ଦେଶ ବିଦେଶ

SIR Controversy: ଏସ୍‌ଆଇଆର୍ ବିବାଦ: ବିବାଦୀୟ ଫର୍ମ-୬ ନେଇ ସୁପ୍ରିମ୍‌କୋର୍ଟଙ୍କ କଡ଼ା ଆଭିମୁଖ୍ୟ, ଆମେ କରିନୁ, କିଏ କରିଛି ଦେଖିବୁ

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍‌)କୁ ନେଇ ଜାରି ରହିଥିବା ତୀବ୍ର ବିବାଦ ମଧ୍ୟରେ ସୁପ୍ରିମ୍‌କୋର୍ଟ ସୋମବାର ଏକ ବଡ଼ ସ୍ପଷ୍ଟୋକ୍ତି ପ୍ରକାଶ କରିଛନ୍ତି। ନୂତନ ଭୋଟର ପଞ୍ଜୀକରଣ...

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍‌)କୁ ନେଇ ଜାରି ରହିଥିବା ତୀବ୍ର ବିବାଦ ମଧ୍ୟରେ ସୁପ୍ରିମ୍‌କୋର୍ଟ ସୋମବାର ଏକ ବଡ଼ ସ୍ପଷ୍ଟୋକ୍ତି ପ୍ରକାଶ କରିଛନ୍ତି। ନୂତନ ଭୋଟର ପଞ୍ଜୀକରଣ ପାଇଁ ବ୍ୟବହୃତ ହେଉଥିବା ‘ଫର୍ମ-୬’ରେ କରାଯାଇଥିବା କୌଣସି ସଂଶୋଧନକୁ ଅଦାଲତ ଅନୁମୋଦନ କରିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ସଂଶୋଧିତ ଫର୍ମ-୬ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଅନୁମୋଦିତ ହୋଇନାହିଁ ଏବଂ ଏହା କୋର୍ଟ ସ୍ପଷ୍ଟ କରିଦେବାକୁ ଚାହାନ୍ତି। ଏହି ଫର୍ମରେ କିଏ ଏବଂ କେଉଁ ଆଧାରରେ ପରିବର୍ତ୍ତନ କରିଛି, ତାହା ଜାଣିବା ପାଇଁ କୋର୍ଟ ସମସ୍ତ ମୂଳ ରେକର୍ଡ ଯାଞ୍ଚ କରିବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି।   ଗତ ସେପ୍ଟେମ୍ବର ୨୮ ତାରିଖରେ ନିର୍ବାଚନ କମିସନ ଏକ ପ୍ରେସ ବିବୃତି ଜାରି କରି କହିଥିଲେ ଯେ ଫର୍ମ-୬ ସହ ଯୋଡ଼ାଯାଇଥିବା ନୂତନ ଘୋଷଣାପତ୍ରକୁ ସୁପ୍ରିମ୍‌କୋର୍ଟ କାଏମ ରଖିଛନ୍ତି, ଯାହାକୁ ଆଜି ପ୍ରଧାନ ବିଚାରପତି ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରକୃତ ବିବାଦଟି ହେଉଛି, ୨୦୨୫ ମସିହାରେ ଏସ୍ଆଇଆର୍ ପ୍ରକ୍ରିୟା ସମୟରେ ଅନ୍‌ଲାଇନ୍ ଫର୍ମ-୬ରେ ‘ଆନେକ୍ସର ଡି’ ନାମକ ଏକ ଅତିରିକ୍ତ ଘୋଷଣାପତ୍ର ଯୋଡ଼ାଯାଇଥିଲା, ଯେଉଁଥିରେ ନୂତନ ଭୋଟରମାନଙ୍କୁ ସେମାନଙ୍କର କିମ୍ବା ସେମାନଙ୍କ ପିତାମାତା କିମ୍ବା ଜେଜେବାପାଙ୍କ ପୂର୍ବ ମତଦାତା ତାଲିକାର ତଥ୍ୟ ଲିଙ୍କ୍ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା। ଗତ ଜୁଲାଇରେ ଏହି ବ୍ୟବସ୍ଥା ଅନ୍‌ଲାଇନ୍ ପ୍ରକ୍ରିୟାରେ ସାମିଲ ହେବା ପରେ ବିବାଦ ତୀବ୍ର ହୋଇଥିଲା।

ଅପରପକ୍ଷରେ, ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ନିଲମ୍ବନ ଦାବି ଏବଂ ଏସ୍ଆଇଆର୍ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି କୌଣସି ଏକପାଖିଆ ଅନ୍ତରୀଣ ଆଦେଶ ଦେବାକୁ ମନା କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚି ଓ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗମ୍ଭୀର ଅଭିଯୋଗ ଉପରେ ପ୍ରଥମେ ନିର୍ବାଚନ କମିସନ ଏବଂ ଅନ୍ୟ ପ୍ରତିପକ୍ଷଙ୍କ ଜବାବ ଲୋଡ଼ିଛନ୍ତି। ଅଦାଲତ ଏହି ମାମଲାରେ କେନ୍ଦ୍ର ସରକାର, ଭାରତୀୟ ନିର୍ବାଚନ କମିସନ (ଇସିଆଇ), ସିଇସି ଜ୍ଞାନେଶ କୁମାର, ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ, ବିବେକ ଯୋଶୀ, ଉପ ନିର୍ବାଚନ କମିସନର ମନୀଷ ଗର୍ଗ ଏବଂ ଆଇଟି ମହାପ୍ରବନ୍ଧକ ସୀମା ଖାନ୍ନାଙ୍କୁ ନୋଟିସ୍ ଜାରି କରିଛନ୍ତି। ଆବେଦନକାରୀ ରାକେଶ କୁମାର ସିଂହଙ୍କ ପକ୍ଷରୁ ହାଜର ହୋଇ ବରିଷ୍ଠ ଆଇନଜୀବୀ ବିକାଶ ସିଂହ ଯୁକ୍ତି ବାଢ଼ିଥିଲେ ଯେ, ସିଇସି  ନିଯୁକ୍ତି ପ୍ରକ୍ରିୟା ଆଇନ ଏବେ ବୃହତ୍ତର ଖଣ୍ଡପୀଠରେ ବିଚାରାଧୀନ ଥିଲେ ହେଁ, ବର୍ତ୍ତମାନ ପ୍ରତ୍ୟେକ ନାଗରିକ ନିଜର ମତାଧିକାରକୁ ନେଇ ଅସୁରକ୍ଷିତ ମନେ କରୁଥିବାରୁ ତୁରନ୍ତ କିଛି ଅନ୍ତରୀଣ ପଦକ୍ଷେପ ଆବଶ୍ୟକ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button