Shaktikanta Das: ଢାଞ୍ଚାଗତ ସଂସ୍କାର ଜାରି ରହୁ: ଶକ୍ତିକାନ୍ତ
ଗତ ଦଶନ୍ଧିରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଦେଶର ଅର୍ଥନୀତିକୁ ଅଧିକ ସୁଦୃଢ଼ ଓ ବାହ୍ୟ ଝଟକାରୁ ସୁରକ୍ଷା ପ୍ରଦାନ କରୁଛି। ସେହି ଢାଞ୍ଚାଗତ ସଂସ୍କାର ପ୍ରକ୍ରିୟାକୁ ସରକାର ଆଗାମୀ ଦିନରେ ଜାରି ରଖିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ପ୍ରମୁଖ ସଚିବ-୨...

ମୁମ୍ବାଇ: ଗତ ଦଶନ୍ଧିରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଦେଶର ଅର୍ଥନୀତିକୁ ଅଧିକ ସୁଦୃଢ଼ ଓ ବାହ୍ୟ ଝଟକାରୁ ସୁରକ୍ଷା ପ୍ରଦାନ କରୁଛି। ସେହି ଢାଞ୍ଚାଗତ ସଂସ୍କାର ପ୍ରକ୍ରିୟାକୁ ସରକାର ଆଗାମୀ ଦିନରେ ଜାରି ରଖିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ପ୍ରମୁଖ ସଚିବ-୨ ଶକ୍ତିକାନ୍ତ ଦାସ କହିଛନ୍ତି। ଯେଉଁ ସବୁ କ୍ଷେତ୍ରରେ ଅନ୍ୟ ଦେଶଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼ୁଛି, ସେହି କ୍ଷେତ୍ରଗୁଡ଼ିକରେ ସ୍ଥାନୀୟ ଉତ୍ପାଦନ ବଢ଼ାଇବାକୁ ସେ ପରାମର୍ଶ ଦେଇଛନ୍ତି।
ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଲେ, ଭାରତର ଅର୍ଥନୈତିକ ସ୍ଥାୟିତ୍ବ କୌଣସି ଆକସ୍ମିକ ଘଟଣା ନୁହେଁ। ବିଗତ ବର୍ଷଗୁଡ଼ିକରେ ଗ୍ରହଣ କରାଯାଇଥିବା ସଂସ୍କାରର ତାହା ହେଉଛି ଫଳ। ନମନୀୟ ମୁଦ୍ରାସ୍ଫୀତି ଲକ୍ଷ୍ୟ, ଜିଏସ୍ଡି, ଡିଜିଟାଲ୍ ପେମେଣ୍ଟ, ବ୍ୟାଙ୍କ କ୍ଷେତ୍ରରେ ସଂସ୍କାର ଓ ଆର୍ଥିକ ଦୃଢ଼ତା ଭଳି ପଦକ୍ଷେପ ସଙ୍କଟ ଆସିବାର ବହୁ ପୂର୍ବରୁ ଗ୍ରହଣ କରାଯାଇଥିଲା। ସେଥିପାଇଁ ଯେତେବେଳେ ବିଶ୍ବସ୍ତରରେ ବଡ଼ ସଙ୍କଟ ଦେଖାଦେଲା, ତାହାର ଚାପକୁ ଭାରତ ସହଜରେ ସହ୍ୟ କରିନେଇଥିଲା।
ଆତ୍ମନିର୍ଭରଭାରତ କାର୍ଯ୍ୟକ୍ରମକୁ ବିଶ୍ବଠାରୁ ନିଜକୁ ଅଲଗା ରଖିବାର ଏକ ଉଦ୍ୟମ ଭାବେ ବିଚାର ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଏହା ଜରିଆରେ ଘରୋଇ କ୍ଷମତା ବୃଦ୍ଧି କରାଯାଉଛି ଓ ଦେଶ ବିଶ୍ବ ବଜାର ସହ ପୂର୍ବଭଳି ଯୋଡ଼ିହୋଇରହିବ। ବିଶେଷ କରି ଗୁରୁତ୍ବପୂର୍ଣ୍ଣ ବିନିର୍ମାଣ, ପ୍ରତିରକ୍ଷାଉତ୍ପାଦନ ଓ କ୍ରିଟିକାଲ୍ ପ୍ରଯୁକ୍ତି ବିଦ୍ୟାରେ ବିଶ୍ବସ୍ତରୀୟ ସହଯୋଗିତା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଗ୍ରିନ୍ ହାଇଡ୍ରୋଜେନ୍, ସ୍ଥାୟୀ କୃଷି ଓ ସର୍କୁଲାର ଇକୋନମି ଦେଶର ଅଭିବୃଦ୍ଧିକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବ ବୋଲି ସେ ଜଣାଇଛନ୍ତି। ଶକ୍ତି ସୁରକ୍ଷା ସୁଦୃଢ଼ କରିବାକୁ ସମୁଦ୍ର ମନ୍ଥନ କାର୍ଯ୍ୟକ୍ରମ ଅଧୀନରେ ଗଭୀର ସମୁଦ୍ରରେ କରାଯାଉଥିବା ଅନ୍ବେଷଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ




