ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍ଏଚ୍-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ଶୋଚନୀୟ ଭାବେ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ଜାତୀୟ ରାଜପଥର ଛୁଇଁବନ୍ଧ ନିକଟରେ ଏକ ଟ୍ରକ୍ ପଛରେ ପିଟି ହୋଇଥିଲା ଏକ ପିକଅପ୍ ଗାଡ଼ି । ଧକ୍କା ଏତେ ଜୋରଦାର ଥିଲା ଯେ, ପିକଅପ୍ ଗାଡ଼ିରେ ଥିବା ଦୁଇ ଜଣଙ୍କ ଜୀବନ ଘଟଣାସ୍ଥଳରେ ହିଁ ଚାଲିଯାଇଥିଲା । ଘଟଣା ପରେ ରାସ୍ତାରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖାଦେଇଥିଲା ।
ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଇଁତଲା ପୋଲିସ । ପିକଅପ୍ରେ ଚାପି ହୋଇଥିବା ମୃତକଙ୍କୁ ଉଦ୍ଧାର କରାଯିବା ସହ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଟ୍ରକ୍ ଡ୍ରାଇଭର୍ଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ପ୍ରାଥମିକ ତଦନ୍ତରୁ ଟ୍ରକ୍ ପଛରେ ପିକଅପ୍ ଧକ୍କା ଦେଇଥିବା ସୂଚନା ମିଳିଛି ।
ତେବେ ଦୁର୍ଘଟଣା ସମୟରେ ଟ୍ରକ୍ଟି ରାସ୍ତାରେ ଚାଲୁଥିଲା ନା ଛିଡ଼ା ହୋଇଥିଲା ଜଣାପଡିନାହିଁ । ପୋଲିସର ତଦନ୍ତ ପରେ ହିଁ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ।
ସୌଜନ୍ୟ ଧରିତ୍ରୀ




