Student Election: ଆଜି ଶେଷ ପ୍ରଚାର ; କ୍ୟାମ୍ପସରେ ପ୍ରାର୍ଥୀଙ୍କ ପାୱାର ସୋ’, ଭୋଜି ଭାତରେ ଭାସୁଛି କଲେଜ

- କ୍ଲାସରୁମ ,ହଷ୍ଟେଲ୍ ଯାଇ କ୍ୟାମ୍ପେନ୍ କଲା ବିଦ୍ୟାର୍ଥୀ ପରିଷଦ
- ଘର ଘର ବୁଲି କ୍ୟାମ୍ପେନ୍ କଲା ଛାତ୍ର ବିଜେଡ଼ି
- ଅଣ୍ଡା ବିରିଆନୀ ଖାଇବାକୁ ଠେଲାପେଲା
- ଗୁପଚୁପ୍, ଆଇସ୍କ୍ରିମ୍, ଦହିବରା ପାଇଁ ପ୍ରବଳ ଭିଡ଼
ଭୁବନେଶ୍ୱର,୧୩ \୧୦: ଦୀର୍ଘ ୮ବର୍ଷ ପରେ କଲେଜ, ବିଶ୍ୱବିଦ୍ୟାଳୟ କ୍ୟାମ୍ପସ କମ୍ପୁଛି । ଆସନ୍ତା ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ । ବିଭିନ୍ନ ସଂଗଠନର ସମର୍ଥିକ ପ୍ରାର୍ଥୀମାନେ ନିଜ ପାଇଁ ଭୋଟ ଭିକ୍ଷାରେ ଲାଗିଛନ୍ତି । ଯାହା ହେଲେ ବି ନିର୍ବାଚନ ଜିତିବାର ଅଛି । ସେଥିଲାଗି ଯାହା ଆବଶ୍ୟକ ରହିଛି ସଂଗଠନର ମୁଖିଆଙ୍କ ପାଖେ କହୁଛନ୍ତି । ମୁଖିଆବି କହିଛନ୍ତି ଯାହା ଦରକାର କୌଣସି କଥାରେ ଅବହେଳା ହେବନି ମାତ୍ର କ୍ୟାମ୍ପସ ଜିତାଇ ଦେଖାଓ । ହାତରେ ପ୍ରଚାର ପାଇଁ ମାତ୍ର ଗୋଟିଏ ଦିନ । କିଏ କେତେ ସମର୍ଥକଙ୍କୁ ନେଇ କ୍ଲାସରୁମ୍ ପ୍ରଚାର କରୁଛି ? କିଏ କେଉଁ ଭୋଜି ଦେଉଛି ? କେତେ ହଷ୍ଟେଲକୁ ନିଜ ସଂଗଠନ ଆଡ଼କୁ ଟାଣି ଭୋଟ ବ୍ୟାଙ୍କକୁ ଅଧିକ ସୁଦୃଢ଼ କରିବେ ତାକୁ ନେଇ ଅଙ୍କକଷା ଚାଲିଛି ।
କ୍ୟାମ୍ପସରେ ହଣ୍ଡା ହାଣ୍ଡି ବସୁଛି । ରାତି ଦିନ ଭୋଜି ଚାଲୁଛି । କ୍ୟାମ୍ପସର ଛୋଟ ବଡ଼ ସଂଗଠକଙ୍କୁ ନିଜ ଆଡ଼କୁ ଟାଣିବାକୁ ଲାଗି ଯାଇଛନ୍ତି । ହାତରେ ଆଉ ଗୋଟିଏ ଦିନ । ଆସନ୍ତା ୧୪ ତାରିଖରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ର ବୈଠକ ଅଛି । ଆଉ ପ୍ରଚାର ପାଇଁ ସୁଯୋଗ ନାହିଁ । ୧୫ରେ ଭୋଟ । ମାତ୍ର ୨ଦିନ ମଧ୍ୟରେ କିପରି ଭୋଟ ହାତେଇବେ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କ କଷାକଷି । ଉତ୍କଳ ବିଶ୍ୱବିଦ୍ୟାଳୟରେ ସମସ୍ତ ପ୍ରାର୍ଥୀ କିପରି ୧୪ଟି ହଷ୍ଟେଲରୁ ଅଧିକରୁ ଅଧିକ ଭୋଟ ହାତେଇବେ ସେଥିଲାଗି ଦିନରାତି ଏକ କରି ଦେଇଛନ୍ତି । ହଷ୍ଟେଲର ଲିଡରଙ୍କୁ ମନାଇବାରେ ଲାଗିଛନ୍ତି । ସକାଳେ କ୍ଲାସରୁମ୍ ପ୍ରଚାର ପରେ ସଂଧ୍ୟା ହେବା ମାତ୍ରେ ହଷ୍ଟେଲରେ ପହଞ୍ଚି ଯାଉଛନ୍ତି ପ୍ରାର୍ଥୀ । ସେଠାରେ ପିଲାଙ୍କୁ ଡାକି ପ୍ରଚାର କରୁଛନ୍ତି । ନିଜର ଇସ୍ତାହାରକୁ ପିଲାଙ୍କ ପାଖେ ରଖୁଛନ୍ତି । ସମର୍ଥକମାନେ ସଂଧ୍ୟାରେ ରୋଲ୍,ଚାଓମିନ୍ ଭଳି ଫାଷ୍ଟଫୁଡ୍ ସହ ରାତିରେ ବିରିୟାନୀ ନହେଲେ ପସନ୍ଦର ଖାଦ୍ୟ ଦିଆଯାଉଛି । ପୋଷ୍ଟର ରାଜନୀତି ଏସବୁକୁ ବଳି ଗଲାଣି ।
କ୍ୟାମ୍ପସ ଫାଟକ ଆରମ୍ଭରୁ କ୍ୟାମ୍ପସ ପରିସର ସାରା ଯେଉଁଠି ଦେଖିବ ମାଳମାଳ ପୋଷ୍ଟର, ବ୍ୟାନରରେ ଘୋଡ଼ାଇ ହୋଇଗଲାଣି । ପିଲାଙ୍କୁ ଖାଇବାକୁ ଦେବା ପାଇଁ ଦିନରାତି କ୍ୟାମ୍ପସରେ ହଣ୍ଡା ବସୁଛି । ଛାମୁଆ ଛାତ୍ର ନେତା ମାନେ କ୍ୟାମ୍ପସ ବାହାରେ ଡେରା ପକାଇଛନ୍ତି । ବାହାରୁ ଗାଇଡ୍ କରୁଛନ୍ତି । ଭିତରରେ ପୂର୍ବ ଛାତ୍ର ସଭାପତି, ସଂପାଦକ ଓ ନେତୃତ୍ୱ ମାନେ ପ୍ରାର୍ଥୀଙ୍କୁ ତାଲିମ ପ୍ରଦାନ କରୁଛନ୍ତି । କ୍ଲାସରୁମରେ କିପରି ପିଲାଙ୍କୁ ବ୍ୟବହାର କରିବେ? କିପରି ସେମାନଙ୍କୁ ଭୋଟ ଭିକ୍ଷା ମାଗିବେ କେଉଁ ସିରିଏଲ୍ ନମ୍ବରରେ ଭୋଟ ଦେବାକୁ କହିବେ ସେସବୁକୁ ନେଇ ତାଲିମ ପ୍ରଦାନ କରାଯାଉଛି । କ୍ୟାମ୍ପସରେ କିଛି ଛୋଟ ଛୋଟ ସଂଗଠକଙ୍କୁ ନିଜ ସଂଗଠନ ପ୍ରତି ଆକୃଷ୍ଟ କରିବା ଲାଗି ମଧ୍ୟ ଲାଗିଛନ୍ତି । ଯାହା ହାତରେ ୨୦ କି ୫୦ ଭୋଟ ଅଛି ତାକୁ ପ୍ରାର୍ଥୀମାନେ ଧରୁଛନ୍ତି । ସେତିକି ଭୋଟ କିପରି ତାଙ୍କର ହେବ ମନାଉଛନ୍ତି । ପ୍ରତି ପ୍ରାର୍ଥୀଙ୍କୁ ମେସେଜ୍ ପ୍ରତିଦିନ ମଧ୍ୟ ଦିଆଯାଉଛି । ଗୁଡ୍ ମର୍ଣ୍ଣିଂ ମେସେଜ୍ ସହ ଭୋଟ ଭିକ୍ଷା କରୁଛନ୍ତି ।
ପେଟ ଶାନ୍ତି ହେଲେ ଭୋଟ ମିଳିବ !
