ରାଜ୍ୟ

Ratna Bhandar: କେତେ ରତ୍ନ ଅଛି ରତ୍ନଭଣ୍ଡାରରେ ? ୧୦ ମାସ ପରେ ବି ରହସ୍ୟ ଉପରୁ ହଟୁନି ପରଦା, ଡିସେମ୍ବର ୧୦ ପରେ ପୁଣି ଧାର୍ଯ୍ୟ ହେବ ତାରିଖ

ପୁରୀ,୨୮/୧୧: ୨୦୨୬ ମସିହା ବିତିବାକୁ ବସିଛି । ହେଲେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କର କେତେ ପରିମାଣର ରତ୍ନ ରହିଛି ଓ ପୂର୍ବ ତାଲିକା ମୁତାବକ ସବୁ ରତ୍ନ ଠିକ୍ ଅଛି କି ନାହିଁ ତାହାର ସ୍ପଷ୍ଟତା ଆସିଲା ନାହିଁ । ଚଳିତ ବର୍ଷ ମାର୍ଚ୍ଚ ୨୫ ତାରିଖରେ ଗଣତିମଣତି ଆରମ୍ଭ ହୋଇଥିଲା । ଯାହାକୁ ୧୦ ମାସ ବିତିଲାଣି । କେବେ ଗଣତିମଣତି ସରିବ ସେନେଇ ପ୍ରାଶାସନିକ ପ୍ରାଧିକୃତ ଦଳ କହିବାକୁ ମଧ୍ୟ ମନା କରିଛନ୍ତି । ଚଳିତ ମାସ ୨୬ ଓ ୨୭ ତାରିଖ ଦୁଇ ଦିନ ଗଣତିମଣତି ପରେ ପୁଣି ଗଣତିମଣତି କାର୍ଯ୍ୟକୁ ପ୍ରଶାସନ ପକ୍ଷରୁ ସ୍ଥଗିତ କରାଯାଇଛି । ଆସନ୍ତା ଡିସେମ୍ବର ମାସ ୧୦ ତାରିଖ ପରେ ପୁଣି ଗଣତିମଣତି ନେଇ ପ୍ରଶାସନ ନିଷ୍ପତ୍ତି ନେବ ବୋଲି ସୂଚନା ଦିଆଯାଇଛି ।

୧୯୭୮ ମସିହା ରତ୍ନଭଣ୍ଡାର ଗଣତିମଣତି କାମ ମାତ୍ର ୨ ମାସ ୧୦ ଦିନରେ ସରିଥିଲା । ସେତେବେଳେ ଦୀପ ଆଲୁଅରେ ସବୁ କାମ ହୋଇଥିଲା । ଏବେ ବିଜୁଳି ଆଲୋକ, ପଙ୍ଖା, ବାତାନୁକୂଳିତ ବ୍ୟବସ୍ଥା ସହ ଅତ୍ୟାଧୁନିକ ଗଣତିମଣତି ବ୍ୟବସ୍ଥା ରହିଥିଲେ ହେଁ ପ୍ରକ୍ରିୟା ବିଳମ୍ବିତ ହେଉଛି । ଚଳିତ ବର୍ଷ ମୋଟ ୧୯ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ହୋଇଛି । ୧୯ତମ ଦିନରେ ପ୍ରାୟ ୬ ଘଣ୍ଟା ୪୯ ମିନିଟ୍ର ଗଣତି କାର୍ଯ୍ୟ ହୋଇଛି । ଶୁକ୍ରବାର ପୂର୍ବାହ୍ଣ ୧୧ଟା ୮ରୁ ଆରମ୍ଭ ହୋଇଥିଲା ଗଣତି କାର୍ଯ୍ୟ । ୧୯ ଦିନରେ ମୋଟ ଉପରେ ୧୦୩ ଘଣ୍ଟା ୫୦ ମିନିଟ୍‌ ଗଣତି ଶେଷ ହୋଇଛି । ନୀତିକାନ୍ତି ବହୁଳତାକୁ ନଜରରେ ରଖି ପୁଣି ଗଣତି କାର୍ଯ୍ୟ ସ୍ଥଗିତ ରଖାଯାଇଛି । ଶୁକ୍ରବାର ଗଣତିମଣତି କାର୍ଯ୍ୟ ଶେଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ କହିଥିଲେ, ଆସନ୍ତା ଗଣତି ପ୍ରକ୍ରିୟା ଛତିଶା ନିଯୋଗ, କମାଣ୍ଡର ଓ ଅଧିକୃତ ବ୍ୟକ୍ତିବିଶେଷଙ୍କ ପରାମର୍ଶ କ୍ରମେ ଡିସେମ୍ବର ୧୦ ତାରିଖ ପରେ ଧାର୍ଯ୍ୟ କରାଯିବ । ଏବେ ପାଇଁ ଗଣତିମଣତି ସ୍ଥଗିତ କରାଯାଇଛି ।

