State of Democracy: ଗଣତନ୍ତ୍ରର ହାଲ୍: ହଜୁଛି ପୁସ୍ତକ, କମୁଛି ବୌଦ୍ଧିକ ଗଭୀରତା
ବହି ପଢ଼ିବା କେବଳ ଏକ ବ୍ୟକ୍ତିଗତ ରୁଚି ବା ଅଭ୍ୟାସ ନୁହେଁ। ଏହା ଆଧୁନିକ ମାନବ ସଭ୍ୟତାର ଏକ ବଳିଷ୍ଠ ଆଧାର। ମଣିଷ ସମାଜର ତିନି ଲକ୍ଷ ବର୍ଷର ଇତିହାସରେ ଲିପିର ଆବିଷ୍କାର ଏଇ ମାତ୍ର ଖ୍ରୀଷ୍ଟପୂର୍ବ ୩୪୦୦ ବେଳକୁ ସୁମେରିଆରେ...

ସୁଧାଂଶୁ ଷଡ଼ଙ୍ଗୀ
ବହି ପଢ଼ିବା କେବଳ ଏକ ବ୍ୟକ୍ତିଗତ ରୁଚି ବା ଅଭ୍ୟାସ ନୁହେଁ। ଏହା ଆଧୁନିକ ମାନବ ସଭ୍ୟତାର ଏକ ବଳିଷ୍ଠ ଆଧାର। ମଣିଷ ସମାଜର ତିନି ଲକ୍ଷ ବର୍ଷର ଇତିହାସରେ ଲିପିର ଆବିଷ୍କାର ଏଇ ମାତ୍ର ଖ୍ରୀଷ୍ଟପୂର୍ବ ୩୪୦୦ ବେଳକୁ ସୁମେରିଆରେ, ଖ୍ରୀଷ୍ଟପୂର୍ବ ୩୨୫୦ ବେଳକୁ ମିଶରରେ, ଖ୍ରୀଷ୍ଟପୂର୍ବ ୧୨୫୦ ବେଳକୁ ଚୀନରେ ଓ ଖ୍ରୀଷ୍ଟପୂର୍ବ ୬୦୦ ବେଳକୁ ଭାରତରେ ହୋଇଥିବା ଐତିହାସିକମାନେ ଆକଳନ କରନ୍ତି। ଲିପିର ଆବିଷ୍କାର ଥିଲା ଏକ ବିଶାଳ ଉପଲବ୍ଧି। ଗୁଟେନ୍ବର୍ଗଙ୍କ ଛାପାକଳ ଆସିଲା ପଞ୍ଚଦଶ ଶତାବ୍ଦୀରେ। ଛାପାକଳ ବାହାରିବା ପର୍ଯ୍ୟନ୍ତ କେଉଁଠି ମନ୍ଦିର, ମଠ ବା ରାଜପ୍ରାସାଦରେ ଖଣ୍ଡେଅଧେ ପୋଥି ରହୁଥିଲା। ତାକୁ ପଢ଼ିବାର ସାମର୍ଥ୍ୟ ଥିଲା କିଛି ହାତଗଣତି ପଣ୍ଡିତଙ୍କର। ପୋଥିକୁ ସସମ୍ମାନେ ପୂଜା କରି ପଠନ ଆରମ୍ଭ ହେଉଥିଲା।
କୁହାଯାଏ ଛାପାକଳ ବାହାରିବାର ପ୍ରଥମ ପଚାଶ ବର୍ଷରେ ଯେତିକି ବହି ଛପା ହୋଇଥିଲା, ତାହା ତା’ ପୂର୍ବରୁ ବାର ଶହ ବର୍ଷରେ ଲେଖା ଯାଇଥିବା ବହିଠାରୁ ଅଧିକ। ବିଶେଷ କରି ଷୋଡ଼ଶ ଶତାବ୍ଦୀରେ ଖ୍ରୀଷ୍ଟଧର୍ମ ସଂସ୍କାରକ ଲୁଥର୍ଙ୍କ ଯୋଗୁଁ ବହି ପଢ଼ା ବ୍ୟାପିଲା। ଲୁଥର୍ କହିଲେ, ବ୍ୟକ୍ତି ବିନା ମଧ୍ୟସ୍ଥତାରେ ଈଶ୍ୱରଙ୍କ ସାଙ୍ଗରେ ସମ୍ପର୍କ କରିପାରିବ।
