ରାଜ୍ୟ

The Hero of the Football: ଭଙ୍ଗା ଘରେ ଫୁଟବଲ ପଡ଼ିଆର ନାୟକ

ଦିନେ ଫୁଟବଲ ପଡ଼ିଆରେ ନିଜ ପ୍ରତିଭା ବଳରେ ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ଜାତୀୟସ୍ତରରେ ଖେଳି ରାଜ୍ୟର ନାଁ ଉଜ୍ଜ୍ୱଳ କରିଥିଲେ। ହେଲେ ଆଜି ସେହି ଖେଳାଳିଙ୍କ ଭାଗ୍ୟରେ ଜୁଟୁନି ମୁଣ୍ଡ ଗୁଞ୍ଜିବାକୁ ସୁରକ୍ଷିତ ଘର ଖଣ୍ଡିଏ।

ନୂଆପଡ଼ା/କୋମନା: ଦିନେ ଫୁଟବଲ ପଡ଼ିଆରେ ନିଜ ପ୍ରତିଭା ବଳରେ ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ଜାତୀୟସ୍ତରରେ ଖେଳି ରାଜ୍ୟର ନାଁ ଉଜ୍ଜ୍ୱଳ କରିଥିଲେ। ହେଲେ ଆଜି ସେହି ଖେଳାଳିଙ୍କ ଭାଗ୍ୟରେ ଜୁଟୁନି ମୁଣ୍ଡ ଗୁଞ୍ଜିବାକୁ ସୁରକ୍ଷିତ ଘର ଖଣ୍ଡିଏ। ଭଙ୍ଗା ଘର ଓ ତାରପୋଲିନ୍ ତଳେ ପରିବାର ସହ ଦୁର୍ବିଷହ ଜୀବନ କାଟୁଛନ୍ତି ନୂଆପଡ଼ା ଜିଲ୍ଲା କୋମନାର ଜାତୀୟ ଫୁଟବଲ ଖେଳାଳି ରାଧେଶ୍ୟାମ କରୁଆଁ। ରାଧେଶ୍ୟାମଙ୍କ ପିଲାଦିନୁ ଖେଳ ପ୍ରତି ରହିଥିଲା ଅହେତୁକ ଆଗ୍ରହ। ୧୯୮୯ରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲା ପକ୍ଷରୁ ସେ ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପରବର୍ତ୍ତୀ ସମୟରେ କଟକରେ ରହି କିଛି ବର୍ଷ ତାଲିମ ନେଇଥିଲେ। ତେବେ ଉଚ୍ଚତା କମ୍ ଥିବାରୁ ଭଲିବଲ ଖେଳିବାରେ ସମସ୍ୟା ହେବାରୁ ସେ ଘରକୁ ଫେରି ଆସିଥିଲେ। ୧୯୯୦ରେ ଆରମ୍ଭ ହୋଇଥିଲା ତାଙ୍କ ଫୁଟବଲ ଯାତ୍ରା।

ପ୍ରଥମେ ରାଜ୍ୟ ଦଳରେ ସ୍ଥାନ ପାଇ ସୁନ୍ଦରଗଡ଼ ଜିଲ୍ଲାରେ ଆୟୋଜିତ ଫୁଟବଲ ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରିଥିଲେ। ପରେ କଟକରେ ତିନି ମାସ ତାଲିମ ନେଇ ଓଡ଼ିଶା ଫୁଟବଲ ଦଳରେ ସାମିଲ ହୋଇଥିଲେ। ଏହାର ପରବର୍ଷ ୧୯୯୧ରେ ଜାତୀୟସ୍ତରରେ ଖେଳିବାର ସୁଯୋଗ ପାଇଥିଲେ। ଲକ୍ଷ୍ନୌରେ ଅନୁଷ୍ଠିତ ପ୍ରତିଯୋଗିତାରେ ଦିଲ୍ଲୀ, ତାମିଲନାଡୁ ଓ ପଶ୍ଚିମବଙ୍ଗ ଦଳ ବିପକ୍ଷରେ ଖେଳି ଓଡ଼ିଶା ପାଇଁ ସୁନାମ ଆଣିଥିଲେ। ଏତେ ସଫଳତା ସତ୍ତ୍ୱେ ଆଜି ତାଙ୍କ ଜୀବନରେ ଦୁର୍ଦ୍ଦଶା ଦୂର ହୋଇନାହିଁ। ପରିବାରର ତିନି ଜଣ ସଦସ୍ୟଙ୍କ ସହ ସେ ଭଙ୍ଗା ଘରେ ରହୁଛନ୍ତି। ଘର ଅବସ୍ଥା ଏତେ ଖରାପ ଯେ କେତେବେଳେ ଭୁଶୁଡ଼ି ପଡ଼ିବ, ସେ ନେଇ ଆଶଙ୍କା ଲାଗି ରହୁଛି। ଏହି ଭୟରେ ରାତିସାରା ଅନିଦ୍ରା ରହିବାକୁ ପଡ଼ୁଛି। ଘର ଖଣ୍ଡିଏ ପାଇଁ ସେ ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ୍ ଅଧ୍ୟକ୍ଷ, ବିଡିଓ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ସମସ୍ୟା ଜଣାଇଛନ୍ତି। ହେଲେ ଏଯାଏଁ କୌଣସି ସମାଧାନର ବାଟ ଫିଟିନାହିଁ। ରାଜ୍ୟ ପାଇଁ ଗୌରବ ଆଣିଥିବା ଜଣେ ଖେଳାଳିଙ୍କ ଏଭଳି ଅବହେଳିତ ଜୀବନକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button