ରାଜ୍ୟ

Humanity: ମୃତ୍ୟୁ ଶୋକ ମଧ୍ୟରେ ମାନବିକତା: ମୃତ ପୁଅର ଚକ୍ଷୁଦାନ କଲେ ମା’

୧୫ ବର୍ଷ ତଳେ ସ୍ବାମୀ ଚାଲି ଯାଇଥିଲେ। ୨ ପୁଅଙ୍କ ମୁହଁକୁ ଚାହିଁ ବୈଧବ୍ୟ ଦୁଃଖକୁ ଭୁଲିଥିଲେ ସରିତା। ହେଲେ ତାଙ୍କ କପାଳରେ ଦୁଃଖ ହିଁ ଲେଖାଥିଲା ଯେମିତି। ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୯ ବର୍ଷର ସାନପୁଅ।

ସୁନ୍ଦରଗଡ଼: ୧୫ ବର୍ଷ ତଳେ ସ୍ବାମୀ ଚାଲି ଯାଇଥିଲେ। ୨ ପୁଅଙ୍କ ମୁହଁକୁ ଚାହିଁ ବୈଧବ୍ୟ ଦୁଃଖକୁ ଭୁଲିଥିଲେ ସରିତା। ହେଲେ ତାଙ୍କ କପାଳରେ ଦୁଃଖ ହିଁ ଲେଖାଥିଲା ଯେମିତି। ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୯ ବର୍ଷର ସାନପୁଅ। ପୁଅର ମୃତଦେହ ଦେଖି ଅଚେତ ହୋଇ ଯାଇଥିଲେ ସରିତା। କିନ୍ତୁ ଏଭଳି ଏକ ଶୋକ ସମୟରେ ମଧ୍ୟ ନିଜକୁ ସମ୍ଭାଳି ପୁଅର ଚକ୍ଷୁଦାନ କରିଛନ୍ତି। ବୁଧବାର ହେମଗିର ଥାନା ହେମଗିର-ଗର୍ଜନବାହାଲ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓମ୍‌ ପଟ୍ଟନାୟକଙ୍କ ଶୋଚନୀୟ ମୃତ୍ୟୁ ପରେ ଏମିତି ଏକ ମାର୍ମିକ ଚିତ୍ର ସାମନାକୁ ଆସିଛି। ମା’ଙ୍କ ଇଚ୍ଛାକ୍ରମେ ବଡ଼ପୁଅ ଶୁଭମ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲା ଡାକ୍ତରଖାନାକୁ ଯାଇ ଦୃଷ୍ଟିଦାନ କେନ୍ଦ୍ରରେ ଓମ୍‌ଙ୍କ ଚକ୍ଷୁଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଓମ୍‌ ଖଣିରୁ କାମ ସାରି ବାଇକ୍‌ରେ ହେମଗିରସ୍ଥିତ ଘରକୁ ଫେରୁଥିଲେ। ଏହି ସମୟରେ ହେମଗିରି-ଗର୍ଜନବାହାଲ ରାସ୍ତାରେ ଏକ ଟ୍ରେଲର୍‌ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହେମଗିର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସେଠାରୁ ସୁନ୍ଦରଗଡ଼ ନେଇଥିଲେ। ଗୁରୁବାର ବ୍ୟବଚ୍ଛେଦ ପରେ ମୃତଦେହ ଗାଁକୁ ନିଆଯାଇ ଶୋକାକୁଳ ପରିବେଶରେ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ କରାଯାଇଛି।

କୋଇଲା ପରିବହନ ରୋକିଲେ ଲୋକେ 
ଟ୍ରେଲର୍‌ ଧକ୍କାରେ ଓମ୍‌ଙ୍କ ମୃତ୍ୟୁ ପରେ ହେମଗିରରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଲୋକେ ହେମଗିର-କନିକା ରାସ୍ତା ଅବରୋଧ କରି କୋଇଲା ପରିବହନ ବନ୍ଦ କରି ଦେଇଛନ୍ତି। ଦୁର୍ଘଟଣାରେ ପ୍ରତିଦିନ ଧନଜୀବନ ହାନି ହେଉଥିବାରୁ ସର୍ବସାଧାରଣ ରାସ୍ତାରେ କୋଇଲା ପରିବହନ ନ କରିବାକୁ ଦାବି କରିଛନ୍ତି। ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ପୁଲିସ, ପ୍ରଶାସନ ରାସ୍ତାର ଗୋଟିଏ ପାର୍ଶ୍ବ କୋଇଲା ପରିବହନ ଓ ଅନ୍ୟ ରାସ୍ତା କେବଳ ଲୋକଙ୍କ ଯାତାୟାତ ପାଇଁ ବ୍ୟବହାର ହେବ ବୋଲି ଚୁକ୍ତି କରିଥିଲା। କିଛି ଦିନ ଚୁକ୍ତି ଅନୁସାରେ ଗାଡ଼ି ଚଳାଚଳ ମଧ୍ୟ ହୋଇଥିଲା। ପରେ ପୂର୍ବ ଭଳି ଦୁଇ ରାସ୍ତାରେ କୋଇଲା ବୋଝେଇ ଭାରୀଯାନ ଚଳାଚଳ କରି ରାସ୍ତାକୁ ଏକ ପ୍ରକାର କବଜା କରି ନେଇଥିବା ଅଭିଯୋଗ ହୋଇଛି। ପ୍ରଶାସନ ଏ ସଂକ୍ରାନ୍ତରେ ଠିକଣା ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button