ଲୋକେ ବାଇବେଲ୍ ନିଜେ ପଢ଼ିପାରିବେ। ଏହାକୁ ପାରମ୍ପରିକ ପାଦ୍ରୀମାନେ ବିରୋଧ କଲେ। କିନ୍ତୁ ପଢ଼ିବା-ଲେଖିବା ବ୍ୟାପିବାକୁ ଆରମ୍ଭ କଲା। ଏପରିକି ସ୍ୱିଡେନର ଲୁଥରିଆନ୍ ଚର୍ଚ୍ଚ ନିୟମ କଲା ଯେ ବିବାହ ପାଇଁ ସାକ୍ଷର ହେବା ଆବଶ୍ୟକ। ଫରାସୀ ଲେଖକ ଭିକ୍ଟର ହ୍ୟୁଗୋଙ୍କ ଭାଷାରେ, ଛାପାଖାନା ହେଲା ମନୁଷ୍ୟର ସର୍ବଶ୍ରେଷ୍ଠ ଉଦ୍ଭାବନ। ସାଧାରଣ ଜନତା ବହି ପଢ଼ିବା କଥାକୁ କ୍ଷମତାରେ ଥିବା ଗୋଷ୍ଠୀ ବିରୋଧ କଲେ। ସେମାନଙ୍କ ମନରେ ଥିଲା ସମାଜ ଉପରୁ ନିୟନ୍ତ୍ରଣ ହରାଇବାର ଭୟ। ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ରାଜ୍ୟମାନଙ୍କରେ କ୍ରୀତଦାସମାନଙ୍କୁ ପଢ଼ିବା ଶିଖେଇବା ଗୋଟିଏ ଦଣ୍ଡନୀୟ ଅପରାଧ ଥିଲା। ଏପରିକି ଲୁଇସିଆନାରେ ସେଥିପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ଥିଲା। ଏହା ସତ୍ତ୍ବେ ସାରା ପୃଥିବୀକୁ ପଢ଼ିବାର ନିଶା ବ୍ୟାପିଲା। ୧୯୪୬ ମସିହାରେ ଆମେରିକାର ୪୦୦୦ ଲୋକଙ୍କୁ ନେଇ ହୋଇଥିବା ଏକ ସର୍ବେକ୍ଷଣରେ ୭୧% ପୂର୍ବଦିନ କିଛି ବହି ପଢ଼ିଥିବା କହିଥିଲେ। ୧୯୪୯ ମସିହା ବେଳକୁ ବ୍ରିଟେନର ୭୫% ଲୋକଙ୍କ ଘରେ ନିଜସ୍ୱ ପୁସ୍ତକ ସଂଗ୍ରହ ଥିଲା। ଲୋକେ ଆମୋଦ ପାଇଁ ବହି ପଢୁଥିଲେ କିନ୍ତୁ ଜ୍ଞାନ ଆହରଣ ମଧ୍ୟ କରୁଥିଲେ। ପୃଥିବୀରେ ଏତେ ଯେ ଦେଶ ଅଛି, ବିଭିନ୍ନ ପ୍ରକାର ଲୋକ, ଧର୍ମ, ପରମ୍ପରା ଅଛି ଏବଂ ବିଭିନ୍ନ ବୈଜ୍ଞାନିକ ତଥ୍ୟ ପୁସ୍ତକ ମାଧ୍ୟମରେ ଲୋକେ ଜାଣିଲେ। ଲେଖକ ଓ ଦାର୍ଶନିକ ମାନେ ବିଭିନ୍ନ ପ୍ରସଙ୍ଗରେ ବିତର୍କ କଲେ। ଜ୍ଞାନକୋଷ ପ୍ରକାଶିତ ହେଲା। ୟୁରୋପରେ ଜ୍ଞାନୋଦୟ ହେଲା। ନିଉଟନ୍ଙ୍କ ଭାଷାରେ ଅନେକ ଜ୍ଞାନୀଙ୍କ କାନ୍ଧରେ ଛିଡ଼ା ହୋଇ, ଅର୍ଥାତ୍ ସେମାନେ ଲେଖିଥିବା ବହି ପଢ଼ି, ସେ ବିଜ୍ଞାନକୁ ଆଗକୁ ନେଇଥିଲେ। ଲେଖକମାନେ ଏତେ ପ୍ରଭାବଶାଳୀ ହୋଇ ଯାଇଥିଲେ ଯେ ୧୮୮୫ ମସିହାରେ ଭିକ୍ଟର ହ୍ୟୁଗୋଙ୍କ ମୃତ୍ୟୁ ବେଳକୁ ପ୍ୟାରିସ୍ ସହରରେ କୋଡ଼ିଏ ଲକ୍ଷ ଲୋକ ମରଶରୀରକୁ ସମ୍ମାନ ଦେବାକୁ ଆସିଥିଲେ। ସେହିଭଳି ୧୮୮୧ ମସିହାରେ ରୁଷୀୟ ଲେଖକ ଦସ୍ତୟେଭସ୍କିଙ୍କ ମୃତ୍ୟୁ ବେଳକୁ ଓ ୧୯୧୦ ମସିହାରେ ଟଲଷ୍ଟୟଙ୍କ ପାଇଁ ଜନସମୁଦ୍ର ଦେଖିବାକୁ ମିଳିଥିଲା। ସେକ୍ସପିଅର ହେଲେ ବ୍ରିଟେନ ସମାଜର ସାଂସ୍କୃତିକ ଆତ୍ମା। ଭାବି ଦେଖନ୍ତୁ, ରବୀନ୍ଦ୍ରନାଥ ଠାକୁର କି ପ୍ରେମଚନ୍ଦ କି ଫକୀରମୋହନଙ୍କୁ ଆଜିର ସୀମିତ ପାଠକ ସମାଜ ଓ ମିନି ସାହିତ୍ୟ ସଭା ବାହାରେ ସ୍ୱୀକୃତି ମିଳି ଥାଆନ୍ତା ତ? ସେମାନଙ୍କୁ ହୁଏତ ଧ୍ରୁବ ରାଠୀଙ୍କ ସାଙ୍ଗରେ ପ୍ରତିଯୋଗିତା କରିବାକୁ ରିଲ୍ ପ୍ରସ୍ତୁତ କରିବାକୁ ପଡ଼ିଥାଆନ୍ତା।
ପୁସ୍ତକ ଏବେ ସାରା ବିଶ୍ୱରେ ଅସ୍ତମିତ ହେବାରେ ଲାଗିଛି। ନିଜର ଆମୋଦ ବା ମନୋରଞ୍ଜନ ପାଇଁ ବହି ପଢୁଥିବା ଲୋକଙ୍କ ସଂଖ୍ୟା ଆମେରିକାରେ ୨୦୦୪ ମସିହାରେ ୨୮% ଥିଲା, ୨୦୨୩ରେ ଯାହା ୧୬%ରେ ପହଞ୍ଚିଛି। ବ୍ରିଟେନରେ ୨୦୦୫ରେ ୫୧% ଲୋକ ପଢୁଥିଲେ, ଯାହା ଏବେ ୩୩%ରେ ପହଞ୍ଚିଛି। ପ୍ରତ୍ୟେକ ବର୍ଷ ପ୍ରାୟ ୩% ଲୋକ ବହି ପଢ଼ିବା ଛାଡୁଛନ୍ତି। ଭାରତରେ ଏମିତିରେ ବି ବେଶୀ ଲୋକ ଆଗରୁ ବହି ପଢୁ ନ ଥିଲେ, ଯଦିଓ କିଛି ରାଜ୍ୟ ଓ ବର୍ଗରେ ପଢ଼ିବାର ଅଭ୍ୟାସ ତୁଳନାତ୍ମକ ଭାବେ ଭଲ ଥିଲା। ଭାରତରେ ୨୦୧୯ ମସିହା ବେଳକୁ ୫.