ଦେଶ ବିଦେଶ

UN Debate: ସିନ୍ଧୁଜଳ ଚୁକ୍ତି ପ୍ରସଙ୍ଗରେ ଜାତିସଂଘ ମଞ୍ଚର ଅପବ୍ୟବହାର କରୁଛି ପାକିସ୍ତାନ: ଭାରତ

ସିନ୍ଧୁଜଳ ଚୁକ୍ତି ପ୍ରସଙ୍ଗ ଉଠାଇ ଜାତିସଂଘର ଆଲୋଚନା ମଞ୍ଚକୁ ନିଜର ପ୍ରଚାର ପାଇଁ ପାକିସ୍ତାନ ଅପବ୍ୟବହାର କରୁଛି ବୋଲି ଅଭିଯୋଗ କରିଛି ଭାରତ। ଏଥିସହ ପାକିସ୍ତାନୀ ସେନା ଦେଶର ପ୍ରାକୃତିକ ସମ୍ପଦକୁ ନିଜର ସ୍ୱାର୍ଥ ପାଇଁ ଲୁଟ୍‌ କରୁଥିବା...

ନ୍ୟୁୟର୍କ: ସିନ୍ଧୁଜଳ ଚୁକ୍ତି (ଆଇଡବ୍ଲ୍ୟୁଟି) ପ୍ରସଙ୍ଗ ଉଠାଇ ଜାତିସଂଘର ଆଲୋଚନା ମଞ୍ଚକୁ ନିଜର ପ୍ରଚାର ପାଇଁ ପାକିସ୍ତାନ ଅପବ୍ୟବହାର କରୁଛି ବୋଲି ଅଭିଯୋଗ କରିଛି ଭାରତ। ଏଥିସହ ପାକିସ୍ତାନୀ ସେନା ଦେଶର ପ୍ରାକୃତିକ ସମ୍ପଦକୁ ନିଜର ସ୍ୱାର୍ଥ ପାଇଁ ଲୁଟ୍‌ କରୁଥିବା ଏବଂ ପଡ଼ୋଶୀ ଦେଶଗୁଡ଼ିକ ସହ ସଂଘର୍ଷ ସୃଷ୍ଟି କରି ନିଜ ଦେଶରେ ରାଜନୈତିକ ଅସ୍ଥିରତା ବଢ଼ାଉଥିବା ଅଭିଯୋଗ ଆଣିଛି। ଜାତିସଂଘ ସୁରକ୍ଷା ପରିଷଦରେ ବୁଧବାର ଲାଇବେରିଆ ପକ୍ଷରୁ ଆୟୋଜିତ ପ୍ରାକୃତିକ ସମ୍ପଦ ଓ ସଂଘର୍ଷ ଶୀର୍ଷକ ଆରିଆ ଫର୍ମୁଲା ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧି ରାଜଦୂତ ପର୍ବଥାନେନି ହରିଶ ଏହି ମନ୍ତବ୍ୟ ଦେଇଛନ୍ତି।

ବୈଠକରେ ପାକିସ୍ତାନ ପ୍ରତିନିଧି ସିନ୍ଧୁଜଳ ଚୁକ୍ତି ପ୍ରସଙ୍ଗ ଉଠାଇବା ପରେ ହରିଶ କହିଥିଲେ, ଦ୍ୱିପାକ୍ଷିକ ବିବାଦକୁ ଏହି ମଞ୍ଚକୁ ଆଣିବା ଭାରତର ଉଦ୍ଦେଶ୍ୟ ନଥିଲା। କିନ୍ତୁ ପାକିସ୍ତାନ ନିଜର ପ୍ରଚାର ପାଇଁ ଆଜିର ଆଲୋଚନାକୁ ଅପବ୍ୟବହାର କରିଥିବାରୁ ଭାରତକୁ ଜବାବ ଦେବାକୁ ପଡ଼ୁଛି। ସିନ୍ଧୁଜଳ ଚୁକ୍ତି ଉପରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ ଓ ଅପରିବର୍ତ୍ତିତ ରହିଛି ବୋଲି ସେ କହିଥିଲେ।

