Nabarangpur POCSO Case: ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା: ଦୋଷୀଙ୍କୁ ୨୦ ବର୍ଷ ଜେଲ୍, ୩୦ ହଜାର ଟଙ୍କା ଜରିମାନା
ନବରଙ୍ଗପୁରରେ ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଡେଭିଡ୍ ଗରଡ଼ାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୩୦ ହଜାର ଟଙ୍କା ଜରିମାନା। ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ସହାୟତା ଦେବାକୁ ନିର୍ଦ୍ଦେଶ।

ନବରଙ୍ଗପୁର(ସୁରେଶ ନାଇଡ଼ୁ): ୨୦୨୪ରେ ନବରଙ୍ଗପୁର ଥାନା ଅଂଚଳରେ ଜଣେ ନାବାଳିକାଙ୍କୁ ସେହିଥାନା ଅଂଚଳର ଅଭିଯୁକ୍ତ ଡେଭିଡ ଗରଡ଼ା ଦୁଷ୍କର୍ମ କରିଥିଲେ। ଏଥିରେ ନାବାଳିକା ଜଣକ ଗର୍ଭଧାରଣ କରିଥିବା ବେଳେ ବଳପୂର୍ବକ ଧମକଚମକ ଦେଇ ଗର୍ଭପାତ କରାଇଥିଲେ। ଏହି ମାମଲାର ବିଚାର କରି ଆଜି (ସୋମବାର) ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପକ୍ସୋକୋର୍ଟର ବିଚାରପତି ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଡେଭିଡକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହାସହ ୨୦ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି। ଏହା ସହ ଜରିମାନା (ଅର୍ଥଦଣ୍ଡ) ବାବଦକୁ ୩୦ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀ ମୁତାବକ, ନାବାଳିକାକୁ ନିଜକୁ ଜଣେ ମନସ୍ତତ୍ବବିଦ୍ ଭାବେ ପରିଚୟ ଦେଇ ଡେଭିଡ୍ ନବରଙ୍ଗପୁର ଟାଉନ ଥାନା ଅଂଚଳର ପୀଡ଼ିତାଙ୍କୁ ଡରାଇ ଧମକାଇ ଦୁଷ୍କର୍ମ କରିଥିଲେ। କାହାରିକୁ କହିଲେ ଜୀବନରେ ମାରିବାକୁ ବି ଧମକ ଦେଇଥିଲେ। ଏହାପରେ ଏକାଧିକ ଥର ନାବାଳିକାକୁ ଡରାଇ ଧମକାଇ ଶାରିରୀକ ସମ୍ପର୍କ ରଖିଥିଲେ। ଫଳ ସ୍ବରୁପ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ନାବାଳିକାର ଅଜାଣତରେ କିଛି ଔଷଧ ଦେବା ପରେ ଗର୍ଭପାତ ହୋଇଥିଲା। ପୀଡିତା ଜଣକ ଭୁବନେଶ୍ବର ପଢ଼ିବାକୁ ଯାଇଥିଲେ। ସେଠାକୁ ଯାଇ ଏବଂ ପରିବାରବର୍ଗକୁ ନାବାଳିକାକୁ ମିଶିବାକୁ କହିବା ପାଇଁ ଧମକ ଦେଇଥିଲେ ଅଭିଯୁକ୍ତ। ଏପରିକି ସାମାଜିକ ଗଣମାଧ୍ୟମରେ ବି ଫଟୋଚିତ୍ର ଛାଡିଥିଲେ।
ସୌଜନ୍ୟ ସମ୍ବାଦ




