ରାଜ୍ୟ

ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର କ୍ଷେତ୍ର ସଜଡ଼ା: ପହିଲାରୁ ଅନ୍ୟ ନିର୍ବାଚନମଣ୍ଡଳୀ ଯିବେ ମନ୍ତ୍ରୀ ଓ ବିଧାୟକ, ୨୫ ଦିନ ପ୍ରବାସରେ ରହିବେ

ଭୁବନେଶ୍ୱର,୨୮/୧୧: ନିଜ ନିର୍ବାଚନମଣ୍ଡଳୀ ଛାଡ଼ି ଅନ୍ୟ ନିର୍ବାଚନମଣ୍ଡଳୀ ସ୍ଥିତି ବୁଝିବାକୁ ଯିବେ ବିଜେପି ବିଧାୟକ ଓ ମନ୍ତ୍ରୀ । ଏଥିପାଇଁ ବିଜେପି ଆସନ୍ତା ଡିସେମ୍ବର ପହିଲାରୁ ୨୫ ତାରିଖ ପର୍ଯ୍ୟନ୍ତ ଚଳାଇବ ପ୍ରବାସ କାର୍ଯ୍ୟକ୍ରମ । ସମସ୍ତ ବିଧାୟକ, ମନ୍ତ୍ରୀ ଏଥିରେ ସାମିଲ ହେବେ । ଯେଉଁ ବିଧାୟକଙ୍କୁ ଯେଉଁ ନିର୍ବାଚନମଣ୍ଡଳୀ ଦାୟିତ୍ୱ ଦିଆଯିବ, ସେ ସେଠାକୁ ଯାଇ ସାଂଗଠନିକ ସ୍ଥିତି ଏବଂ ଲୋକଙ୍କ କଥା ବୁଝିବେ । ସେଠାରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ । ଶୁକ୍ରବାର ବିଧାନସଭା ସରିବା ପରେ ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ନିବାସରେ ବସିଥିବା ବଡ଼ ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି ।

ବିଧାନସଭା ଅଧିବେଶନ ସାରି ରାତି ୯ଟା ପରେ ବିଜେପି ବିଧାୟକ ଓ ମନ୍ତ୍ରୀମାନଙ୍କ ଗାଡ଼ି ଛୁଟିଥିଲା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ନିବାସକୁ । ବାହାରେ ଚର୍ଚ୍ଚା ହେଉଥିଲା, ମୁଖ୍ୟମନ୍ତ୍ରୀ ଛାଡ଼ଖାଇ ଭୋଜି ପାଇଁ ଦଳୀୟ ନେତା, ବିଧାୟକ, ମନ୍ତ୍ରୀଙ୍କୁ ଡାକିଛନ୍ତି । ହେଲେ ଲମ୍ବା ସମୟ ଧରି ଭିତରେ ଆଲୋଚନା ଚାଲିଥିଲା । ବୈଠକରୁ ବାହାରି କିଛି ବିଧାୟକ, ମନ୍ତ୍ରୀ ସୂଚନା ଦେଇଛନ୍ତି, ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ ବିଜେପି ପ୍ରତି ନିର୍ବାଚନମଣ୍ଡଳୀରେ ନିଜର ସଂଗଠନକୁ ମଜବୁତ କରିବ । ଯାହା ବି ଦୋଷ ତ୍ରୁଟି ଥିବ, ତାହାର ତତ୍କାଳ ସଂଶୋଧନ କରାଯିବ । କର୍ମୀଙ୍କ କଥା ବୁଝିବା ସହ ସରକାରୀ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଓ ପ୍ରଭାବ ସମ୍ପର୍କରେ ଲୋକଙ୍କଠାରୁ ରିପୋର୍ଟ ସଂଗ୍ରହ କରାଯିବ । ନିଜେ ବିଧାୟକ ନିଜ ନିର୍ବାଚନମଣ୍ଡଳୀର ତ୍ରୁଟି ସମ୍ପର୍କରେ ଜଣାଇବେ ନାହିଁ । ତେଣୁ ବିଧାୟକ ଓ ମନ୍ତ୍ରୀମାନେ ଅନ୍ୟ ନିର୍ବାଚନମଣ୍ଡଳୀ ଗସ୍ତ କରି ସେଠାରେ ଦଳୀୟ ସ୍ଥିତି ଓ ସରକାରୀ କାର୍ଯ୍ୟକ୍ରମର ତଦାରଖ କରିବେ । ବିଧାୟକ ଓ ମନ୍ତ୍ରୀମାନଙ୍କର ଏହି ପ୍ରବାସ କାର୍ଯ୍ୟକ୍ରମ ୨୫ ଦିନ ଧରି ଚାଲିବ ।

ବିଧାୟକମାନେ ଅନ୍ୟ ବିଧାନସଭା କ୍ଷେତ୍ରର ସ୍ଥିତି ବୁଝିବେ । ସେହିପରି ମନ୍ତ୍ରୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି, ସେ ନେଇ ଲୋକଙ୍କଠାରୁ ସିଧା ପଚାରି ବୁଝିବେ । ୧୪୭ ନିର୍ବାଚନମଣ୍ଡଳୀ ପାଇଁ ଏଭଳି ପ୍ରବାସ କାର୍ଯ୍ୟକ୍ରମ ଯୋଜନା କରାଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ଦଳର ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ଦୁଇ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀଗଣ ଓ ବିଧାୟକମାନେ ସାମିଲ ହୋଇଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ମଧ୍ୟ ଗସ୍ତ କରିଥିବା ଦେଖିବାକୁ ମିଳିଥିଲା । ଯଦିଓ ସେ ଅଳ୍ପ ସମୟ ଭିତରେ ସେଠାରୁ ଫେରି ଆସିଥିଲେ ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button