୪% ଲୋକ ଆମୋଦ ପାଇଁ ବହି ପଢୁଥିବା ଅନୁମାନ କରାଯାଉଥିଲା, ଯାହା ୨୦୨୪ ବେଳକୁ କମି ୪%ରେ ପହଞ୍ଚିଲାଣି। ରେଳ ଯାତ୍ରା କି ବିମାନ ଯାତ୍ରା ବେଳେ ବି ଆଉ ଲୋକେ ବହି କି ପତ୍ରିକା ପଢ଼ିବା ଦେଖିବାକୁ ମିଳୁନି। ରେଳ ଷ୍ଟେସନରେ ଥିବା ଏ.ଏଚ୍. ହୁଇଲର୍ ବହି ଦୋକାନରେ ବାରମଜା ବିକ୍ରି ହେଉଛି। ଅନେକ ଲୋକ ବର୍ଷ ବର୍ଷ ଧରି ଖଣ୍ଡିଏ ବି ବହି ପଢୁ ନାହାନ୍ତି। ଆମ ପିଲାବେଳେ ଯେଉଁମାନେ ଅତି କମ୍ରେ ଦସ୍ୟୁ ରତନ, ଦସ୍ୟୁ ରଞ୍ଜନ ଓ ଲାଲବାଗ ଥାନାକୁ ନେଇ ରୋମାଞ୍ଚକର ଗୋଇନ୍ଦା ବହି ପଢୁଥିଲେ, ସେମାନେ ଏବେ କହୁଛନ୍ତି, ‘‘ନାହିଁ ଭାଇ, ଆଉ ପଢ଼ି ହଉନି’’। ତା’ ଆଗକୁ ଯାଇ ଯେଉଁମାନେ ବିଶ୍ୱ ସାହିତ୍ୟ ଗ୍ରନ୍ଥମାଳା ଓ ଗ୍ରନ୍ଥାବଳୀମାନ ସ୍କୁଲରେ ପଢ଼ିଥିଲେ, ସେମାନେ ଏବେ ନଅ ଶହ ଶବ୍ଦର ଖବରକାଗଜ ସ୍ତମ୍ବ ପଢ଼ିବା ସ୍ଥିତିରେ ନାହାନ୍ତି।
ଏହି ସମୟରେ ଗୋଟିଏ ପ୍ରଶ୍ନ ହେଲା ଯେ ଲୋକ ବହି ନ ପଢ଼ିଲେ କ୍ଷତି କ’ଣ? ଉପରଠାଉରିଆ ଭାବେ ଉତ୍ତର ଦେଲେ କହିହେବ, ଚାରିଆଡ଼େ ମାଳମାଳ ସଫଳ ବ୍ୟକ୍ତିତ୍ୱ- ରାଜନେତା, ପ୍ରଶାସକ, ସାମ୍ବାଦିକ, ବ୍ୟବସାୟୀ ଓ ଧନିକ। ସେମାନଙ୍କ ପାଇଁ ବହି ନ ପଢ଼ିବା ଜୀବନରେ ପ୍ରତିବନ୍ଧକ ସାଜିନି। ତେଣୁ, ଯାହାର କିଛି କାମ ନାହିଁ ବା ଯିଏ ପେଟପାଟଣା ପାଇଁ ପଢ଼ିବାକୁ ବାଧ୍ୟ, ସେ ପଢୁ। ଅନ୍ୟମାନଙ୍କ ପାଇଁ ବହି ପଢ଼ିବାର ଆବଶ୍ୟକତା ନାହିଁ!
