Student Election: ପୋଷ୍ଟର ରାଜନୀତି, ସୋସିଆଲ ମିଡିଆରେ ପ୍ରଚାର ଲଢ଼େଇ

- ରାଜଧାନୀରେ ଛାଇଯାଇଛି କଲେଜ ନିର୍ବାଚନ ପୋଷ୍ଟର
- ଡ୍ରୋନ୍, ଗିମ୍ବଲ କ୍ୟାମେରା ସାଙ୍ଗକୁ ସିନେମାଟିକ୍ ଷ୍ଟାଇଲ୍ରେ ଭିଡିଓ ସୁଟ୍
- ଫେସବୁକ, ଇନଷ୍ଟାଗ୍ରାମରେ ସ୍ୱତନ୍ତ୍ର ପେଜ୍
- ଏଆଇ ଭିଡିଓରେ କରୁଛନ୍ତି ବ୍ୟକ୍ତିଗତ ଆକ୍ଷେପ
ଭୁବନେଶ୍ୱର,୧୩ \୧୦: ପୋଷ୍ଟର ରାଜନୀତି ସାଙ୍ଗକୁ ପୋଷ୍ଟର କଳି । ଏବେ ଛାତ୍ର ନିର୍ବାଚନକୁ ବେଶ ସରଗରମ୍ କରି ଦେଇଛି । ରାସ୍ତଘାଟ, କଲେଜ ପରସର, ବିଭିନ୍ନ ଟ୍ରାଫିକ ଛକ, କଲେଜ ଗେଟ୍, ରାଜଧାନୀର ମୁଖ୍ୟ ରାସ୍ତାମାନଙ୍କରେ ଦୃଷ୍ଟି ଆକର୍ଷଣ କରୁଛନ୍ତି । କେଉଁଠି ବିଶାଳକାୟ ପୋଷ୍ଟର ତ ଆଉ କେଉଁଠି ଛୋଟ ଛୋଟ ପୋଷ୍ଟର ଗୁଡ଼ିକ ଟଙ୍ଗା ଯାଇଛି । ପୋଷ୍ଟରରେ କେଲଜର ସଭାପତି, ଉପସଭାପତି, ସମ୍ପାଦକମାନଙ୍କ ହାତଯୋଡା ଫଟୋ ସହ ନିଜ ଦଳର ରଙ୍ଗ, ଚିହ୍ନ ସାଙ୍ଗକୁ ଦଳୀୟ ମୁଖିଆଙ୍କ ଫଟୋ ରହୁଛି । ଏସବୁ ଭିତରେ କିନ୍ତୁ ପୋଷ୍ଟର ଲଗାଇବାକୁ ନେଇ ହେଉଥିବା କଳି ନଜରକୁ ଟାଣୁଛି । ଉତ୍କଳ ବିଶ୍ୱବିଦ୍ୟାଳୟ ହେଉ କି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସବୁଠି ପୋଷ୍ଟର କଳି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଦେଖିବାକୁ ମିଳିଥିଲା । ନିଜ ନିଜ ପାର୍ଥୀ କୁ ନେଇ କରାଯାଇଥିବା ଏହି ପୋଷ୍ଟ ଗୁଡ଼ିକ ଜନପଥରେ ବି ପୂରା ଫୁଲ୍ ।
