Weather Forecast: ଶରତରେ ଗ୍ରୀଷ୍ମ ଜ୍ୱାଳା, ସ୍ୱାଭାବିକଠୁ ୪.୩ ଡିଗ୍ରୀ ଅଧିକ ପରଦ; ଏଥର ସୁପର ଏଲ୍-ନିନୋ ପ୍ରକୋପ ହଜାଇ ଦେବ ଶୀତ

ଭୁବନେଶ୍ୱର,୦୬/୧୦: ଗ୍ରୀଷ୍ମ ଯାଇ ବର୍ଷା ସରିଲାଣି । ଇଏ କ’ଣ? ଦିନରେ ଅସହ୍ୟ ତାତି! ଏଇଟା ଅକ୍ଟୋବର ନା ମାର୍ଚ୍ଚ ମାସ? ଏତେ ଟାଇଁଟାଇଁ ଖରା ଯେ ଦେହ ମୁଣ୍ଡ ଝାଇଁ ଝାଇଁ କରି ଦେଉଛି । ଖାଲି ଦିନ ନୁହେଁ, ରାତି ବି ଥଣ୍ଡା ପଡ଼ୁନି । ନା’କୁ କେବଳ ଶରତ, ଗ୍ରୀଷ୍ମ ଜ୍ୱାଳା ଯାଉନି ।
ବିଶେଷଜ୍ଞଙ୍କ ମତ, ସୁପର ଏଲ୍-ନିନୋ ପ୍ରକୋପ ଏଥର ଶୀତକୁ ହଜାଇ ଦେବ । ଅକ୍ଟୋବରରୁ ଝଲକ ଦେଖାଇଲାଣି । ଆଗକୁ ସ୍ଥିତି ଆହୁରି ଅସ୍ୱାଭାବିକ ହେବ । ଅକ୍ଟୋବରରେ ବର୍ଷା ପୂରା ଗାଏବ ହୋଇଯାଇଛି । ରେକର୍ଡ ଭାଙ୍ଗୁଛି ଦିନ ତାପମାତ୍ରା । ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ସେଲସିୟସ୍ ଉପରେ । ରାତିରେ ବି ନିସ୍ତାର ନାହିଁ । ଅସ୍ୱାଭାବିକ ଗରମରେ ସନ୍ତୁଳି ହେଉଛି ଜନଜୀବନ । ପ୍ରାୟତଃ ତାପମାତ୍ରା ୩୫-୩୬ ଡିଗ୍ରୀ ସେଲସିୟସ୍ ଉପରେ । ଉପକୂଳ ଓଡ଼ିଶାରେ ଅସ୍ୱାଭାବିକ ଗରମ । ସବୁଠାରୁ ଆନନ୍ଦଦାୟକ ହାଲୁକା ଶୀତୁଆ ଋତୁ ଶରତକୁ ଯେମିତି ମାଡ଼ି ଆସିଛି ଅଦିନିଆ ଗ୍ରୀଷ୍ମ । ନୟାନ୍ତ କଲାଣି ଡହଡହ ଖରା ।
ପୁରୀରେ ସୋମବାର ଦିନ ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ୍ ଥିଲା । ସ୍ୱାଭାବିକଠାରୁ ୪.୧ ଡିଗ୍ରୀ ଅଧିକ । ଅର୍ଥାତ୍ ଦିନ ତାପମାତ୍ରା ୩୨ ଡିଗ୍ରୀ ପାଖାପାଖି ରହିବା କଥା । ପାରାଦୀପରେ ପାରଦ ୩୬.୫ ଡିଗ୍ରୀ ଛୁଇଁଲା । ସ୍ୱାଭାବିକ ତୁଳନାରେ ୪.୩ ଡିଗ୍ରୀ ଅଧିକ । ଭୁବନେଶ୍ୱର ତାପମାତ୍ରା ୩୫.୮ ଡିଗ୍ରୀ ସେଲସିୟସ୍ । ରହିବା କଥା ୩୨.୩ ଡିଗ୍ରୀ ଭିତରେ । ଚାନ୍ଦବାଲି ତାପମାତ୍ରା ବି ୩୫.୮ ଡିଗ୍ରୀ ଥିଲା । ପ୍ରାୟ ୧୨ଟି ସ୍ଥାନରେ ପାରଦ ୩୫ ଡିଗ୍ରୀ ଟପିଥିଲା ।
ଚିନ୍ତାର ବିଷୟ ହେଲା, ଏଥର ରେକର୍ଡ ଭାଙ୍ଗିଲାଣି ଅକ୍ଟୋବର ମାସ ତାତି । ପୁରୀ ଓ ପାରାଦୀପରେ ଆଜିର ତାରିଖରେ ଅକ୍ଟୋବର ମାସର ଦ୍ୱିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ୧୮୯୬ରୁ ୨୦୨୬ ଭିତରେ ଦ୍ୱିତୀୟ ଥର ପାଇଁ ପୁରୀ ଏତେ ଉତ୍ତପ୍ତ ଅନୁଭୂତ ହୋଇଛି । ୨୦୨୪ ଅକ୍ଟୋବର ୧ରେ ପୁରୀର ସର୍ବୋଚ୍ଚ ତାପମାତ୍ରା ୩୬.୭ ଡିଗ୍ରୀ ଥିଲା, ଏ ବର୍ଷ ୩୬.୬ ଡିଗ୍ରୀ ଛୁଇଁଛି । ସେହିପରି ୨୦୨୪ ଅକ୍ଟୋବର ୪ ତାରିଖରେ ପାରାଦୀପ ତାପମାତ୍ରା ୩୬.୭ ଡିଗ୍ରୀ ଥିଲା । ଏହା ପାରାଦୀପ ପାଇଁ ସର୍ବକାଳୀନ ଅକ୍ଟୋବର ତାତି । ୩୬.୫ ଡିଗ୍ରୀ ଛୁଇଁଛି । ୨୦୨୩ରେ ଏଲ୍-ନିନୋ ପ୍ରଭାବ ରହିଥିବାବେଳେ ୨୦୨୪ ପ୍ରଚଣ୍ଡ ଉଷ୍ମ ରହିଥିଲା । ବର୍ତ୍ତମାନ ଏଲ୍-ନିନୋର ଚରମ ପ୍ରଭାବ ରହିଥିବାବେଳେ ଆଗକୁ ପରିବେଶ ଆହୁରି ତାତିବା ଆଶଙ୍କା ରହିଛି । ସକାଳୁ ହିଁ ଖରା ପ୍ରକୋପ ବଢ଼ିଯାଉଛି । ଦିନ ତମାମ ଖରା ଲାଗି ରହୁଛି ।
ବିଶେଷଜ୍ଞଙ୍କ କହିବାନୁସାରେ ବର୍ତ୍ତମାନ ଆକାଶ ମେଘମୁକ୍ତ । ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ କେବଳ ସକାଳ ଓ ସନ୍ଧ୍ୟାରେ ରହୁଛି । ମାତ୍ର ଖରା ବଢ଼ିବା ସହ ଜଳୀୟବାଷ୍ପ ରହୁନି । ସମୁଦ୍ରରୁ ପବନ ଆଦୌ ପ୍ରବାହିତ ହେଉନି । ତେଣୁ ଅସ୍ୱାଭାବିକ ଭାବେ ଭାଦ୍ରବ ମାସର ପାଣି ଖରା ଭଳି ଟାଇଁ ଟାଇଁ ଖରା ନାକେଦମ କରୁଛି ।
ସୌଜନ୍ୟ ପ୍ରମେୟ