ପାକିସ୍ତାନୀ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ଆମେରିକା ଗସ୍ତ ସମୟର ଏକ ଘଟଣାକୁ ଉଲ୍ଲେଖ କରି ହରିଶ ପାକିସ୍ତାନୀ ସେନାର ଭୂମିକା ଉପରେ ପ୍ରଶ୍ନ ଉଠାଇଥିଲେ। ଗତବର୍ଷ ହ୍ୱାଇଟ୍‌ ହାଉସ୍‌ରେ ମୁନିର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖଣିଜ ପଥର ଭର୍ତ୍ତି ଏକ କାଠ ବାକ୍ସ ଦେଖାଇଥିଲେ। ଏହା ପାକିସ୍ତାନର ପ୍ରାକୃତିକ ସମ୍ପଦ ଉପରେ ସେନାର ପ୍ରତ୍ୟକ୍ଷ ନିୟନ୍ତ୍ରଣର ସୂଚନା ଦେଉଛି ବୋଲି ଭାରତୀୟ ପ୍ରତିନିଧି କହିଥିଲେ। ସମ୍ପଦରୁ ମିଳୁଥିବା ଲାଭ ସାଧାରଣ ଜନତାଙ୍କ ପରିବର୍ତ୍ତେ ସେନାର ଶୀର୍ଷ ଅଧିକାରୀଙ୍କ ସ୍ୱାର୍ଥରେ ବ୍ୟବହାର ହେଉଥିବା ସେ ଅଭିଯୋଗ କରିଥିଲେ। ପାକିସ୍ତାନୀ ସେନା ପଡ଼ୋଶୀ ଦେଶଗୁଡ଼ିକ ସହ ସଂଘର୍ଷ ସୃଷ୍ଟି ବନ୍ଦ କରିବା ଉଚିତ ବୋଲି ମଧ୍ୟ ସେ କହିଥିଲେ।

ଏହି ବୈଠକରେ ହରିଶ ପ୍ରାକୃତିକ ସମ୍ପଦର ସୁପରିଚାଳନା ପାଇଁ ନୂଆ ଅନ୍ତର୍ଜାତୀୟ ନିୟମ ପ୍ରଣୟନ ପରିବର୍ତ୍ତେ ପୂର୍ବରୁ ଥିବା ସ୍ୱେଚ୍ଛାକୃତ ବ୍ୟବସ୍ଥାଗୁଡ଼ିକୁ ଅଧିକ ସୁଦୃଢ଼ କରିବାକୁ ମତ ଦେଇଥିଲେ। ସେ ହୀରାର ବେଆଇନ ବାଣିଜ୍ୟ ରୋକିବା ପାଇଁ ଥିବା କିମ୍ବର୍ଲି ପ୍ରକ୍ରିୟାର ଉଦାହରଣ ଦେଇଥିଲେ। ୨୦୨୬ରେ ଏହି ପ୍ରକ୍ରିୟାର ଅଧ୍ୟକ୍ଷ ଭାବେ ଭାରତ ଏହାକୁ ଅଧିକ ପ୍ରଭାବଶାଳୀ ଓ ସମାବେଶୀ କରିବାକୁ ପ୍ରତିବଦ୍ଧ ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ, ପାକିସ୍ତାନୀ ପ୍ରତିନିଧି ଅନସାର ଶାହ ଭାରତର ସିନ୍ଧୁଜଳ ଚୁକ୍ତିକୁ ସ୍ଥଗିତ ରଖିବା ନିଷ୍ପତ୍ତିକୁ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି କହିଥିଲେ। ଏହାଦ୍ୱାରା ୨୪ କୋଟିରୁ ଅଧିକ ପାକିସ୍ତାନୀଙ୍କ ଜଳ ନିରାପତ୍ତା ବିପନ୍ନ ହୋଇପାରେ ବୋଲି ସେ ଚେତାବନୀ ଦେଇଥିଲେ। ଏହି ଚୁକ୍ତିରେ ଏକପାଖିଆ ଭାବେ ସ୍ଥଗିତ ରଖିବାର ବ୍ୟବସ୍ଥା ନାହିଁ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଏହାକୁ ନେଇ ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ଜାତିସଂଘ ମଞ୍ଚରେ ତୀବ୍ର ବାଗ୍‌ଯୁଦ୍ଧ ହୋଇଥିଲା।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button