ଦେଶ ବିଦେଶ

Adi Kailash ‘white traffic jam’: ପାହାଡ଼ରେ ଧଳା ଚାଦର: ପାର୍ବତୀ କୁଣ୍ଡର ପାଣି ପାଲଟିଲା ବରଫ

ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାରେ ଥିବା ଆଦି କୈଳାସ ଏବଂ ଓମ୍ ପର୍ବତ ଅଞ୍ଚଳରେ ସେପ୍ଟେମ୍ବର ଶେଷ ସପ୍ତାହରେ ହୋଇଥିବା ପ୍ରବଳ ତୁଷାରପାତ ପ୍ରଭାବ ଏବେ ବି ଦେଖିବାକୁ ମିଳୁଛି।

ଡେରାଡୁନ: ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାରେ ଥିବା ଆଦି କୈଳାସ ଏବଂ ଓମ୍ ପର୍ବତ ଅଞ୍ଚଳରେ ସେପ୍ଟେମ୍ବର ଶେଷ ସପ୍ତାହରେ ହୋଇଥିବା ପ୍ରବଳ ତୁଷାରପାତ ପ୍ରଭାବ ଏବେ ବି ଦେଖିବାକୁ ମିଳୁଛି। ପ୍ରାୟ ୪ରୁ ୫ ଫୁଟ୍ ପର୍ଯ୍ୟନ୍ତ ତୁଷାରପାତ ହେବା ପରେ ସମଗ୍ର ଉଚ୍ଚ ହିମାଳୟ ଅଞ୍ଚଳ ବରଫର ଧଳା ଚାଦରରେ ଢାଙ୍କି ହୋଇଯାଇଛି। ତାପମାତ୍ରା ଶୂନ ଡିଗ୍ରିରୁ ତଳକୁ ଖସିଯିବା ଯୋଗୁଁ ପୌରାଣିକ ପାର୍ବତୀ କୁଣ୍ଡର ପାଣି ସମ୍ପୂର୍ଣ୍ଣ ଭାବେ ବରଫ ପାଲଟି ଯାଇଛି।  ତୁଷାରପାତ ଯୋଗୁଁ କିଛି ରାସ୍ତା ପ୍ରଭାବିତ ହୋଇଥିଲେ ମଧ୍ୟ ବରଫର ଧଳା ଚାଦରର ବିରଳ ଦୃଶ୍ୟ ଉପଭୋଗ କରିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଆଦି କୈଳାସ ଓ ଓମ୍ ପର୍ବତରେ ଭିଡ଼ ଜମିଛି।

ସେପ୍ଟେମ୍ବର ତୁଷାରପାତ ବଦଳାଇଦେଲା ହିମାଳୟର ଦୃଶ୍ୟ

ଉତ୍ତରାଖଣ୍ଡରରେ ସେପ୍ଟେମ୍ବର ୨୫ରୁ ଆରମ୍ଭ ହୋଇଥିବା ତୁଷାରପାତ ପ୍ରଭାବ ଏବେ ବି ଦେଖାଯାଉଛି। ପ୍ରାୟ ୪ ହଜାର ମିଟରରୁ ଅଧିକ ଉଚ୍ଚତାର ଅଞ୍ଚଳ ବରଫର ମୋଟା ଚାଦରରେ ଢାଙ୍କି ହୋଇଯାଇଛି। ପିଥୋରାଗଡ଼ ଜିଲ୍ଲାର ପ୍ରସିଦ୍ଧ ଧାର୍ମିକ ଓ ପର୍ଯ୍ୟଟନସ୍ଥଳ ଆଦି କୈଳାସ ଏବଂ ଓମ୍ ପର୍ବତ ଅଞ୍ଚଳରେ ବରଫପାତର ସର୍ବାଧିକ ପ୍ରଭାବ ଦେଖାଯାଇଛି।

ସୂଚନା ଅନୁଯାୟୀ, ଆଦି କୈଳାସ ଅଞ୍ଚଳରେ ୪ରୁ ୫ ଫୁଟ୍‌ ଏବଂ ଓମ୍ ପର୍ବତ ଅଞ୍ଚଳରେ ପ୍ରାୟ ୨ ଫୁଟ୍‌ ବରଫ ଜମିଛି। ଲଗାତାର ବରଫପାତ ଓ ଥଣ୍ଡା ବଢ଼ିବା ଯୋଗୁଁ ଅଞ୍ଚଳର ତାପମାତ୍ରା ଶୂନ ଡିଗ୍ରିରୁ ତଳକୁ ଖସିଯାଇଛି। ଏହାର ପ୍ରଭାବ ପୌରାଣିକ ଓ ଧାର୍ମିକ ମହତ୍ତ୍ୱ ରଖୁଥିବା ପାର୍ବତୀ କୁଣ୍ଡ ଉପରେ ମଧ୍ୟ ପଡ଼ିଛି। ଆଦି କୈଳାସ ପର୍ବତ ତଳେ ଥିବା ପାର୍ବତୀ କୁଣ୍ଡର ସମସ୍ତ ପାଣି ବରଫ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ସମୟରେ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ଏବଂ ରାତି ସମୟରେ ତାପମାତ୍ରା ଆହୁରି ତଳକୁ ଖସିଯାଉଛି।

ପ୍ରବଳ ବରଫପାତର ପ୍ରଭାବ ଅଞ୍ଚଳର ସଡ଼କ ଯୋଗାଯୋଗ ଉପରେ ମଧ୍ୟ ପଡ଼ିଛି। ଆଦି କୈଳାସ ଓ ଓମ୍ ପର୍ବତକୁ ଯାଉଥିବା ଭାରତ-ନେପାଳ ସୀମା ରାସ୍ତାର ଅନେକ ସ୍ଥାନରେ ବରଫ ଜମିଯିବାରୁ ଯାତାୟାତ ପ୍ରଭାବିତ ହୋଇଛି।ଗୌରୀ କୁଣ୍ଡଠାରୁ ଆଗକୁ ପ୍ରାୟ ୨ କିଲୋମିଟର ପାଦଚଲା ରାସ୍ତା ଏବେ ବି ବରଫରେ ଢାଙ୍କି ହୋଇଛି। ସେହିପରି ଲିପୁଲେଖ ଯାଉଥିବା ସଡ଼କ ମାର୍ଗ ମଧ୍ୟ ଅନେକ ସ୍ଥାନରେ ବନ୍ଦ ଥିବା ଜଣାପଡ଼ିଛି।ତେବେ ସୀମା ସଡ଼କ ସଂଗଠନ (ବିଆର୍‌ଓ) ରାସ୍ତା ଖୋଲିବା ପାଇଁ ଲଗାତାର ଅଭିଯାନ ଚଳାଇଛି। ଅଧିକାରୀଙ୍କ ଅନୁଯାୟୀ, କୁଟିଠାରୁ ଆଦି କୈଳାସ ପର୍ଯ୍ୟନ୍ତ ରାସ୍ତାରୁ ବହୁ ପରିମାଣର ବରଫ ହଟାଇ ଦିଆଯାଇଛି। ଫଳରେ ଯାତ୍ରୀ ଏବଂ ସୁରକ୍ଷାବଳର ଗାଡ଼ି ଚଳାଚଳରେ ଆଶ୍ୱସ୍ତି ମିଳିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button