ଆଖି ଯେଉଁଠି ପଡ଼ିବ ବିଶାଳକାୟ ପୋଷ୍ଟର ଗୁଡ଼ିକ ନଜରରେ ପଡ଼ିବ । ଯେତେ ଅଧିକ ପୋଷ୍ଟର ସେତେ ଅଧିକ ଭୋଟ୍ ଏ ମାଇଣ୍ଡ ସେଟରେ ପୋଷ୍ଟର ଛାଇ ଦେଉଛନ୍ତି ଦଳୀୟ କର୍ମକର୍ତ୍ତା । ନିଜ ନିଜ ଭିତରେ ପ୍ରତିଯୋଗିତା କରି ପାଖାପାଖି ମଧ୍ୟ ପୋଷ୍ଟର ଗୁଡ଼ିକ ଲଗାଉଛନ୍ତି । ପୋଷ୍ଟର ସହିତ ବ୍ୟାନର ଗୁଡ଼ିକ ମଧ୍ୟ କଲେଜ ଗେଟ୍, ଗଛ, ସାଇକେଲ ଷ୍ଟାଣ୍ଡ, ଖେଳ ପଡ଼ିଆ, ସେହି କଲେଜର ଆଖପାଖ ଅଞ୍ଚଳରେ ଲଗାଯାଉଛି । ରାଜଧାନୀରେ ଥିବା ସମସ୍ତ କଲେଜରେ ପୋଷ୍ଟର, ବ୍ୟାନର, ପୁସିଂ କାର୍ଡକୁ ନେଇ ନିଜ ନିଜ ଦଳ ଭିତରେ ପ୍ରତିଦ୍ୱନ୍ଦିତା ବଢ଼ିବାରେ ଲାଗିଛି । ଉତ୍କଳ ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ବିଜେବି କଲେଜ ତା’ସାଙ୍ଗକୁ କମଳାନେହେରୁ ହେଉ କି ଦେବରାୟ ନହେଲେ ରାଜଧାନୀ କଲେଜ ଯେଉଁଠି ଦେଖିବେ ଆଖି ପଡ଼ିବ ପୋଷ୍ଟର ଉପରେ । ସେହପରି ରାସ୍ତାଘାଟ ବି ଏବେ ପୁସିଂ କାର୍ଡରେ ଭର୍ତ୍ତି । ଯିଏ ହାତକୁ ପୁସିଂ କାର୍ଡ ଧରାଇଲେ ସେ ସେଇଠି ପଡ଼ିଲା । ଆସନ୍ତା ୧୪ ତାରିଖରେ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍’ମିଟିଂ ଓ ୧୫ ତାରିଖରେ ନିର୍ବାଚନ ରହିଥିବାରୁ କ୍ୟାମ୍ପସର ଉଷ୍ମତା ବଢ଼ିବାରେ ଲାଗିଛି ।
ସୋସିଆଲ ମିଡିଆରେ ପ୍ରଚାର ଲଢ଼େଇ
ସାଧାରଣ ନିର୍ବାଚନଠୁ ଆଗରେ ରହିଛି ଛାତ୍ର ସଂସଦ ନିର୍ବାଚନ । ଆଧୁନିକ ଯୁଗରେ ଜେନ୍-ଜିଙ୍କ ନୂଆ ଅବତାର । ଆଗ ପରି ନୁହେଁ ନୂଆ ଢଙ୍ଗରେ ହେଉଛି ପ୍ରଚାର । ନିୟୋଜିତ ହୋଇଛନ୍ତି ସ୍ୱତନ୍ତ୍ର କ୍ୟାମେରା ଟିମ୍, କମ୍ୟୁନିକେସନ୍ ଟିମ୍ । ଆଶାୟୀ ପ୍ରାର୍ଥୀ ଯେଉଁଠିକୁ ଯାଉଛନ୍ତି ତାଙ୍କ ସାଙ୍ଗରେ ଯାଉଛି ପୂରା କ୍ୟାମେରା ଟିମ୍ । ସିନେମାଟିକ୍ ଷ୍ଟାଇଲରେ କରାଯାଉଛି ଭିଡିଓ ସୁଟ୍ । ଯେପରି ସୋସିଆଲ୍ ମିଡିଆରେ ପୋଷ୍ଟ କଲେ ଅଧିକରୁ ଅଧିକ ପିଲାଙ୍କ ପାଖେ ଏହି ସୁନ୍ଦର ଭିଡିଓ ପହଞ୍ଚିବ ତାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନରେ ଏକ ନୂଆ ପ୍ରଚାର ଶୈଳୀ ଦେଖିବାକୁ ମିଳୁଥିଲା । ସୋସିଆଲ୍ ମିଡିଆ ମ୍ୟାନେଜମେଣ୍ଟ କିପରି କରାଯାଏ ତାକୁ ପ୍ରାର୍ଥୀମାନେ ଓ ଛାତ୍ର ସଂଗଠନମାନେ କରି ଦେଖାଉଛନ୍ତି ।
