BJP: ନିଜ ବିଫଳତା ପାଇଁ ନିର୍ବାଚନ ବ୍ୟବସ୍ଥାକୁ କଂଗ୍ରେସ ଦାୟୀ କରିପାରିବ ନାହିଁ: ବିଜେପି
ଦେଶର ନିର୍ବାଚନ ପ୍ରକ୍ରିୟା ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନକୁ ନେଇ ବିରୋଧୀ ଦଳଗୁଡ଼ିକ କରୁଥିବା ସମାଲୋଚନା ଉପରେ ରବିବାର ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି।

ନୂଆଦିଲ୍ଲୀ: ଦେଶର ନିର୍ବାଚନ ପ୍ରକ୍ରିୟା ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ ବିରୋଧୀ ଦଳଗୁଡ଼ିକ କରୁଥିବା ସମାଲୋଚନା ଉପରେ ରବିବାର ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି।
ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ କଂଗ୍ରେସ ନିଜର ବାରମ୍ବାର ରାଜନୈତିକ ପରାଜୟ ଯୋଗୁଁ ନିରାଶ ହୋଇ ଭାରତର ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଉଛି। ନିଜର ବିଫଳତା ଲୁଚାଇବା ପାଇଁ ଦଳ ନିର୍ବାଚନ ପ୍ରକ୍ରିୟାକୁ ଅବୈଧ କହି ୧୪୦ କୋଟି ଜନତାଙ୍କ ଜନାଦେଶକୁ ଅପମାନିତ କରୁଛି ଏବଂ ଏଥିପାଇଁ କଂଗ୍ରେସ ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍। ସେ କରିଛନ୍ତି ଯେ, ଅତୀତରେ ଯେତେବେଳେ ବାଲଟ୍ ପେପର ଲୁଟ୍ ହେଉଥିଲା, ବୁଥ୍ ଜବରଦଖଲ କରାଯାଉଥିଲା ଏବଂ ନିର୍ବାଚନ ସମୟରେ ବ୍ୟାପକ ହିଂସା ତଥା ହତ୍ୟାକାଣ୍ଡ ଘଟୁଥିଲା, କେବଳ ସେହି ସମୟରେ ହିଁ କଂଗ୍ରେସ ନିର୍ବାଚନ ଜିତୁଥିଲା।
ସାଂସଦ ତ୍ରିବେଦୀ ତଥ୍ୟ ଉପସ୍ଥାପନ କରି କହିଛନ୍ତି ଯେ, ନିର୍ବାଚନ ବ୍ୟବସ୍ଥାରେ ସିସିଟିଭି ଏବଂ ସ୍ୱାଧୀନ ଗଣମାଧ୍ୟମର ପ୍ରଭାବ ବୃଦ୍ଧି ପାଇବା ସହ ଏହା ଯେତେବେଳେ ସ୍ୱଚ୍ଛ ଓ ଆଇନଗତ ହେଲା, ସେବେଠାରୁ କଂଗ୍ରେସ ହାତରୁ କ୍ଷମତା ଖସିବାରେ ଲାଗିଛି। ସେ ଉଦାହରଣ ଦେଇ କହିଛନ୍ତି ଯେ ୧୯୮୫ ବିହାର ନିର୍ବାଚନରେ ପ୍ରାୟ ୮୩ ଟି ହତ୍ୟାକାଣ୍ଡ ଘଟିଥିଲା ଏବଂ ୧୯୯୫ ରେ ହିଂସା ଯୋଗୁଁ ଚାରିଥର ମତଦାନ ସ୍ଥଗିତ କରିବାକୁ ପଡ଼ିଥିଲା। ଏପରିକି ୧୯୮୯ ମସିହାରେ ଆମେଥିରେ ରାଜୀବ ଗାନ୍ଧୀଙ୍କ ନିର୍ବାଚନ ସମୟରେ ମଧ୍ୟ ଗୁଳିମାଡ଼ ହୋଇଥିଲା।
ସୌଜନ୍ୟ ସମ୍ବାଦ




