Kartik Boat Making: କାର୍ତ୍ତିକ ଆସିଲେ ଖୋଜାପଡ଼ନ୍ତି ବିଜୟ, ୨୧ ବର୍ଷ ଧରି ଡଙ୍ଗା ଗଢ଼ିବା ନିଶା

ଭୁବନେଶ୍ୱର, ୧୮।୧୧: ଗତ ୨୧ ବର୍ଷ ହେବ ମୋର ଡଙ୍ଗା ସହିତ ସମ୍ପର୍କ । ଡଙ୍ଗା ହେଉଛି ମୋର ପରିଚୟ । ମୋ ଦେହରେ ହଜାରେ ପିଡା଼ ଥାଉ ପଛକେ ମୁଁ ଡଙ୍ଗା କରିବାକୁ ପଛ ଘୁଞ୍ଚା ଦିଏନି । ଅଳ୍ପ ହେଉ ପଛକେ କାର୍ତ୍ତିକରେ ଡଙ୍ଗା ତିଆରି ନକଲେ ମୋ ମନ ଥୟ ଧରେନି । ମୋ ପିଣ୍ଡରେ ପ୍ରାଣ ଥିବାଯାଏ ଡଙ୍ଗା ତିଆରି କରିବି ବୋଲି କହିଛନ୍ତି ଡଙ୍ଗା କାରିଗର ବିଜୟ ବେହେରା । ବିଜୟଙ୍କ ଘର ପୁରୁଣା ଭୁବନେଶ୍ୱର ନଳାମୁହଁ ସାହି । ବୟସ ୬୨ବର୍ଷ ଛୁଇଁଲାଣି । ଦେହ ବି ଅସୁସ୍ଥ ହୋଇଗଲାଣି । ଆଖିକୁ ଠିକ୍ ଭାବେ ଦେଖାଯାଉନି । ହେଲେ ମନ ତାଙ୍କର ଡଙ୍ଗା ଗଢ଼ିବାରେ । ବେଉସାରେ ସେ ହେଉଛନ୍ତି ଜଣେ ରାଜମିସ୍ତ୍ରୀ । କିନ୍ତୁ ଡଙ୍ଗା ଗଢ଼ିବାର ଦକ୍ଷତା କୌଣସି ନିଖୁଣ କାରିଗରଠୁ କମ୍ ନୁହେଁ । ସୋଲ ବ୍ୟବହାର କରି ସେ ଭଳିକି ଭଳି ଡଙ୍ଗା ଗଢ଼ନ୍ତି ।
ସୋଲକୁ ହଂସ ଆକୃତିର କାଟି ଆଲ୍ପିନ୍, ଅଠା, ଜିଙ୍କ୍ ଦେଇ ପ୍ରସ୍ତୁତ କରୁଥିବା ତାଙ୍କ ଡଙ୍ଗାର ଥାଏ ଅନେକ ଆଦର । ତାଙ୍କର ସବୁଠୁ ଆକର୍ଷଣୀୟ ଡଙ୍ଗା ଭିତରେ ହଂସ ହିଁ ମୁଖ୍ୟ । ବହୁ ଦୂର ଦୂରାନ୍ତରୁ ଲୋକମାନେ ୧୫ଦିନ ପୂର୍ବରୁ ଆସି ଡଙ୍ଗା ବରାଦି ଦେଇ ଯାଆନ୍ତି । ଏକ ନମ୍ବର ହାଟର ଅନେକ ବ୍ୟବୟାସୀ ପ୍ରତ୍ୟେକ ବର୍ଷ ତାଙ୍କ ପାଖରୁ ଡଙ୍ଗା ନେଇଥାନ୍ତି । ତାଙ୍କ ଡଙ୍ଗାର ମୂଲ୍ୟ ୩୦ ଟଙ୍କାରୁ ଆରମ୍ଭ ହୋଇ ୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ହେଲେ ଚଳିତବର୍ଷ ସ୍ୱାସ୍ଥ୍ୟଗତ କାରଣରୁ ଡଙ୍ଗା ତିଆରି କରିବାରେ ବିଳମ୍ବ ହୋଇଛି । ଆଗଭଳି ବଡ଼ ଡଙ୍ଗା କରିପାରିନାହାନ୍ତି । ଏଥର ପ୍ରାୟ ୧୯୦ଟି ଛୋଟ ଡଙ୍ଗା କରିଛନ୍ତି । ବିଜୟ କୁହନ୍ତି, ଆଗଭଳି ଆଉ ବେପାର ନାହିଁ । ଡଙ୍ଗା ତିଆରି ଜିନିଷର ମୂଲ୍ୟ ବହୁତ ବଢ଼ିଯାଇଛି । କଳା ଶିଖିଛି ବୋଲି ଡଙ୍ଗା ତିଆରି କରୁଛି ।
ସୌଜନ୍ୟ ପ୍ରମେୟ




