ରାଜ୍ୟ

False rape allegation: ପୁଲିସ ତଣ୍ଟିରେ ମିଛ ଦୁଷ୍କର୍ମ କଣ୍ଟା! ଦେଢ଼ବର୍ଷରେ ୨୦ ମିଥ୍ୟା ଦୁଷ୍କର୍ମ ମାମଲା

ଦୁଷ୍କର୍ମ ଅଭିଯୋଗରେ ପରିବହନ ବିଭାଗର ଅତିରିକ୍ତ ଶାସନ ସଚିବ ଅରୁଣ କୁମାର ବିଶ୍ବାଳଙ୍କ ଗିରଫଦାରୀ ଘଟଣାରେ ଏକ ନୂଆ ମୋଡ଼ ସାମନାକୁ ଆସିଛି। ଅଭିଯୁକ୍ତ ଅରୁଣ ଓ ପୀଡ଼ିତାଙ୍କ ମଧ୍ୟରେ ଭୁଲ୍ ବୁଝାମଣାରୁ ଯୁବତୀ ଖାରବେଳନଗର ଥାନାରେ ଦୁଷ୍କର୍ମ ଅଭିଯୋଗ କରିଥିଲେ।

ଭୁବନେଶ୍ବର: ଦୁଷ୍କର୍ମ ଅଭିଯୋଗରେ ପରିବହନ ବିଭାଗର ଅତିରିକ୍ତ ଶାସନ ସଚିବ ଅରୁଣ କୁମାର ବିଶ୍ବାଳଙ୍କ ଗିରଫଦାରୀ ଘଟଣାରେ ଏକ ନୂଆ ମୋଡ଼ ସାମନାକୁ ଆସିଛି। ଅଭିଯୁକ୍ତ ଅରୁଣ ଓ ପୀଡ଼ିତାଙ୍କ ମଧ୍ୟରେ ଭୁଲ୍ ବୁଝାମଣାରୁ ଯୁବତୀ ଖାରବେଳନଗର ଥାନାରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ପରେ ଅରୁଣଙ୍କ ଜାମିନ ଆବେଦନ ଶୁଣାଣି ସମୟରେ ପୀଡ଼ିତା ଓ ଅରୁଣଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିବା ସତ୍ୟପାଠ ଦାଖଲ କରାଯାଇଥିଲା। ଆଉ ଏହି ସତ୍ୟପାଠ ଆଧାରରେ ଶ୍ରୀ ବିଶ୍ବାଳଙ୍କୁ ଜାମିନ ମିଳିଯାଇଛି। ତେବେ ଏହିଭଳି ଗୋଟିଏ ମାମଲା ନୁହେଁ, ବିଗତ ଦେଢ଼ବର୍ଷରେ ୨୪୪ଟି ଦୁଷ୍କର୍ମ ମାମଲା ଭୁବନେଶ୍ବର ୟୁପିଡିର ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି। ଆଉ ସେଥିମଧ୍ୟରୁ ୨୦ଟି ଦୁଷ୍କର୍ମ ଅଭିଯୋଗକୁ ନେଇ କୌଣସି ପ୍ରମାଣ ମିଳିପାରିନାହିଁ।

