Rain: ଚାଷଜମି ଚାହୁଁଛି ପାଣି; ବର୍ଷାକୁ ଅନାଇ ବସିଛନ୍ତି ପଶ୍ଚିମ ଓଡ଼ିଶାର ଚାଷୀ
ମୌସୁମୀ ଧୀରେଧୀରେ ବିଦାୟ ନେବା ଆରମ୍ଭ କରିଛି। ଉତ୍ତର ଭାରତର ଅନେକ ରାଜ୍ୟରୁ ଏହା ବିଦାୟ ନେଇ ସାରିଥିବା ବେଳେ ଆଉ କିଛି ଦିନ ପରେ ଓଡ଼ିଶା ଦେଇ ଦକ୍ଷିଣ ଭାରତ ଅଭିମୁଖେ ଏହା ଅଗ୍ରସର ହେବ।

ନୂଆଦିଲ୍ଲୀ/ଭୁବନେଶ୍ବର: ମୌସୁମୀ ଧୀରେଧୀରେ ବିଦାୟ ନେବା ଆରମ୍ଭ କରିଛି। ଉତ୍ତର ଭାରତର ଅନେକ ରାଜ୍ୟରୁ ଏହା ବିଦାୟ ନେଇ ସାରିଥିବା ବେଳେ ଆଉ କିଛି ଦିନ ପରେ ଓଡ଼ିଶା ଦେଇ ଦକ୍ଷିଣ ଭାରତ ଅଭିମୁଖେ ଏହା ଅଗ୍ରସର ହେବ। ତେବେ ମୌସୁମୀ ବିଦାୟ ନେବା ପୂର୍ବରୁ ଚାଷୀମାନେ ଏକ ଭଲ ବର୍ଷା ଆଶା କରୁଛନ୍ତି। ଚଳିତ ବର୍ଷ ମୌସୁମୀ ଋତୁରେ ଭଲ ବର୍ଷା ହୋଇଛି। କିନ୍ତୁ ପ୍ରାୟ ୨ ସପ୍ତାହ ହେଲା ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ଅଭାବ ଦେଖାଯାଇଛି।
ପଶ୍ଚିମ ଓଡ଼ିଶାର ଅଧିକାଂଶ ଧାନଖେତରେ ପାଣି ନାହିଁ। ଏହି କାରଣରୁ ଚାଷୀକୁଳ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଜଳସେଚନର ସୁବିଧା ନଥିବା ସ୍ଥାନ ତଥା ଉଚ୍ଚସ୍ଥାନରେ ଥିବା ଜମିକୁ ମେସିନ ସାହାଯ୍ୟରେ ପାଣି ଦେବାର ଯୋଜାନା କରୁଛନ୍ତି। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଆଭ୍ୟନ୍ତରୀଣ ବର୍ଷା ନହେଲେ ଚାଷୀମାନେ ମରୁଡ଼ିଜନିତ କ୍ଷୟକ୍ଷତିର ସାମ୍ନା କରିବେ।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ମୌସୁମୀ ବାୟୁ ବିଦାୟ ନେବା ପୂର୍ବରୁ ଭଲ ବର୍ଷା ଆଶା କରାଯାଉଛି। ଅକ୍ଟୋବର ୭ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଉତ୍ତର ଭାରତ ଠାରୁ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ଅନେକ ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇପାରେ। ପାହାଡ଼ିଆ ସ୍ଥାନରେ ଭଲ ବର୍ଷା ହେବାର ଆଶଙ୍କା ରହିଛି। ପାଣି ପାଗ ବିଭାଗ ଭିନ୍ନଭିନ୍ନ ରାଜ୍ୟ ପାଇଁ ବର୍ଷାଜନିତ ସତର୍କତା ଜାରି କରିଛି।
ପାଣିପାଗ ବିଭାଗର ଆକଳନ ଅନୁସାରେ ଆଣ୍ଡାମାନ ଏବଂ ନିକୋବର ଦୀପ ସମୂହରେ ଅକ୍ଟୋବର ୯ରୁ ହାଲୁକା ବର୍ଷା ହୋଇପାରେ। ଅକ୍ଟୋବର ୧୦ରୁ ୧୨ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଗାଙ୍ଗେୟ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ଆଗାମୀ କିଛି ଦିନ ମଧ୍ୟରେ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ଅରୁଣାଚଳ ପ୍ରଦେଶରେ ଅକ୍ଟୋବର ୭ରୁ ୧୧ ମଧ୍ୟରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇପାରେ ଏହି ସମୟ ମଧ୍ୟରେ ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ବର୍ଷା ହେବାର ଅନୁମାନ କରାଯାଉଛି।
ସୌଜନ୍ୟ ସମ୍ବାଦ