୧୯୭୮ ମସିହା ରତ୍ନଭଣ୍ଡାର ତାଲିକାକୁ ଏବେ ଖୁବ୍ ଧ୍ୟାନର ସହ ଗଣତିମଣତି କରି ୨୦୨୬ ମସିହା ତାଲିକା ପ୍ରସ୍ତୁତ ହେଉଛି । ଗଣତିମଣତି କାର୍ଯ୍ୟ ସମୟ ସାପେକ୍ଷ । ତରବରିଆ କିମ୍ବା ଖାମଖିଆଲି ଭାବେ ଏହା କରାଯାଉନି । ଆସନ୍ତା ନୂଆବର୍ଷ ପୂର୍ବରୁ ଗଣତିମଣତି ସାରିଦେଲେ କିଛି ବାହାଦୁରୀ ନାହିଁ । ମହାପ୍ରଭୁଙ୍କ ଅନେକ ମୂଲ୍ୟବାନ ସାମଗ୍ରୀ କାଠ ବାକ୍ସରେ ଅଛି । ଏହାକୁ ବାହାର ରତ୍ନଭଣ୍ଡାର ନିକଟ ଖଟଶେଜ ଘରେ ଗଣତି କରାଯିବ । ପରିଚାଳନା କମିଟି ଓ ସରକାର ଏହାକୁ ଅନୁମୋଦିତ କରିଛନ୍ତି । ସେହିପରି ଉଚ୍ଚସ୍ତରୀୟ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି, ଭିତର ରତ୍ନଭଣ୍ଡାରରେ ଯେଉଁ ଅବ୍ୟବହୃତ ସମ୍ପତ୍ତି ଅଛି ତାହା ପ୍ରଶାସନ ଆଗକୁ ବ୍ୟବହାର କରିପାରେ । ଏବେ ଯାହା ଅଛି ତାହାକୁ ଭବିଷ୍ୟତ ନିମନ୍ତେ ସୁରକ୍ଷିତ ରଖିବାକୁ ଦୃଷ୍ଟିରେ ରଖି ଗୁରୁତ୍ୱ ସହ ଗଣତିମଣତି କରାଯାଉଛି ବୋଲି ସେ କହିଥିଲେ ।

ସେପଟେ ବାହାର ଭଣ୍ଡାର ତାଲା କଳଙ୍କ ଲାଗିଥିବାରୁ ତାକୁ ପରିବର୍ତ୍ତନ କରାଯାଇଛି । ଦୁଇଟି ତାଲା ବଦଳାଯାଇ ନୂଆ ତାଲା ଲଗାଯାଇଛି । ବାହାର ରତ୍ନଭଣ୍ଡାରର କାଠ କବାଟରେ ଥିବା ଏକ ପୁରୁଣା ତାଲା ଖରାପ ହୋଇଯାଇଥିବାରୁ ଆଜି ସେଠାରେ ଦୁଇଟି ନୂତନ ପିତ୍ତଳ ତାଲା ଲଗାଯାଇ ତାହାର ଚାବି ସେବକମାନଙ୍କୁ ହସ୍ତାନ୍ତର କରାଯାଇଛି । ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ, ଜିଲ୍ଲାପାଳ, ଛତିଶା ନିଯୋଗ ନାୟକ, ପରିଚାଳନା କମିଟି ସଦସ୍ୟ ଏବଂ ଭଣ୍ଡାର ମେକାପ ସେବକଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ଅନୁମାଦିତ ଏସ୍ଓପି ଅନୁଯାୟୀ ଏହି ଗଣତି କାର୍ଯ୍ୟ ହୋଇଥିଲା ।

ରତ୍ନଭଣ୍ଡାରରୁ ବାହାର କରାଯାଉଥିବା ସ୍ୱର୍ଣ୍ଣ ଅଳଙ୍କାର ତଥା ହୀରା, ନୀଳା, ମୋତି ଓ ମାଣିକ୍ୟ ଖଚିତ ମୂଲ୍ୟବାନ ସାମଗ୍ରୀଗୁଡ଼ିକୁ ରତ୍ନ ବିଶାରଦମାନେ ଚିହ୍ନଟ କରିବା ସହ ସେଗୁଡ଼ିକର ଓଜନ କରିଥିଲେ । ଏହା ସହିତ ପ୍ରତ୍ୟେକ ଅଳଙ୍କାରର ଫଟୋଗ୍ରାଫି, ଭିଡିଓଗ୍ରାଫି ଏବଂ ୩ଡି ମ୍ୟାପିଂ କରାଯାଇ ପ୍ୟାକିଂ ପରେ ସିନ୍ଦୁକରେ ସୁରକ୍ଷିତ ରଖାଯାଉଛି। ଗଣତି ପରେ ଭିତର ରତ୍ନଭଣ୍ଡାରକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜଉମୁଦ ସିଲ୍ କରାଯାଇ ଚାବି ଟ୍ରେଜେରିରେ ଜମା ଦିଆଯାଇଛି ।

ଆଗକୁ ପ୍ରାଶାସନିକ କାର୍ଯ୍ୟକ୍ରମ ଏବଂ ଡିସେମ୍ବର ୯ ଓ ୧୦ ତାରିଖରେ ପବିତ୍ର ଦେବଦୀପାବଳି ପର୍ବ ପଡ଼ୁଥିବାରୁ ରତ୍ନଭଣ୍ଡାର ଗଣତି କାର୍ଯ୍ୟକୁ ସାମୟିକ ସ୍ଥଗିତ ରଖାଯାଇଛି । ଡିସେମ୍ବର ୧୦ ତାରିଖ ପରେ ସେବକ ଏବଂ ପ୍ରଶାସନ ସହ ଆଲୋଚନା କରାଯାଇ ପରବର୍ତ୍ତୀ ଗଣତି ତାରିଖ ଘୋଷଣା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button