କୌଣସି ରାଜନେତାଙ୍କ ଶୋଭାଯାତ୍ରାଠୁ ମଧ୍ୟ କମ ନୁହେଁ । ଏପରିକି ଅନେକ ବିଧାୟକଙ୍କ ପ୍ରଚାର ଶୈଳୀ ମଧ୍ୟ ଏମାନଙ୍କ ସମ୍ମୁଖରେ ଫିକା ପଡ଼ିଯିବ । ପ୍ରଚାର ସମୟରେ ସ୍ୱତନ୍ତ୍ର କ୍ୟାମେରା ଟିମ୍ ସାଙ୍ଗରେ ନେଉଛନ୍ତି । ଡ୍ରୋନ୍ ସାଙ୍ଗକୁ ଗିମ୍ବଲ୍ ନେଇ ପ୍ରଚାର ମଇଦାନକୁ ଯାଉଛନ୍ତି । ସବୁ ସିନେମାଟିକ୍ ସୁଟ୍ କରାଯାଉଛି । ସମସ୍ତ ଛାତ୍ର ସଂଗଠନ ଏବିଭିପି, ଛାତ୍ର ବିଜେଡି, ଛାତ୍ର କଂଗ୍ରେସ କେହି କାହାକୁ କମ୍ ନୁହଁନ୍ତି । ସବୁ କ୍ୟାମ୍ପସରେ କଲେଜ କିମ୍ବା ବିଶ୍ୱବିଦ୍ୟାଳୟର ନାଁ ସହ ନିଜର ସଂଗଠନର ନାଁକୁ ଯୋଡ଼ି ଫେସବୁକ ପେଜ୍, ଇନଷ୍ଟାଗ୍ରାମ ଆଇଡିରେ ପେଜ୍ ତିଆରି ହୋଇଛି । ଯେତେ ଅଧିକରୁ ଅଧିକ ପିଲାଙ୍କୁ ଯୋଡ଼ିବେ ପୁସିଂ କାର୍ଡ ବଦଳରେ ସୋସିଆଲ୍ ମିଡିଆ ମାଧ୍ୟମରେ ପିଲାଙ୍କ ପାଖେ ପହଞ୍ଚିବେ ପ୍ରତିଦିନର ଆକ୍ଟିଭିଟିକୁ ଏହି ପେଜରେ ପୋଷ୍ଟ କରାଯାଉଛି । ଏହାକୁ କିପରି ଅଧିକରୁ ଅଧିକ ବୁଷ୍ଟ କରାଯିବ ସେଥିଲାଗି ଟଙ୍କା ଖର୍ଚ୍ଚ କରାଯାଉଛି । ପୁସିଂ କାର୍ଡ ବଦଳରେ ସୋସିଆଲ୍ ମିଡିଆ ପ୍ରଚାରକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାକୁ ନିୟମିତ ବ୍ୟବଧ୍ୟାନରେ ପରିଚାଳନା କରିବା ପାଇଁ ସ୍ୱତନ୍ତ୍ର ପିଲାଙ୍କୁ ନିୟୋଜିତ କରାଯାଇଛି । ଏମିତିକି ଏଆଇକୁ ବ୍ୟବହାର ପ୍ରତିପକ୍ଷ ପ୍ରାର୍ଥୀ ଓ ସଂଗଠନକୁ ସମାଲୋଚନା ମଧ୍ୟ କରୁଛନ୍ତି ।
ସୌଜନ୍ୟ ପ୍ରମେୟ




