Gandhi’s Perspective: ଗାନ୍ଧୀ ଦୃଷ୍ଟି: ଅପମିଶ୍ରଣ ମହାପାପ!
୧୯୩୫ ନଭେମ୍ବର ୨ ତାରିଖ ‘ହରିଜନ’ ପତ୍ରିକାରେ ଗାନ୍ଧୀଜୀ ଏକ ପ୍ରବନ୍ଧ ଲେଖିଥିଲେ। ପ୍ରବନ୍ଧର ଶିରୋନାମା ଥିଲା ‘ଘି’ (ଘିଅ)। ଗାନ୍ଧୀଜୀ ଲେଖିଥିଲେ, ‘‘ଘିଅ ଏକ ବଡ଼ଲୋକିଆ ଖାଦ୍ୟ। ଇଚ୍ଛା ଥାଇ ବି ଆର୍ଥିକ କ୍ଷମତା ନ ଥିଲେ ଘିଅ ଖାଇ ହେବନି।

ଗୌରାଙ୍ଗ ଚରଣ ପରିଡ଼ା
୧୯୩୫ ନଭେମ୍ବର ୨ ତାରିଖ ‘ହରିଜନ’ ପତ୍ରିକାରେ ଗାନ୍ଧୀଜୀ ଏକ ପ୍ରବନ୍ଧ ଲେଖିଥିଲେ। ପ୍ରବନ୍ଧର ଶିରୋନାମା ଥିଲା ‘ଘି’ (ଘିଅ)। ଗାନ୍ଧୀଜୀ ଲେଖିଥିଲେ, ‘‘ଘିଅ ଏକ ବଡ଼ଲୋକିଆ ଖାଦ୍ୟ। ଇଚ୍ଛା ଥାଇ ବି ଆର୍ଥିକ କ୍ଷମତା ନ ଥିଲେ ଘିଅ ଖାଇ ହେବନି। ଯେଉଁସବୁ ଭଲ ମିଠା ତିଆରି ହୁଏ, ସେସବୁ ଭଲ ଘିଅରେ ହୁଏ। କିନ୍ତୁ ବିଡ଼ମ୍ବନା ଯେ ଏବେ ବଜାରରେ ଯେତେସବୁ ଅପମିଶ୍ରିତ ଖାଦ୍ୟ ମିଳୁଛି ସବୁଠାରୁ ବେଶୀ ଅପମିଶ୍ରିତ ଖାଦ୍ୟ ହେଉଛି ଘିଅ। ଘିଅରେ ବିଭିନ୍ନ ପ୍ରକାରର ଚର୍ବି ମିଶୁଛି ଯାହା ଜଣେ ନିରାମିଷାଶୀ ଖାଇବା ମନା। ଉଦ୍ଭିଦ ତେଲକୁ ପ୍ରକ୍ରିୟାକରଣରେ ଜମାଟ ବାନ୍ଧି ଘିଅରେ ମିଶାଯାଉଛି, ଯାହା ପୁଷ୍ଟିକତା ହ୍ରାସ କରୁଛି। ଘିଅରେ ବାସି ତେଲ ମିଶୁଛି ଯାହା ଖାଇବା ପାଇଁ ଅନୁପଯୁକ୍ତ। ସୁତରାଂ ଘିଅ ଆଉ ଘିଅ ହୋଇ ନାହିଁ। ଏକଦା ସର୍ବୋତ୍କୃଷ୍ଟ ପୁଷ୍ଟିକର ଖାଦ୍ୟ ଥିବା ଗାଈ ଘିଅ ସମ୍ପ୍ରତି ବିଷଯୁକ୍ତ ଖାଦ୍ୟ ହୋଇଯାଇଛି।’’
ଗାନ୍ଧୀଜୀ ତାଙ୍କ ପ୍ରବନ୍ଧରେ ଲେଖିଥିଲେ, ‘‘ଡାକ୍ତରମାନେ ଆଉ ଘିଅ, ଲହୁଣୀ ଖାଇବାକୁ ପରାମର୍ଶ ଦେଉନାହାନ୍ତି। ଘିଅ ବଦଳରେ କ୍ଷୀର ଓ ଘୋଳଦହି ଖାଇବାକୁ କହୁଛନ୍ତି। କ୍ଷୀରରେ ଅବଶ୍ୟ ଘିଅ ମିଶିଅଛି। କ୍ଷୀର ହଜମ ହେବା ସହଜ। କିନ୍ତୁ ଦୁଃଖର