ରାଜ୍ୟ

Mahaprasad : ଆମିଷ ହୋଟେଲ୍‌ରେ ପରଷା ଯାଉଛି ମହାପ୍ରସାଦ, ବେସର ବାସ୍ନା ହେବାରୁ ପାର୍ସଲ ଧରି ଜବାବ ମାଗିଲେ ଗ୍ରାହକ

ପୁରୀ, ୬/୧୦ : ଆମିଷ ହୋଟେଲରେ ପରଷା ଯାଉଛି ମହାପ୍ରସାଦ । ପୁରୀ ରେଡ୍‌କ୍ରସ୍‌ ରୋଡ଼ରେ ଥିବା ଏକ ଝୁମ୍ପୁଡ଼ି ହୋଟେଲ୍‌ରେ ଏପରି ହେଉଥିବା ଅଭିଯୋଗ ହେଉଛି । ସୋମବାର ଏଠାରୁ ସାଦା ମିଲ୍‌ ନେଇଥିବା ଲୋକେ ଅଭିଯୋଗ କରିଛନ୍ତି । ବେସର ବାସ୍ନା ହେବା ପରେ ପାର୍ସଲ ଧରି ହୋଟେଲ ମାଲିକଙ୍କୁ ଜବାବ ମାଗିଥିଲେ ଏହି ଗ୍ରାହକମାନେ । ଘଟଣାକୁ ନେଇ ଦୋକାନ ପାଖରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ପୁଲିସ ପହଞ୍ଚି ଦୋକାନୀଙ୍କୁ ପଚରାଉଚରା କରିଥିଲା ।

ଉକ୍ତ ଝୁମ୍ପୁଡ଼ି ହୋଟେଲ୍‌ରୁ ସାଦା ମିଲ୍‌ ନେଇଥିବା ଦୁଇ ଜଣ ଯୁବକ ଅଭିଯୋଗ କରିଛନ୍ତି, ସେମାନେ ସୋମବାର ସାଦା ମିଲ ପାର୍ସଲ ନେବାକୁ ଆସିଥିଲେ । ହୋଟେଲ ପକ୍ଷରୁ ତାଙ୍କୁ ଭାତ, ଡାଲି, ବେସର ପ୍ରଭୃତି ଦିଆଯାଇଥିଲା । ବେସର ଅବିକଳ ମହାପ୍ରସାଦ ଭଳି ବାସ୍ନା ବାହାରିଥିଲା । ଯାହା ଜାଣିବା ପରେ ସେମାନେ ହୋଟେଲ୍‌କୁ ଯାଇ ଆମିଷ ଦୋକାନରେ କିପରି ମହାପ୍ରସାଦ ବିକ୍ରି ହେଉଛି ବୋଲି ପଚାରିଥିଲେ । ହେଲେ ହୋଟେଲ ମାଲିକ ଠିକ୍‌ ଜବାବ ରଖି ନଥିଲେ । ହୋଟେଲ ଭିତରେ ଖୋଜିବା ପରେ ବଡ଼ ଅବଢ଼ା କୁଡ଼ୁଆ ମିଳିଥିଲା । ଏଥିରେ ସଦ୍ୟ ଅବଢ଼ା ଅନ୍ନ, ଡାଲି, ତରକାରୀ ପ୍ରଭୃତି ଲାଗିଥିବା ଦେଖିବାକୁ ମିଳିଥିଲା । ଯାହା ସନ୍ଦେହକୁ ବଢ଼ାଇଥିଲା । ତେଣୁ ସେମାନେ ଏନେଇ ପୁଲିସକୁ ଖବର ଦେଇଥିଲେ ।

 

ସେପଟେ ହୋଟେଲ୍‌ରେ ରନ୍ଧା ଯାଉଥିବା ଅନ୍ନରେ ବାସ୍ନା ଦେବା ନିମନ୍ତେ ଅବଢ଼ା ଅନ୍ନ ଓ ସାଦା ତରକାରୀରେ ଡାଲି, ବେସର, ମହୁର ମିଶା ଯାଉଥିବା କେତେକ ଲୋକ ଅଭିଯୋଗ କରିଛନ୍ତି । ଏହାର ତଦନ୍ତ କରିବା ସହ ଖାଦ୍ୟ ପ୍ରସ୍ତୁତି ନିମନ୍ତେ ଖାଦ୍ୟ ନିରାପତ୍ତା ପ୍ରମାଣପତ୍ର, ଟ୍ରେଡ୍‌ ଲାଇସେନ୍ସ ପ୍ରଭୃତି ଏହି ଝୁମ୍ପୁଡ଼ି ହୋଟେଲ୍‌ର ରହିଛି କି ନାହିଁ ତାହାର ତଦନ୍ତ ମଧ୍ୟ ଦାବି ହୋଇଛି । ସେପଟେ ନିଛାଟିଆ ରାତିରେ ଏହି ଝୁମ୍ପୁଡ଼ି ହୋଟେଲ୍‌କୁ ବଳକା ମହାପ୍ରସାଦ ବୋଝେଇ ଅଟୋ ଆସୁଥିବାର ଭିଡିଓ ସାମ୍ନାକୁ ଆସିଛି । ହୋଟେଲ ମାଲିକ ମନୋଜ କୁମାର ଦାସଙ୍କ କହିବା କଥା, ସେ ବଳକା ଅବଢ଼ା ଆଣନ୍ତି । ହେଲେ ଏହାକୁ ବିକ୍ରି କରନ୍ତି ନାହିଁ । କେବଳ ହୋଟେଲ୍‌ରେ ରନ୍ଧା ଯାଉଥିବା ଖାଦ୍ୟ ପଦାର୍ଥ ବିକ୍ରି କରାଯାଏ ବୋଲି କହିଛନ୍ତି । ସେପଟେ ଖବରପାଇ କୁମ୍ଭାରପଡ଼ା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖୁବ୍‌ଶୀଘ୍ର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button