Accident: ସୈନିକଙ୍କ ମୃତଦେହ ଆଣୁଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ; ୪ ଜଣ ମୃତ
ଉତ୍ତର ପ୍ରଦେଶରେ ଏକ ଦୁଃଖଦ ଘଟଣାକ୍ରମେ ଜଣେ ସୈନିକଙ୍କ ମୃତଦେହ ଆଣୁଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଛି ଓ ୩ ଜଣ ଆହତ ହୋଇଛନ୍ତି। ମୃତ ସୈନିକଙ୍କ ପରିବାରର ୩ ଜଣ ପୁରୁଷ ସଦସ୍ୟଙ୍କର ଦୁର୍ଘଟଣାରେ ମୃତ୍ୟୁ...

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଏକ ଦୁଃଖଦ ଘଟଣାକ୍ରମେ ଜଣେ ସୈନିକଙ୍କ ମୃତଦେହ ଆଣୁଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଛି ଓ ୩ ଜଣ ଆହତ ହୋଇଛନ୍ତି। ମୃତ ସୈନିକଙ୍କ ପରିବାରର ୩ ଜଣ ପୁରୁଷ ସଦସ୍ୟଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାର ରୁଦ୍ରପୁର ଅଞ୍ଚଳର ଗାଲିଆ ଦୁଧୈଲା ଗାଁର ବାସିନ୍ଦା ସୁବେଦାର ମେଜର ସତ୍ୟବାନଙ୍କ ମୃତଦେହ ସହିତ ଏହି ଚାରି ଜଣ ଯାଉଥିଲେ।
ସୁବେଦାର -ମେଜର ସତ୍ୟବାନଙ୍କ ମୃତଦେହ ଚଣ୍ଡୀଗଡ଼ରୁ ଏକ ଆମ୍ବୁଲାନ୍ସ ଯୋଗେ ପୈତୃକ ଗାଁକୁ ଆଣୁଥିବା ସମୟରେ ପୂର୍ବାଞ୍ଚଳ ଏକ୍ସପ୍ରେସ୍ୱେର ହାଲିୟାପୁର ନିକଟରେ ପୂର୍ବରୁ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଆମ୍ବୁଲାନ୍ସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ରୁଜୁ ଯାଇଥିଲା। ଗ୍ୟାସ୍ କଟର୍ରେ ଗାଡ଼ିକୁ କାଟି ମୃତଦେହ ବାହାର କରାଯାଇଥିଲା। ମୃତ ସୈନିକଙ୍କ ପୁଅ ଗୌରବ ସିଂହ (୨୮), ଆମ୍ବୁଲାନ୍ସ ଡ୍ରାଇଭର ଯଶପାଲ (୩୦)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସୈନିକଙ୍କ ଭାଇ ରଞ୍ଜନ ଚୌଧୁରୀ (୩୫) ଓ ପୁତୁରା ରାମ ସମୁଝ ସିଂହ (୪୦)ଙ୍କର ଅଯୋଧ୍ୟାର ଏକ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ସମୟରେ ମୃତ୍ୟୁ ହୋଇଥିଲା। ପୁଲିସ କହିଛି ଯେ, ଆମ୍ବୁଲାନ୍ସ ନିୟନ୍ତ୍ରଣ ହରାଇ ଟ୍ରକ୍କୁ ଧକ୍କା ଦେଇଥିଲା। ପୁଲିସ ମୃତଦେହଗୁଡ଼ିକ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସୁବେଦାର ମେଜରଙ୍କ ମୃତଦେହ ହାଲିୟାପୁର ପୁଲିସ ଷ୍ଟେସନରେ ରଖାଯାଇଛି।
ସୌଜନ୍ୟ ସମ୍ବାଦ




