ରାଜ୍ୟ

College Election: ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ୨ ଗୋଷ୍ଠୀ ମୁହାଁମୁହିଁ, ୯ ଅଟକ, ପୁଲିସର ଛାନ୍‌ଭିନ୍‌

ବ୍ରହ୍ମପୁର,୦୬/୧୦: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଅଶାନ୍ତ । ସୋମବାର ଅପରାହ୍ଣରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଆକ୍ରମଣ ଓ ପ୍ରତିଆକ୍ରମଣ ଅଭିଯୋଗ ପରେ ଦୁଇ ଗୋଷ୍ଠୀରୁ ୯ ଜଣ ଛାତ୍ରଙ୍କୁ ଅଟକ ରଖାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି  ଅଭିନବ ସୋନକର । କ୍ୟାମ୍ପସ୍‌ରେ ପୁଲିସ ଫୋର୍ସ ମୁତୟନ ହୋଇଛି । ପୁଲିସ କ୍ୟାମ୍ପସ୍‌ରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରିଛି । ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ କ୍ୟାମ୍ପସ୍‌ରେ ଅଶାନ୍ତ ବାତାବରଣ ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି ।

ରାଜନୀତି ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ର ବିକ୍ରମ କୁମାର ଜେନା ଅଭିଯୋଗ କରିଛନ୍ତି ଯେ, ସୋମବାର ଅପରାହ୍ନ ୩ଟା ୩୦ରେ ଜଣେ ପିଜି ଛାତ୍ର ଓ ତାଙ୍କର କିଛି ସହଯୋଗୀ ବିନା ୟୁନିଫର୍ମରେ ଆସି ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ଯାହାଫଳରେ ବାମ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କ ସାଙ୍ଗରେ ଥିବା କିଛି ଛାତ୍ରଙ୍କୁ ଦୁର୍ବ୍ୟବହାର କରିବା ସହ ଦୁଇ ଛାତ୍ରଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ଗାଳିଗୁଲଜ କରିଥିଲେ । କ୍ୟାମ୍ପସକୁ ଆସିଲେ ହାଣିଦେବାକୁ ଧମକ ଦେଲେ । ସେମାନେ ଭୟଭୀତ ହୋଇ କ୍ୟାମ୍ପସ ବାହାରକୁ ଆସି ୧୧୨କୁ ଫୋନ୍ କରି ଥାନାକୁ ଆସି ଘଟଣା ସମ୍ପର୍କରେ ଏତଲା ଦେଇଥିଲେ । କଲେଜ କ୍ୟାମ୍ପସ୍‌ରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ୍ କଲେ ସତ୍ୟତା ଜଣାପଡ଼ିବ ବୋଲି ସେ ଗଣମାଧ୍ୟମକୁ ଜଣାଇଛନ୍ତି । କିନ୍ତୁ ତାଙ୍କ ନାମରେ ମଧ୍ୟ ମିଥ୍ୟାରେ ପାଲଟା ଅଭିଯୋଗ କରି ଥାନାରେ ଅଟକ ରଖାଯାଇଥିବା ସେ କହିଛନ୍ତି ।

ସେପଟେ ଅନ୍ୟଜଣେ ପିଜି ଛାତ୍ର କେ.ସାଇକୁମାର ପାଲଟା ଅଭିଯୋଗ କରି ଏତଲା ଦେଇଛନ୍ତି । ବିକ୍ରମ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି । ଦୁଇ ପକ୍ଷର ଅଭିଯୋଗକୁ ଆଧାର କରି ଦୁଇଟି ମାମଲା ରୁଜୁ ହୋଇଥିବା ଆଇଆଇସି ରାମ ସୁବ୍ରମଣ୍ୟମ୍ ପ୍ରଧାନ କହିଛନ୍ତି । ସୋମବାର ପୂର୍ବାହ୍ନରୁ ହିଁ କ୍ୟାମ୍ପସ୍‌ରେ ଅଶାନ୍ତି କୁହୁଳିଥିଲା । ଗଣ୍ଡଗୋଳରେ ସାମିଲ ଥିବା କିଛି ଛାତ୍ର ଆଉ ଜଣେ ଛାତ୍ରଙ୍କୁ ଆକ୍ରମଣ କରିଥିଲେ । ଯାହାକୁ ନେଇ ସେ ଟାଉନ୍ ଥାନାକୁ ଯାଇ ଏତଲା ଦେଇଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଅପରାହ୍ନରେ ତାହା ଉଗ୍ର ରୂପ ନେଇଥିଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button