Lie-Detector Test: ଜିଆର୍ପି କନ୍ଷ୍ଟେବଲ୍ ସୌମ୍ୟ ହତ୍ୟା ମାମଲା: ଦୁଇ ଯୁବତୀଙ୍କ ହେବ ମିଛଧରା ପରୀକ୍ଷା, ଉଭୟଙ୍କୁ ସହମତି ପାଇଁ କ୍ରାଇମ୍ବ୍ରାଞ୍ଚ ଉଦ୍ୟମ

କଟକ,୦୬/ ୧୦: ବାଲିଅନ୍ତା ଥାନା ଅଞ୍ଚଳରେ ଜିଆର୍ପି କନ୍ଷ୍ଟେବଲ୍ ସୌମ୍ୟରଂଜନ ସ୍ୱାଇଁ ଭିଡ଼ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ ପରେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି । ଏହି ହତ୍ୟା ଘଟଣାର ମୂଳ ଅଭିଯୋଗକାରିଣୀ ଦୁଇ ଯୁବତୀଙ୍କ ପଲିଗ୍ରାଫ୍ ଟେଷ୍ଟ ବା ମିଛଧରା ପରୀକ୍ଷା କରିବାକୁ କ୍ରାଇମବ୍ରାଞ୍ଚ ନିଷ୍ପତ୍ତି ନେଇଛି । ଅବଶ୍ୟ ଏଥିପାଇଁ ଅଭିଯୋଗକାରିଣୀଙ୍କ ସହମତି ଆବଶ୍ୟକ । ସେଥିପାଇଁ ଉଭୟଙ୍କୁ ରାଜି କରାଇବାକୁ ତଦନ୍ତକାରୀ ଟିମ୍ ଉଦ୍ୟମ କରୁଥିବା କ୍ରାଇମବ୍ରାଞ୍ଚ ଆଇଜି ଡ. ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ଏଥିସହିତ ଘଟଣାରେ ଫେରାର୍ ଥିବା ଅନ୍ୟ ୫ରୁ ଅଧିକ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଜାରି ରହିଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।
ଏହି ମାମଲାରେ ପୂର୍ବରୁ ସୌମ୍ୟଙ୍କ ସାଙ୍ଗ ଓମ୍ପ୍ରକାଶ ରାଉତର ପଲିଗ୍ରାଫ୍ ଟେଷ୍ଟ ଗତ ଜୁଲାଇ ମାସ ୩ ତାରିଖରେ କରାଯାଇଥିଲା । ଏହି ଟେଷ୍ଟରେ ଓମ୍ ଯାହା କହିଥିଲା ତାହା ପୂର୍ବ ବୟାନ ସହିତ ସଂପୂର୍ଣ୍ଣ ମିଶୁଥିବା କ୍ରାଇମବ୍ରାଞ୍ଚ କହିଛି । ତେଣୁ ମାମଲାରେ ଅଧିକ ସ୍ପଷ୍ଟତା ପାଇଁ କ୍ରାଇମ୍ବ୍ରାଞ୍ଚ ମାମଲାର ମୂଳ ଅଭିଯୋଗକାରିଣୀ ଦୁଇ ଯୁବତୀଙ୍କ ପଲିଗ୍ରାଫ୍ ଟେଷ୍ଟ କରିବାକୁ ଚାହୁଁଛି । କାରଣ ଦୁଇ ଯୁବତୀ ସୌମ୍ୟଙ୍କ ବିରୋଧରେ ସଂଗିନ ଅଭିଯୋଗ ଆଣିବା ପରେ ହିଁ ଏଭଳି ଅଭାବନୀୟ ହତ୍ୟାକାଣ୍ଡ ଘଟିଥିଲା । ସେମାନଙ୍କ ଏତଲା ଆଧାରରେ ମାମଲା (କେସ୍ ନଂ ୭/୨୬) ରୁଜୁ କରାଯାଇଥିଲା । ଉଭୟ ଅଭିଯୋଗକାରିଣୀଙ୍କ ବୟାନରେ ଏବେ ବି ସ୍ପଷ୍ଟ ଚିତ୍ର ମିଳୁନଥିବା କୁହାଯାଉଛି । ତେଣୁ ତଦନ୍ତକାରୀ ଟିମ୍ ପଲିଗ୍ରାଫ୍ ଟେଷ୍ଟ କରିବାକୁ ଚାହୁଛି । ଏଥିପାଇଁ ଉଭୟ ଯୁବତୀ ରାଜି ହେବା ପରେ ଟେଷ୍ଟ ପାଇଁ ତାରିଖ ସ୍ଥିର କରାଯିବ । ଯଦି ସେମାନେ ପଲିଗ୍ରାଫ୍ ଟେଷ୍ଟ ପାଇଁ ରାଜି ନହୁଅନ୍ତି ତାହେଲେ ଏହି ପରୀକ୍ଷା କରାଯିବା ସମ୍ଭବ ନୁହେଁ ବୋଲି କ୍ରାଇମ୍ବ୍ରାଞ୍ଚ ସ୍ୱୀକାର କରିଛି ।
ବହୁଚର୍ଚ୍ଚିତ ଏହି ଭିଡ଼ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଗତ ଅଗଷ୍ଟ ପ୍ରଥମ ସପ୍ତାହରେ ଚାର୍ଜସିଟ୍ ଦାଖଲ କରିଥିଲା । ଏହି ଚାର୍ଜସିଟ୍ରେ ୧୧ ଜଣଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଛି । ଅବଶ୍ୟ ବାଲିଅନ୍ତା ଥାନା ପ୍ରଥମେ ଗିରଫ କରିଥିବା ୯ ଜଣ ଅଭିଯୁକ୍ତଙ୍କ ବିରୋଧରେ କୌଣସି ତଥ୍ୟ ପ୍ରମାଣ ନାହିଁ ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି। ଖୁବ୍ଶୀଘ୍ର ମାମଲାରେ ବିଚାର ଆରମ୍ଭ ହୋଇପାରେ ବୋଲି କୁହାଯାଉଛି । ଏହା ସତ୍ତେ୍ୱ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଖୋଲା ରଖିବା ସହ ଦୁଇ ଅଭିଯୋଗକାରିଣୀଙ୍କ ସ୍ପଷ୍ଟ ବୟାନ ପାଇଁ ଉଦ୍ୟମ କରୁଛି ।
ସୌଜନ୍ୟ ପ୍ରମେୟ




