Odisha Malaria Cases : ରାଜ୍ୟରେ ମ୍ୟାଲେରିଆ ସ୍ଥିତି ଚିନ୍ତାଜନକ,ଅଗଷ୍ଟ ସୁଦ୍ଧା ୩୮ହଜାର ମାମଲା ଚିହ୍ନଟ

ଭୁବନେଶ୍ୱର,୬\୧୦: ରାଜ୍ୟରେ ଉପରମୁହାଁ ହେବାରେ ଲାଗିଛି ମ୍ୟାଲେରିଆ । ବିଶେଷକରି ଦୁର୍ଗମ ଓ ପଶ୍ଚିମ ଓଡ଼ିଶାରେ ଏବେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି । ନ୍ୟାସନାଲ ସେଣ୍ଟର ଫର୍ ଭେକ୍ଟର ବର୍ଣ୍ଣ ଡିଜିଜ୍ କଣ୍ଟ୍ରୋଲ(ଏନଭିବିଡିସିପି) ତଥା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ଓଡ଼ିଶାରେ ୩୭,୮୯୯ଟି ମ୍ୟାଲେରିଆ ମାମଲା ଚିହ୍ନଟ ହୋଇଛି । ସେହିପରି ୯ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଗତବର୍ଷ ରାଜ୍ୟରେ ୬୧,୧୩୭ଜଣ ରୋଗୀ ଚିହ୍ନଟ ହୋଇଥିଲେ । ଫଳରେ ଓଡ଼ିଶାରେ ଦେଶରେ ମ୍ୟାଲେରିଆ ରୋଗୀ ଚିହ୍ନଟରେ ଏକ ନମ୍ବର ରାଜ୍ୟ ଥିଲା ।
ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି, ଗତ ୨୦୧୬ରେ ରାଜ୍ୟରେ ୪ଲକ୍ଷ ୪୪ହଜାର ୮୪୨ଜଣ ମ୍ୟାଲେରିଆ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାର ପରବର୍ଷ ଅର୍ଥାତ ୨୦୧୭ରେ ୩ଲକ୍ଷ ୪୭ହଜାର ୮୬୦ ପଜିଟିଭ ଚିହ୍ନଟ ହେଲେ । ବିଶେଷଭାବେ ରାଜ୍ୟର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ସୁନ୍ଦରଗଡ଼, ରାୟଗଡ଼ା, ନୂଆପଡ଼ା, ବୌଦ୍ଧ, ବଲାଙ୍ଗିର ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ଅଧିକ ରୋଗୀ ବାହାରୁଥିଲେ । ରାଜ୍ୟ ସରକାର ଜିରୋ ମ୍ୟାଲେରିଆ ପଦକ୍ଷେପ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଅଭିଯାନ(ଦମନ୍) ଫଳରେ ରୋଗୀଙ୍କ ସଂଖ୍ୟା ଆଶାତୀତ ଭାବେ ଖସିଥିଲା । ୨୦୧୮ରେ ମୋଟ ୬୬,୩୧୧ଜଣ ରୋଗୀ ଚିହ୍ନଟ ହୋଇଥିଲେ । ୨୦୩୦ସୁଦ୍ଧା ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରିବାକୁ ଯୋଜନା ରଖିଛନ୍ତି । ସେଥିପାଇଁ ଦୁର୍ଗମ ଅଞ୍ଚଳରେ ୮୫୩ଜଣ ବିକଳ୍ପ ଜ୍ୱର ଚିକିତ୍ସା କର୍ମୀଙ୍କୁ ନିୟୋଜିତ କରାଯାଇଛି ।
ସୌଜନ୍ୟ ପ୍ରମେୟ