ଗବେଷକମାନେ କୁହନ୍ତି, ମଣିଷର ମସ୍ତିଷ୍କ ଅଳସୁଆ। ଯଦି ସହଜରେ କାମ ହୋଇଯିବ, ପରିଶ୍ରମ କରେ ନାହିଁ। ପଢ଼ିବା ଏକ ସ୍ୱାଭାବିକ ପ୍ରକ୍ରିୟା ନୁହେଁ। କିନ୍ତୁ ପଢ଼ିବା ଓ ଲେଖିବା ଗଭୀର ଚିନ୍ତା କରିବାର ମାଧ୍ୟମ। ପୁସ୍ତକ ଆମର ବିଚାରଧାରା, ପୃଥିବୀକୁ ବୁଝିବାର ଶକ୍ତି ଓ ଚିନ୍ତାଧାରାକୁ ପରିପ୍ରକାଶ କରିବାର କ୍ଷମତା ସୃଷ୍ଟି କରେ। ଅନ୍ୟ ପକ୍ଷରେ, କଥା ହେବା, ଶୁଣିବା, ଦେଖିବା ହେଉଛି ପ୍ରାକୃତିକ ପ୍ରକ୍ରିୟା; ସରଳ ଓ ମସ୍ତିଷ୍କକୁ କମ୍ କଷ୍ଟ ଦିଏ। ପ୍ରଥମେ ରେଡିଓ, ତା’ ପରେ ସିନେମା ଓ ଶେଷରେ ଟିଭି ଆସିଲା। ସେଗୁଡ଼ିକ ବିନା ମସ୍ତିଷ୍କକୁ କଷ୍ଟ ଦେଇ ତଥ୍ୟର ଆବଶ୍ୟକତା ପୂରଣ କଲେ। ୧୯୮୦ ମସିହାରେ ସି.ଏନ୍.ଏନ୍. ଆଣିଲା ଚବିଶଘଣ୍ଟିଆ ଖବର ଚ୍ୟାନେଲ। ଏବେ ସବୁଆଡ଼େ ଓ ସବୁ ଭାଷାରେ ଚବିଶଘଣ୍ଟିଆ ସମ୍ବାଦ। ତା’ ପରେ ଆସିଲା ସ୍ମାର୍ଟଫୋନ। ୧୮ ଏପ୍ରିଲ ୧୯୩୦ ମସିହାରେ ଏକ କୌତୂହଳପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା। ସେଦିନ ବି.ବି.ସି. ଘୋଷଣା କରିଥିଲା, ‘‘ଆଜି କିଛି ଖବର ନାହିଁ, ଆପଣମାନଙ୍କୁ ସମ୍ବାଦ ବଦଳରେ କିଛି ସଙ୍ଗୀତ ଶୁଣାଉଛୁ।’’ ତେଣୁ ୧୯୮୦ ମସିହାରେ ଯେତେବେଳେ ସି.ଏନ୍.ଏନ୍. ଚବିଶଘଣ୍ଟିଆ ସମ୍ବାଦ ପରିବେଷଣ କରିବ ବୋଲି କହିଲା, ଲୋକଙ୍କ ପ୍ରଶ୍ନ ଥିଲା, ‘‘ଏତେ ଖବର ଆସିବ କେଉଁଠୁ?’’। ପିଲାବେଳେ ‘‘ଆକାଶବାଣୀ, ଖବର ପଢୁଛନ୍ତି- ଯତୀନ ଦାସ, ଉପେନ୍ଦ୍ର କୁମାର ପାହାଡ଼ ସିଂହ, ଗୌରାଙ୍ଗ ଚରଣ’’ ଇତ୍ୟାଦି ଦଶ ମିନିଟ୍ ସକାଳ ଓ ସନ୍ଧ୍ୟାରେ ଶୁଣି ପୃଥିବୀକୁ ଜାଣୁଥିବା ଲୋକେ ଏବେ ଚବିଶ ଘଣ୍ଟା ଖବରକୁ ଅନେଇ ରହିଛନ୍ତି। ସାମାଜିକ ଗଣମାଧ୍ୟମ ଆସିଲା ପରେ ତଥ୍ୟର କିଛି ଅଭାବ ନାହିଁ। ସମସ୍ତେ ସମ୍ବାଦ ତିଆରି କରୁଛନ୍ତି, ପରଷୁଛନ୍ତି ଓ ଆହରଣ କରୁଛନ୍ତି।