କେବଳ ସେତିକି ନୁହେଁ, ଚଳିତ ବର୍ଷ ରୁଜୁ ହୋଇଥିବା ବିଭିନ୍ନ ଦୁଷ୍କର୍ମ ମାମଲାରୁ ୫ଟି ମାମଲାରେ ରାୟ ପ୍ରକାଶ ପାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି କୋର୍ଟଙ୍କ ଏହି ରାୟରେ ପୀଡ଼ିତା ନିଜେ ମାଜିଷ୍ଟ୍ରେଟଙ୍କ ସାମନାରେ ଦୁଷ୍କର୍ମ ହୋଇ ନଥିବା କହିଛନ୍ତି। ପରିବାର ଲୋକଙ୍କ ଚାପରେ, ପୁଲିସ ବାଧ୍ୟ କରିବାରୁ ସେମାନେ ଅଭିଯୋଗ କରିଥିବା କହିଛନ୍ତି। ଦୁଷ୍କର୍ମ ମାମଲାରେ ସବୁଠୁ ରୋଚକ କଥା ହେଉଛି, ପ୍ରାୟ ସମସ୍ତ ଅଭିଯୋଗରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରୁଛି। ଆଉ ସେହି ଅନୁସାରେ ତଦନ୍ତ କରି
ଚାର୍ଜସିଟ୍ ପ୍ରସ୍ତୁତ କରୁଛି। ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଉଛି ଯେ ବ୍ୟକ୍ତିଗତ ରାଗର ପ୍ରତିଶୋଧ ନେବାକୁ ନଚେତ୍ ସହାୟତା ରାଶି ପାଇବାକୁ ମିଛ ଅଭିଯୋଗ ହେଉଛି। ମାତ୍ର ସତ ଜାଣିବା ପରେ ବି ପୁଲିସ ଗିରଫଦାରୀକୁ ଏଡ଼ାଇ ପାରୁନାହିଁ। ଏପରିକି ଅନେକ କ୍ଷେତ୍ରରେ ମାମଲାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଡାକ୍ତରୀ ମାଇନାକୁ ମଧ୍ୟ ପୀଡ଼ିତା (ବାଧ୍ୟତାମୂଳକ ନୁହେଁ) ଏଡ଼ାଇ ଯାଉଥିବା ନଜିର ରହିଛି।

ଦେଢ଼ବର୍ଷରେ ୨୦ ମିଥ୍ୟା ଦୁଷ୍କର୍ମ ମାମଲା
ବ୍ୟକ୍ତିଗତ ଶତ୍ରୁତା, ଭୁଲ୍ ବୁଝାମଣାରୁ ଆଇନର ଅପବ୍ୟବହାର

ଏ ସଂପର୍କରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, କୌଣସି ନାରୀର ଅନିଚ୍ଛା ସତ୍ତ୍ୱେ ତା’ ସହିତ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଲେ ତାକୁ ଦୁଷ୍କର୍ମଜନିତ ଅପରାଧ କୁହାଯିବ। ଏହା ବ୍ୟତୀତ ନାବାଳିକା, ମାନସିକ ଓ ଶାରୀରିକ ଦିବ୍ୟାଙ୍ଗଙ୍କ ସହ ଯଦି କୌଣସି ପୁରୁଷ ସହମତିରେ ବି ଶାରୀରିକ ସମ୍ପର୍କ ରଖିବେ, ସେ କ୍ଷେତ୍ରରେ ମଧ୍ୟ ଦୁଷ୍କର୍ମ ମାମଲା ରୁଜୁ ହେବ। ମାତ୍ର ଶିକ୍ଷିତ ଓ ୧୮ ବର୍ଷରୁ ଊର୍ଦ୍ଧ୍ବ ସହମତିରେ ଯଦି କାହା ସହ ସମ୍ପର୍କ ରଖନ୍ତି ତାହା ଦୁଷ୍କର୍ମ ନୁହେଁ ବୋଲି ଆଇନ ରହିଛି। ହେଲେ ପୁଲିସ ଅଭିଯୋଗ ପାଇଲା ମାତ୍ରେ ମାମଲା ରୁଜୁ କରି ଗିରଫ କରୁଛି। ଏହା ପଛର କାରଣ ହେଉଛି, ଆଇନ ଅନୁସାରେ କୌଣସି ମହିଳା ଲିଖିତ ଅଭିଯୋଗ କରିବା ମାତ୍ରେ ହିଁ ତୁରନ୍ତ ମାମଲା ରୁଜୁ ହେବ। କାରଣ ଲିଖିତ ଏତଲା ହିଁ ଦୁଷ୍କର୍ମର ପ୍ରମାଣ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button