ବିଷୟ ଯେ କ୍ଷୀରରେ ମଧ୍ୟ ଅପମିଶ୍ରଣ ହେଉଛି। ସେ ଗାଈ କ୍ଷୀର ହେଉ ବା ମଇଁଷି କ୍ଷୀର, ବଜାରରେ କ୍ଷୀର ରୂପରେ ଭେଜାଲ କ୍ଷୀର ମିଳୁଛି। ଅପମିଶ୍ରିତ ଘିଅ, କ୍ଷୀର ଓ କ୍ଷୀରଜାତ ପଦାର୍ଥ ଠିକ୍ ନକଲି ନୋଟ ଓ ଅଚଳନ୍ତି ମୁଦ୍ରା ପରି ବିପଦପୂର୍ଣ୍ଣ।’’
ଗାନ୍ଧୀଜୀ ଉପସଂହାରରେ ଲେଖିଥିଲେ ଯେ ଭାରତରେ କୋଟି କୋଟି ଲୋକ ଘିଅର ସ୍ୱାଦ କ’ଣ ଜାଣନ୍ତି ନାହିଁ। ଖାଣ୍ଟି ଗାଈ ଘିଅ ଆବଶ୍ୟକ ପରିମାଣରେ ମିଳୁନି। ଯାହା ମିଳୁଛି ଦାମ୍ ଅଧିକ। ସୁତରାଂ ସରକାର ଓ ଧନୀ ଲୋକମାନେ ଶସ୍ତାରେ ଶୁଦ୍ଧ କ୍ଷୀର ଓ ଘିଅ ଯୋଗାଇଦେବା ଉଚିତ। ମାଗଣାରେ ସେମାନେ ଖାଦ୍ୟ ବାଣ୍ଟିବା ଅପେକ୍ଷା ଶସ୍ତା ଓ ବିନା ଅପମିଶ୍ରଣର ଦୁଗ୍ଧଜାତ ଦ୍ରବ୍ୟ ଯୋଗାଇ ଦେଲେ ବଡ଼ ଏକ କଲ୍ୟାଣକାରୀ କାମ ହୁଅନ୍ତା।
‘ହରିଜନ’ରେ ଗାନ୍ଧୀଜୀଙ୍କ ଏ ପ୍ରବନ୍ଧ ପ୍ରକାଶ ପାଇବା ପରେ ଭେଜାଲ କ୍ଷୀର, ଘିଅ ଓ ଦୁଗ୍ଧଜାତ ଦ୍ରବ୍ୟ ନେଇ ବିତର୍କ ଆରମ୍ଭ ହୋଇଯାଇଥିଲା। ପର୍ଣ୍ଣାଲାଲ, ସର୍ଦ୍ଦାର ସତ୍ତାର ସିଂ ଓ କୁମାରପ୍ପାଙ୍କ ପରି ଗାନ୍ଧୀ ଅନୁଗାମୀ ତଥା କୃଷକ ନେତାମାନେ ଭେଜାଲ ଘିଅର ପ୍ରକ୍ରିୟା ଓ ପ୍ରଭାବ ସମ୍ପର୍କରେ ଅନେକ ତଥ୍ୟ ଦେଇ ଗାନ୍ଧୀଜୀଙ୍କ ସହ ସେମାନଙ୍କର ଅନୁଭୂତି ବାଣ୍ଟିଥିଲେ ଏବଂ ଅମାନବୀୟ ଖାଦ୍ୟ ଅପମିଶ୍ରଣ ବିରୁଦ୍ଧରେ ଅଭିଯାନ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ।
ଗାନ୍ଧୀଜୀ ଏଥିନେଇ ଏକ ସ୍ୱତନ୍ତ୍ର ସ୍ତମ୍ଭ ଲେଖିଲେ- ‘‘ମୁଁ ପର୍ଣ୍ଣାଲାଲଙ୍କ ସହ ସହମତ ଯେ ଉଦ୍ଭିଦ ତେଲ ଓ ବନସ୍ପତି ଘିଅ ପ୍ରକୃତ ଘିଅକୁ ଏବେ ଧ୍ବଂସ କରିଦେଇଛି। ଅସାଧୁ ବ୍ୟବସାୟୀ, ମଧ୍ୟସ୍ଥି, ଏପରିକି ଚାଷୀମାନେ ବି ଏଥିରେ ରଙ୍ଗ ଓ ବାସ୍ନା