ରାୟଗଡ଼ା (ଶିବ ପ୍ରସାଦ ଦୋରା):ରାୟଗଡ଼ାଜିଲ୍ଲା ମୁନିଗୁଡ଼ା ବନାଞ୍ଚଳରେ ଥମୁନି ହାତୀ ଆକ୍ରମଣ ଘଟଣା। ପୁଣି ଜଣେ ମହିଳାଙ୍କ ଜୀବନ ନେଇଛି ହାତୀ। ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତର ରଣସIପଦର ଗାଁର ନିଳେନ୍ଦ୍ରୀ ବାଗ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳୁ ନିଳେନ୍ଦ୍ରୀ ଶୌଚ ପାଇଁ ଯାଇଥିବା ସମୟରେ ୨ରୁ ୪ଟି ହାତୀ ତାଙ୍କୁ ଆକ୍ରମଣ କରିବା ସହ ଦଳି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ରଣଶIପଦର ଗାଁରେ ଶୋକର ଛାୟା ଖେଳିଯାଇଛି।
ଗତ ୧୯ ତାରିଖରେ ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ରଘୁବାରି ପଞ୍ଚାୟତର କାନ୍ତାମାଣୀ ଗ୍ରାମର ଗୁଟଲୀ ମାଝୀ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ ଓ ତାଙ୍କ ସ୍ୱାମୀ ଆହତ ହୋଇଥିଲେ। ଦଶ ଦିନ ବ୍ୟବଧାନରେ ଦୁଇ ମହିଳାଙ୍କ ଜୀବନହାନୀ ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଉଦ୍ବେଗ ପ୍ରକାଶ ପାଇଛି। ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଜନବସତି ଅଞ୍ଚଳରେ ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।
୨୯ ଟିକିଆ ହାତୀପଲ
ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବନାଞ୍ଚଳର ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ୨୯ ଟିକିଆ ହାତୀପଲ କିଛି ଦିନ ହେଲା ଉପଦ୍ରବ ଚଳାଇଛନ୍ତି। ଗତ ୨୦ ଦିନ ହେଲା ଇଚ୍ଛାପୁର ପଞ୍ଚାୟତର ବିଭିନ୍ନ ଗାଁରେ ହାତୀପଲ ପଶି ଏକର ଏକର ଚାଷଜମି ନଷ୍ଟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିଯୋଗୁଁ ଅଞ୍ଚଳରେ ହାତୀ ଭୟ ଲାଗି ରହିଥିବା ବେଳେ ଫସଲ ସୁରକ୍ଷାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି।
ହାତୀପଲ ଗାଁ ଓ ଚାଷଜମି ମୁହାଁ
ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତର ଡେଙ୍ଗେନ, କାଡ଼ାଘାଟି ଓ ଗୋଡ଼ିଖାଲ ଅଞ୍ଚଳରେ ୨୯ ଟିକିଆ ହାତୀପଲ ଭାଗ ଭାଗ ହୋଇ ଘୂରି ବୁଲୁଛନ୍ତି। ସନ୍ଧ୍ୟା ହେଲେ ହାତୀପଲ ଗାଁ ଓ ଚାଷଜମି ମୁହାଁ ହେଉଛନ୍ତି। ହାତୀଙ୍କ ଉପଦ୍ରବରେ ଧାନ ଫସଲ ସମେତ କପା, ବିରି ଓ ମୁଗ ଚାଷ ନଷ୍ଟ ହୋଇଛି। ହାତୀ ଭୟରେ ୫ରୁ ୬ ଖଣ୍ଡ ଗାଁର ଲୋକେ ସନ୍ଧ୍ୟା ୫ଟା ପରେ ଘରୁ ବାହାରିବାକୁ ଭୟ କରୁଛନ୍ତି। ମୁନିଗୁଡା ବନାଞ୍ଚଳର ଅମ୍ବାଦଳା ବିଟ ର ବନ କର୍ମଚାରୀ ମାନେ ହାତୀ ଚଳାଚଳକୁ ନଜର ରଖିଥିବା ବେଳେ ଆଜି ଏଭଳି ଅଘଟଣ ଘଟିଥିଲା। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚିଛନ୍ତିI
ସୌଜନ୍ୟ ସମ୍ବାଦ