ଇମ୍ଫାଲ: ମଣିପୁରର ପାହାଡ଼ିଆ ଜିଲ୍ଲାଗୁଡ଼ିକରେ କୁକି ଓ ନାଗା ସମ୍ପ୍ରଦାୟ ମଧ୍ୟରେ ସାନି ହିଂସା ଆରମ୍ଭ ହୋଇଛି। ଶୁକ୍ରବାର ରାତିରୁ ଶନିବାର ମଧ୍ୟରେ କାମଜୋଙ୍ଗ, ଉଖରୁଲ ଓ କାଙ୍ଗପୋକପି ଜିଲ୍ଲାରେ ଘଟିଥିବା ବିଭିନ୍ନ ହିଂସାକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନେକ ଘର ଜାଳି ଦିଆଯାଇଛି। ରବିବାର ମଧ୍ୟ ପ୍ରଭାବିତ ଅଞ୍ଚଳରେ ଉତ୍ତେଜନା ଜାରି ରହିଥିବାରୁ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରାଯାଇଛି। ମୁଖ୍ୟମନ୍ତ୍ରୀ ୱାଇ ଖେମଚାନ୍ଦ ସିଂହ ହିଂସାକୁ ନିନ୍ଦା କରିବା ସହ ସବୁ ସମ୍ପ୍ରଦାୟର ଲୋକଙ୍କୁ ଶାନ୍ତି ଓ ସଂଯମ ରକ୍ଷା କରିବାକୁ ନିବେଦନ କରିଛନ୍ତି।
ହିଂସାର ସୂତ୍ରପାତ ଶୁକ୍ରବାର ରାତିରେ କାମଜୋଙ୍ଗ ଜିଲ୍ଲାର ଚାସାଦ ଗାଁରୁ ହୋଇଥିଲା। ଏଠାରେ ଜଣେ ୨୨ ବର୍ଷୀୟା ମହିଳାଙ୍କୁ ଅଜଣା ଆକ୍ରମଣକାରୀ ଗୁଳି କରି ହତ୍ୟା କରିଥିଲେ। ମହିଳାଙ୍କର ପାଞ୍ଚଟି ସନ୍ତାନ ଥିଲେ। ନାଗା ସଂଖ୍ୟାଗରିଷ୍ଠ କାମଜୋଙ୍ଗ ଜିଲ୍ଲାର ଏହି ଗାଁରେ କୁକି ସମ୍ପ୍ରଦାୟର ଲୋକେ ମଧ୍ୟ ବସବାସ କରନ୍ତି। ମହିଳାଙ୍କ ମୃତ୍ୟୁ ପରେ କୁକି ଓ ନାଗା ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ଟି ଘର ଜଳିଯାଇଥିଲା। ହିଂସା ରୋକିବାକୁ ଚାସାଦ ଗାଁରେ ନିଷେଧାଦେଶ ଜାରି କରାଯାଇଛି।
ମାକୁଇ ଗାଁରେ ସନ୍ଦିଗ୍ଧ ଉଗ୍ରବାଦୀ
ଶନିବାର କାଙ୍ଗପୋକପି ଜିଲ୍ଲାର ତାପୋନ ଓ ମାକୁଇ ଗାଁରେ ସନ୍ଦିଗ୍ଧ ଉଗ୍ରବାଦୀଙ୍କ ଆକ୍ରମଣରେ ନାଗା ଗ୍ରାମ ସୁରକ୍ଷା କର୍ମୀଙ୍କ ସମେତ ଅନ୍ୟ କେତେକ ଲୋକଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଏମ୍ ଦୈମାଇ, ଆର୍ ଗାଙ୍ଗମେଇ ଓ ରିଙ୍ଗକାଙ୍ଗମାଇଙ୍କ ନାମ ରହିଛି। ଏହି ଅଞ୍ଚଳରେ ସଶସ୍ତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗୁଳି ବିନିମୟ ମଧ୍ୟ ହୋଇଥିଲା। କାମଜୋଙ୍ଗ ଜିଲ୍ଲାର ନିଙ୍ଗଚୌ ଗାଁରେ ଆକ୍ରମଣକାରୀଙ୍କ ଗୁଳିରେ ନାଗା ସମ୍ପ୍ରଦାୟର ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକ ହେଲେ ୩୫ ବର୍ଷୀୟ ନଗାଚାନ୍ସୋ ନିଙ୍ଗସେନ ଓ ୪୮ ବର୍ଷୀୟ ଲେଇଶିଶାନ ଲେଇଶାଡାଙ୍ଗ। ସେହିପରି ଉଖରୁଲ ଜିଲ୍ଲାରେ ଗାଡ଼ିରେ ଯାଉଥିବା ସନ୍ଦୀପ ରାୟଙ୍କୁ ଗୁଳି କରାଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ମୁଖ୍ୟମନ୍ତ୍ରୀ ଖେମଚାନ୍ଦ ସୋସିଆଲ ମିଡିଆରେ ନିରୀହ ଲୋକଙ୍କ ହତ୍ୟାକୁ ନିନ୍ଦା କରିବା ସହ ପରିସ୍ଥିତି ନିୟନ୍ତ୍ରଣ, ଶାନ୍ତି ପ୍ରତିଷ୍ଠା ଓ ନାଗରିକଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।
ସୌଜନ୍ୟ ସମ୍ବାଦ