ମିଶାଇ ଘିଅ ପରି ଦେଖାଯାଉଥିବା ପଦାର୍ଥ ତିଆରି କରିଦେଉଛନ୍ତି ଏବଂ ଏହାକୁ ଘିଅ କହି ଶସ୍ତାରେ ବିକୁଛନ୍ତି। ଗୋପାଳନରେ ଥିବା ଚାଷୀମାନେ ଏଥିସହ ପ୍ରତିଯୋଗିତା କରିପାରୁ ନାହାନ୍ତି। ଗ୍ରାମୀଣ ଅର୍ଥନୀତି ଉପରେ ଏହାର ବିପରୀତ ପ୍ରଭାବ ପଡ଼ିଛି।’’
ପ୍ରବନ୍ଧରେ ଗାନ୍ଧୀଙ୍କ ସ୍ପଷ୍ଟ ଉଲ୍ଲେଖ ଥିଲା ଯେ ବନସ୍ପତି କେବେ ଘିଅ ହୋଇ ପାରିବନି। ଯଦି ଏହା ଘିଅ ହୋଇଥାଆନ୍ତା, ମୁଁ ଏହାକୁ ନିଃସଙ୍କୋଚରେ ଗ୍ରହଣ କରିଥାନ୍ତି। ଘିଅ ଓ ଲହୁଣୀ ପଶୁ କ୍ଷୀରରୁ ପ୍ରସ୍ତୁତ ଏକ ଚର୍ବି। ଘିଅର ଛଦ୍ମ ରୂପରେ ଏହାକୁ ବିକ୍ରୟ କରିବା କେବଳ ଏକ ଅପରାଧ ନୁହେଁ, ଏହା ଅନୈତିକ ଓ ମହାପାପ।
କିଛି ଅନୁଗାମୀ ଗାନ୍ଧୀଙ୍କୁ ପ୍ରଶ୍ନ କରିଥିଲେ, ‘‘ବାପୁ, ଏହାର ନିରାକରଣର କିଛି ଉପାୟ ଅଛି?’’
ଗାନ୍ଧୀ ଉତ୍ତରରେ ଲେଖିଥିଲେ, ‘‘ଘିଅ ନାମରେ ବିକ୍ରି ହେଉଥିବା ବନସ୍ପତି ଓ ଜମାଟ ବନ୍ଧା ତେଲର ବିକ୍ରି ନିଷେଧ ହେବା ଉଚିତ; ବନସ୍ପତିର ପ୍ୟାକେଟ ଓ ଟିଣରେ ସ୍ପଷ୍ଟ ଭାବେ ଏହାର ପ୍ରକୃତ ପରିଚୟ ଲେଖାଯିବା ଆବଶ୍ୟକ; ମିଠା ଦୋକାନ ଓ ହୋଟେଲରେ ବନସ୍ପତି ବ୍ୟବହାର ହେଲେ ଗ୍ରାହକଙ୍କୁ ଜଣାଇବା ଦରକାର; ଖାଦ୍ୟ ବିକ୍ରେତାଙ୍କ ଉପରେ ଆଇନଗତ ନିୟନ୍ତ୍ରଣ ରହିବା ଉଚିତ; ଖାଣ୍ଟି ଘିଅ ଉତ୍ପାଦନକାରୀ ଚାଷୀ ଓ ଗୋପାଳଙ୍କ ସ୍ୱାର୍ଥ ସୁରକ୍ଷା ହେବା ଦରକାର ଏବଂ ବହୁଳ ବିଜ୍ଞାପନ ମାଧ୍ୟମରେ ଖାଉଟିଙ୍କୁ ଯେପରି ଭ୍ରମିତ କରାଯାଉଛି, ତାହା ଉପରେ ଅଙ୍କୁଶ ଲାଗିବା ଆବଶ୍ୟକ।’’