ଆଜିର ବୌଦ୍ଧିକ ପୃଥିବୀ ଖଣ୍ଡବିଖଣ୍ଡିତ। ଆମକୁ ସତ୍ୟ ବା ଗଭୀରତା ନୁହେଁ, ମିନିଟିଆ ମନୋରଞ୍ଜନ ଦରକାର- ଅମୁକ ନେତା ସମୁକଙ୍କ ଗୋଛି କାଟିଲେ, ତା’ ପରେ ଗୋଟିଏ ହାତୀ ଗାତରେ ପଡ଼ିଯାଇଛି, ତା’ ପରେ ଅମୁକ ସରକାରୀ ଅଫିସରଙ୍କ ସମୁକ ଜାଗାକୁ ବଦଳି ହେଲା, ତା’ ପରେ କେଉଁଠି ନଳକୂପ କାମ କରୁନି। ଏ ସବୁକୁ ମିଶାଇଲେ ଆମେ ଜାଣିଥିବା ବା ଜାଣୁଥିବା ବିଶ୍ୱ। ଚାରିଆଡ଼େ ତଥ୍ୟର ବନ୍ୟା, ସତ୍ୟର ମରୁଡ଼ି; ଗଭୀରତାକୁ ଯାଇ ମସ୍ତିଷ୍କକୁ କଷ୍ଟ ଦେବାର ଆବଶ୍ୟକତା ନାହିଁ।
ଆମ ଗାଁରେ ବର୍ଷକୁ ଥରେ ବାଦୀପାଲା ହୁଏ। ଗାୟକ ଯଦି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବୂସୂର୍ଯ୍ୟ ବଳଦେବ ରଥ, ସ୍ୱଭାବକବି ଗଙ୍ଗାଧର ମେହେର ଇତ୍ୟାଦିଙ୍କ ଅବତାରଣା ନ କରିବେ ଲୋକେ କୁହନ୍ତି, ‘ପଇସା ନେଇକି ଠକିଦେଲା’। ସେଥିପାଇଁ ଆମେ ବର୍ଷକ ଆଗରୁ ପାଲାବାଲା ଠିକଣା କରୁ। କିନ୍ତୁ ଏହି ସାହିତ୍ୟ ଓ ସଂସ୍କୃତିର ଭବିଷ୍ୟତ ନାହିଁ। ଏବେ ଜ୍ଞାନ ରିଲ୍ କି ପଡ୍କାଷ୍ଟ ଆକାରରେ ଉପସ୍ଥାପିତ କରାଯାଉଛି। ହେଲେ ସତ କଥା ହେଲା ଇମାନୁଏଲ କାଣ୍ଟଙ୍କ ଆଠ ଶହ ପୃଷ୍ଠାର ବହିର ବିକଳ୍ପ ପଡ୍କାଷ୍ଟ କି ‘ଟେଡ୍ ଟକ୍’ ନୁହେଁ। ବୌଦ୍ଧିକ ଦୃଷ୍ଟିକୋଣରୁ ଟିକିଏ ସମ୍ବେଦନଶୀଳ ହେଲେ, ନିରବ ରହିବାକୁ ହେବ। ପୁସ୍ତକ ହଜୁଛି, କିନ୍ତୁ ତା’ ସାଙ୍ଗରେ ସାଂସ୍କୃତିକ ଅବକ୍ଷୟ ଘଟୁଛି। ପ୍ରତିଷ୍ଠିତ ଲୋକଙ୍କ ସାଙ୍ଗରେ ମଧ୍ୟ କୌଣସି ପ୍ରସଙ୍ଗରେ ଗଭୀର ଆଲୋଚନା ଆଉ ସମ୍ଭବ ହେଉ ନାହିଁ, ଯାହା ଅତ୍ୟନ୍ତ ପୀଡ଼ାଦାୟକ।
(ମତାମତ ଲେଖକଙ୍କ ନିଜସ୍ବ)
ସୌଜନ୍ୟ ସମ୍ବାଦ




