ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜନଶୁଣାଣି ପୋର୍ଟାଲରେ ରାଜ୍ୟପାଳଙ୍କ ସଚିବାଳୟ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ, ପୁଲିସ ଡିଜି /ପୁଲିସ ମୁଖ୍ୟାଳୟ, ବିଭିନ୍ନ ପ୍ରଶାସନିକ ବିଭାଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଏସ୍ପିଙ୍କ କାର୍ଯ୍ୟାଳୟକୁ ଏହି ୨୯ମାସରେ ୧୨,୫୦,୫୩୩ଟି ଅଭିଯୋଗ ଆସିଥିବାବେଳେ ଅକ୍ଟୋବର ୩୧ ସୁଦ୍ଧା ୧୦,୮୩,୪୭୯ଟି ଅଭିଯୋଗର ସମାଧାନ ହୋଇଛି। ଅର୍ଥାତ୍ ଏବେ ବି ୧,୬୭,୦୫୪ଟି ଅଭିଯୋଗର (୧୩.୪%) ଶୁଣାଣି ହୋଇନି ବା ସମାଧାନ ହୋଇନି। କେବଳ ପୁଲିସ ଡିଜିଙ୍କ କାର୍ଯ୍ୟାଳୟ ନୁହେଁ, ଜିଲ୍ଲାସ୍ତରରେ ଏସ୍ପିଙ୍କ କାର୍ଯ୍ୟାଳୟକୁ ମୋଟ ୩୮,୧୫୧ଟି ଅଭିଯୋଗ ଆସିଥିବାବେଳେ ଏଥିରୁ ୨୫,୫୯୯ଟିର ଶୁଣାଣି ହୋଇଥିବାବେଳେ ୧୨,୫୫୨ଟି ଅଭିଯୋଗ ପଡ଼ିରହିଛି। ଅର୍ଥାତ୍ ୩୨.୯% ଅଭିଯୋଗର ଶୁଣାଣି ହୋଇନି। କେବଳ ରାଜ୍ୟ ସ୍ତରରେ ନୁହେଁ, ଜିଲ୍ଲାସ୍ତରରେ ବି ତ୍ବରିତ ନ୍ୟାୟ ପାଇବା ଆଶାରେ ଯାଉଥିବା ଅଭିଯୋଗକାରୀମାନେ ତୁରନ୍ତ ନ୍ୟାୟ ପାଉନାହାନ୍ତି।
ପୁଲିସ ମୁଖ୍ୟାଳୟରେ ପଡ଼ି ରହିଛି ୭୪.୫% ଅଭିଯୋଗ
ଜନଶୁଣାଣିରେ ୮୬.୬% ଅଭିଯୋଗ ସମାଧାନ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବାଧିକ ୯୦% ସମାଧାନ
ସିଏମ୍ଓ, ମୁଖ୍ୟସଚିବ, ପ୍ରଶାସନିକ କାର୍ଯ୍ୟାଳୟରେ ତୁରନ୍ତ ସମାଧାନ ହେଉଛି
ରାଜ୍ୟପାଳଙ୍କ ପାଖରେ ବି ପଡ଼ିରହିଛି ୪୨% ଅଭିଯୋଗପତ୍ର
ଅପରପକ୍ଷେ ଅଭିଯୋଗ ସମାଧାନ କ୍ଷେତ୍ରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଗୁଡ଼ିକ ସବୁଠାରୁ ଆଗରେ ରହିଛି। ବିଭିନ୍ନ ଜିଲ୍ଲା ମୁଖ୍ୟାଳୟକୁ ଆସିଥିବା ମୋଟ ୬,୦୭,୩୨୨ଟି ଅଭିଯୋଗ ମଧ୍ୟରୁ ୫,୪୬,୯୯୭ଟିର ସମାଧାନ ହୋଇଛି। ଏହାର ସମାଧାନ ହାର ୯୦.୧% ରହିଥିଲେ ହେଁ ମୋଟ ଉପରେ ଏବେବି ୬୦,୩୨୫ଟି ଅଭିଯୋଗ ପଡ଼ିରହିଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ୨,୨୨,୩୦୩ଟି ଅଭିଯୋଗ ଆସିଥିବାବେଳେ ଏଥିରୁ ୧,୯୭,୮୨୦ଟିର ସମାଧାନ ହୋଇଛି। ଏଠାରେ ସମାଧାନ ହାର ୮୯% ଥିବାବେଳେ ଏବେ ବି ୨୪,୪୮୩ଟି ଅଭିଯୋଗ ପଡ଼ିରହିଛି। ସେହିପରି ପ୍ରଶାସନିକ ବିଭାଗଗୁଡ଼ିକରେ ୨,୯୮,୭୬୦ଟି ଅଭିଯୋଗ ମଧ୍ୟରୁ ୨,୬୫,୩୮୮ଟି ସମାଧାନ ହୋଇଛି। ଏଠାରେ ବି ସମାଧାନ ହାର ୮୮.୮%। ଏବେ ବି ୩୩,୩୭୨ଟି ଅଭିଯୋଗ ବିଚାରାଧୀନ ରହିଛି। ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟକୁ ଆସିଥିବା ୩୩,୨୨୪ଟି ଅଭିଯୋଗ ମଧ୍ୟରୁ ୨୯,୦୪୫ଟିର ସମାଧାନ ହୋଇଛି। ସମାଧାନ ହାର ୮୭.୪%। ଏଠାରେ ୪,୧୭୯ଟି ଅଭିଯୋଗ ପଡ଼ିରହିଛି।
ଅାଉ ଏକ ଚକିତ କରିବା ଭଳି ତଥ୍ୟ ହେଉଛି ଲୋକମାନେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ଜିଲ୍ଲାପାଳ, ପ୍ରଶାସନିକ କାର୍ଯ୍ୟାଳୟରେ ଅଭିଯୋଗ କଲେ ତ୍ବରିତ ନ୍ୟାୟ ପାଉଥିଲେ ହେଁ ବିଭିନ୍ନ ଆଡ଼ୁ ନିରାଶ ହେବା ପରେ ଯେଉଁମାନେ ରାଜ୍ୟପାଳଙ୍କ ଠାରୁ ନ୍ୟାୟ ପାଇବା ପାଇଁ ରାଜଭବନ ସଚିବାଳୟରେ ଅଭିଯୋଗପତ୍ର ଦେଉଛନ୍ତି, ତାହାର ଶୁଣାଣିରେ ବିଳମ୍ବ ହେଉଛି। ଏଠାରେ ମୋଟ ୧୭,୩୫୭ଟି ଅଭିଯୋଗ ଆସିଥିବାବେଳେ ୧୦,୧୦୫ଟିର ସମାଧାନ ହୋଇଛି। ୭,୨୫୨ଟି ଅଭିଯୋଗପତ୍ର ପଡ଼ିରହିଛି। ଅର୍ଥାତ୍ ପ୍ରାୟ ୪୨% ଅଭିଯୋଗକାରୀ ନ୍ୟାୟ ଆଶାରେ ଅଛନ୍ତି।