ଗାନ୍ଧୀଜୀଙ୍କ ସ୍ପଷ୍ଟୋକ୍ତି ଥିଲା- ମୁଁ ଏ କଥା କେବଳ ଅପମିଶ୍ରଣ ବିରୁଦ୍ଧରେ କହୁନି; ଗ୍ରାହକଙ୍କ ଅଧିକାର ଓ ଉତ୍ପାଦକଙ୍କ ଆର୍ଥିକ ସୁରକ୍ଷା ପାଇଁ ବି କହୁଛି। ଖାଦ୍ୟ ବ୍ୟବସାୟରେ ଯେତେବେଳେ ଲାଭର ଲୋଭ ଏକମାତ୍ର ଉଦ୍ଦେଶ୍ୟ ହୋଇଯାଏ, ସେତେବେଳେ ଏହା ସାଧାରଣ ବ୍ୟକ୍ତିର ସ୍ୱାସ୍ଥ୍ୟ ନୁହେଁ, ଜାତିର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏକ ବିପଦ ହୋଇ ଯାଇଥାଏ। ଖାଦ୍ୟ ବ୍ୟବସାୟରେ ତେଣୁ ବିଶ୍ୱାସ ରହିବା ଉଚିତ। ଯେଉଁ କ୍ଷୀରକୁ ବିଶ୍ୱାସରେ କ୍ଷୀର ଭାବି ଛୋଟ ପିଲାଙ୍କୁ ଦିଆଯାଏ, ଏବଂ ଯେଉଁ ଘିଅକୁ ଖାଣ୍ଟି ଗୁଆଘିଅ ଭାବି ରୋଗୀକୁ ଖାଇବାକୁ ଦିଆଯାଏ, ତାହା ଅପମିଶ୍ରିତ ହୋଇ ବିଷଯୁକ୍ତ ହୋଇଗଲେ ଜାତୀୟ ବିପର୍ଯ୍ୟୟର ଏକ ଆଧାର ହୋଇଯାଏ। ତେଣୁ ଏହା ବିରୁଦ୍ଧରେ ଜନଆନ୍ଦୋଳନ ହେବା ଉଚିତ। ବୈଜ୍ଞାନିକମାନେ ବିବେକବାନ ହେବା ଦରକାର। ବିଚାରପତି କଠୋର ହେବା ଉଚିତ। ଏବଂ ବିଚାର ଶେଷ ହେବା ପର୍ଯ୍ୟନ୍ତ ବିବାଦୀୟ ଖାଦ୍ୟ ବିକ୍ରି ବନ୍ଦ ରଖିବାକୁ ଜେ.ସି. କୁମାରପ୍ପା ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ନିଶ୍ଚୟ ଏକ ଗ୍ରହଣଯୋଗ୍ୟ ପ୍ରସ୍ତାବ। ନକଲି ଘିଅ ଓ କ୍ଷୀର ବିରୁଦ୍ଧରେ ମୋ ଏ ଅଭିଯାନର ଏହା ହିଁ ଶେଷ ବାର୍ତ୍ତା।
ପ୍ରାୟ ନବେ ବର୍ଷ ପୂର୍ବେ ଘିଅରେ ଅପମିଶ୍ରଣ ଓ କ୍ଷୀରର ଶୁଦ୍ଧତାକୁ ନେଇ ଗାନ୍ଧୀ ଯେଉଁ ପ୍ରଶ୍ନ ଉଠାଇଥିଲେ, ତାହା ଆଜି ମଧ୍ୟ ଆମ ସମାଜ ପାଇଁ ଏକ ବଡ଼ ଆହ୍ୱାନ ହୋଇ ରହିଛି। ନକଲି ଓ ଅସଲି ଖାଦ୍ୟ ଭିତରେ ପ୍ରାର୍ଥକ୍ୟ ଖୋଜି ପାଇବା କଷ୍ଟ ହେଉଛି। ମନେ ରଖିବାକୁ ହେବ ଯେ ଖାଦ୍ୟର ଶୁଦ୍ଧତା କେବଳ ବ୍ୟବସାୟୀର ଦାୟିତ୍ୱ ନୁହେଁ, ଏହା ଏକ ସାମାଜିକ ନୈତିକତା ଓ ଜନସ୍ୱାସ୍ଥ୍ୟର ପ୍ରଶ୍ନ ମଧ୍ୟ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୮୬୧୪୬୯୩୨୮
ସୌଜନ୍ୟ ସମ୍ବାଦ




