା କଥା ମାନେନା । ଖୋଜିଖୋଜି ପାଇଲୁନି । ତେଣୁ ଥାନାରେ ଏତଲା ଦେଇଛୁ । ହେଲେ ଶୁଭଶ୍ରୀ ମାନସିକ ରୋଗୀ ଥିବା କଥା ପ୍ରସଙ୍ଗରେ ସେ କିଛି କହିନଥିଲେ । ପୁଣି ଶୁଭଶ୍ରୀ ନିଖୋଜ ବାବଦରେ ତାଙ୍କ ବାପାମା’ କେହି ଏତଲା ନଦେଇ ଜେଜେବାପା କାହିଁକି ଏତଲା ଦେବାକୁ ଆସିଲେ ଏହା ପଛରେ କିଛି ଷଡ଼ଯନ୍ତ୍ର ନାହିଁ ତ? ଅନ୍ୟପକ୍ଷେ ଗତ ୫ ଦିନ ହେବ ଅଗ୍ନିଶମ ବାହିନୀ ହଂସୁଆ ନଦୀରେ ଖୋଜାଖୋଜି କରୁଥିବା ବେଳେ ମୃତଦେହ କେମିତି ମିଳିବ ତାକୁ ନେଇ ପ୍ରଶ୍ନ ଉଠିଛି ।
ପଥର ବନ୍ଧା ହୋଇଥିଲେ କେମିତି ମିଳିବ ମୃତଦେହ?
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଶୁଭଶ୍ରୀଙ୍କ ମୃତଦେହ ଠାବ ହେଲା ପରେ ତାଙ୍କ ପରିବାର ସଦସ୍ୟ ୩ଟି ପଥର ବାନ୍ଧି ତାଙ୍କୁ ମଝି ନଈରେ ବୁଡ଼ାଇ ଦେଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କଥା ଯଦି ସତ୍ୟ ହୋଇଥାଏ ଓ ଶୁଭଶ୍ରୀଙ୍କୁ ମଝି ନଈରେ ପଥର ଖଣ୍ଡ ବାନ୍ଧି ବୁଡ଼ାଇ ଦିଆଯାଇଥାଏ ତା’ ହେଲେ ତାଙ୍କୁ ଅଗ୍ନିଶମ ବିଭାଗ ଠାବ କରିବ କେମିତି? ଅନ୍ୟପକ୍ଷେ ପୁଲିସ ଶୁଭଶ୍ରୀଙ୍କ ମୃତଦେହ ଅପେକ୍ଷାରେ ଅଛି । ମୃତଦେହ ମିଳିବ ଓ ତଦନ୍ତ ତ୍ୱରାନ୍ୱିତ ହେବ । ଶୁଭଶ୍ରୀ ସେପ୍ଟେମ୍ବର ୨୫ରୁ ନିଖୋଜ ଥିବା ବେଳେ ଗତ ୪ ଦିନ ତଳେ ତାଙ୍କର ମୃତଦେହ ହଂସୁଆର ଗର୍ଜନପୁର ନିକଟରୁ ଠାବ କରାଯାଇଥିଲା ।
ସୌଜନ୍ୟ ପ୍ରମେୟ