କିଏ ହାତରେ କପ୍ ଧରି ଜଗିଛି । ତ କିଏ ଖଲ୍ଲି ପ୍ଲେଟ୍ ଟାକୁ ଠୁଙ୍ଗା ଧରି ଅନେଇଛି । ବିରିଆନୀ, ଆଇସକ୍ରିମ୍, ଦହିବରା, ଗୁପଚୁପ୍ ଆଗରେ ହାର୍ ମାନିଛି ଛାତ୍ରୀଙ୍କ ଧୈର୍ଯ୍ୟ । ଭିଡ଼ ଭିତରେ ଆଗ ବିରିଆନୀ ଖାଇବାକୁ ଠେଲାପେଲା । ସୋମବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଫାଟକ ସାମ୍ନାରେ କିଛି ଏମିତି ଥିଲା ଦୃଶ୍ୟ । ନିର୍ବାଚନୀ ପ୍ରଚାରରେ ଲାଗି ପଡ଼ିଛନ୍ତି ଏବିପିଭି ଓ ଛାତ୍ର ବିଜେଡି ପ୍ରାର୍ଥିନୀ ଓ ସମର୍ଥକମାନେ। ପେଟକୁ ଶାନ୍ତି କରି ଭୋଟ୍ ଟାଣିବାକୁ ଯେମିତି ଏକ ପ୍ରକାର ପ୍ରତିଯୋଗିତା ଚାଲିଛି । ପ୍ରଚାର ପାଇଁ ହାତରେ ମାତ୍ର ଗୋଟିଏ ଦିନ । ସୋମବାର ଏବିଭିପି ପକ୍ଷରୁ ହଷ୍ଟେଲ୍ ଓ କ୍ଲାସରୁମ୍ କ୍ୟାମ୍ପେନ୍ କରାଯାଇଛି । ପ୍ରାର୍ଥିନୀମାନେ କ୍ଲାସରୁମ୍ ଯାଇ ଭୋଟରଙ୍କୁ ଚକୋଲେଟ୍ ସହ ପୁସିଂ କାର୍ଡ ଦେଇ ଭୋଟ୍ ଭିକ୍ଷା କରିଥିଲେ । ଏଥିସହ ହଷ୍ଟେଲକୁ ଯାଇ ପ୍ରତି ରୁମରେ ଛାତ୍ରୀଙ୍କୁ ବୁଝାଇଥିଲେ।
ଏହାରି ଭିତରେ ଏବିଭିପିର ଦୁଇ ଜଣ ପ୍ରାର୍ଥିନୀ ବିନା ପ୍ରତିଦ୍ୱନ୍ଦ୍ୱୀରେ ବିଜୟିନୀ ହୋଇଥିବାରୁ କ୍ୟାମ୍ପସ ବାହାରେ କେକ୍ କାଟି ଜୋର୍ଦାର ସେଲିବ୍ରେସନ ହୋଇଥିଲା । ବାଜା ବାଜୁଥିଲା, ଫୁଲ ବର୍ଷା ହେଲା ଆଉ ଖୁସିରେ ନାଚୁଥିଲେ ଛାତ୍ରୀ । ଏହାପରେ ମଧ୍ୟାହ୍ନରେ ଛାତ୍ରୀଙ୍କୁ ଅଣ୍ଡା ବିରିଆନୀ ଓ ଆଇସ୍କ୍ରିମ୍ ଦିଆଯାଇଥିଲା । ଶତାଧିକ ଛାତ୍ରୀ ଖଲ୍ଲୀ ପ୍ଲେଟ୍ ଧରି ବିରିଆନୀ ଖାଇବାକୁ ଖଚାଖଚ ଭିଡ଼ ଓ ଠେଲାପେଲା ଦେଖିବାକୁ ମିଳିଥିଲା । ଅନ୍ୟପଟେ, ଛାତ୍ର ବିଜେଡି ପକ୍ଷରୁ ଆଜି ଲୋକାଲ୍ ପିଲାଙ୍କୁ ନିଜ ସପକ୍ଷରେ ଟାଣିବାକୁ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ କରିଥିଲେ । ହାତରେ ପୁସିଂ କାର୍ଡ୍ ଧରାଇ ସଂଗଠନର ଏଜେଣ୍ଡା ବୁଝାଇଥିଲେ । ଏହାରି ଭିତରେ ଦିନବେଳା ଛାତ୍ର ବିଜେଡି ପକ୍ଷରୁ ଆଇସ୍କ୍ରିମ୍, ଦହିବରା, ଚାଟ୍ ଓ ଗୁପଚୁପ୍ ପସରା ମେଲିଥିଲା । ଏହାପରେ ଛାତ୍ର ବିଜେଡି ପକ୍ଷରୁ ସେଫ୍ ଓ କ୍ଲିନ୍ କ୍ୟାମ୍ପସ ପ୍ରତିଶ୍ରୁତି ଅଧୀନରେ ସ୍ୱଚ୍ଛତା କ୍ୟାମ୍ପେନ୍ କରାଗଲା । କ୍ୟାମ୍ପେନିଂ ଯୋଗୁ ଆବର୍ଜନାକୁ ସଫା କରାଗଲା ।
ସୌଜନ୍ୟ ପ୍ରମେୟ




