ଦେଶ ବିଦେଶ

Agriculture: ଚାଷୀଙ୍କ ଜୀବନରେ ସାର୍ଥକ ପରିବର୍ତ୍ତନ ହିଁ ପିଏମ୍‌ଡିଡିକେୱାଇର ସଫଳତାର ମାପକାଠି: କେନ୍ଦ୍ର କୃଷିମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା (ପିଏମ୍‌ଡିଡିକେୱାଇ)ର କାର୍ଯ୍ୟକାରିତାର ଏକ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀସ୍ଥିତ ପୁସାର ଜାତୀୟ କୃଷି ବିଜ୍ଞାନ ପରିସର (ଏନ୍‌ଏଏସ୍‌ସି)ର ଭାରତ ରତ୍ନ ସି. ସୁବ୍ରମଣ୍ୟମ୍ ସଭାଗୃହରେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା (ପିଏମ୍‌ଡିଡିକେୱାଇ)ର କାର୍ଯ୍ୟକାରିତାର ଏକ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀସ୍ଥିତ ପୁସାର ଜାତୀୟ କୃଷି ବିଜ୍ଞାନ ପରିସର (ଏନ୍‌ଏଏସ୍‌ସି)ର ଭାରତ ରତ୍ନ ସି. ସୁବ୍ରମଣ୍ୟମ୍ ସଭାଗୃହରେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗର ସଚିବ, ପିଏମ୍‌ଡିଡିକେୱାଇ ଅଧୀନରେ ନିଯୁକ୍ତ କେନ୍ଦ୍ରୀୟ ନୋଡାଲ ଅଧିକାରୀ, କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ରାଜ୍ୟରୁ ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଅଧିକାରୀ, କୃଷି ବୈଜ୍ଞାନିକ ଓ ପ୍ରଗତିଶୀଳ ଚାଷୀଙ୍କୁ ମିଶାଇ ୩୭୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଥିଲେ ଯେ, ପ୍ରଥମ ବର୍ଷରେ ଏହି ଯୋଜନାର ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯାଇଛି। ଆଗାମୀ ବର୍ଷରେ କ୍ଷେତ୍ରସ୍ତରରେ ଦୃଶ୍ୟମାନ ଓ ମାପଯୋଗ୍ୟ ଫଳାଫଳ ହାସଲ କରିବା ଉପରେ ଗୁରୁତ୍ୱ ଦେବାକୁ ହେବ। ସେ କୃଷି ଉତ୍ପାଦନ ବୃଦ୍ଧି, ବର୍ଷକୁ ଅଧିକ ଥର ଫସଲ ଚାଷ, ଜଳସେଚନ ଓ ଜଳ ପରିଚାଳନାକୁ ସୁଦୃଢ଼ କରିବା, କୃଷି ଋଣର ସୁବିଧା, ଅଧିକ ମୂଲ୍ୟଯୁକ୍ତ କୃଷିର ପ୍ରୋତ୍ସାହନ, ଅମଳ ପରବର୍ତ୍ତୀ ଭିତ୍ତିଭୂମିର ବିକାଶ ଏବଂ କୃଷକଙ୍କ ଆୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ।

କୃଷକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ 
ଶ୍ରୀ ଚୌହାନ କହିଥିଲେ ଯେ, ପିଏମ୍‌ଡିଡିକେୱାଇର ପ୍ରକୃତ ସଫଳତା କୃଷକଙ୍କ ଜୀବନରେ ଏହା କେତେ ସକାରାତ୍ମକ ପରିବର୍ତ୍ତନ ଆଣିପାରୁଛି, ତାହା ଆଧାରରେ ମାପ କରାଯିବ। ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି, ଯୋଜନାର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ଏବଂ କୃଷି କ୍ଷେତ୍ରରେ ମାପଯୋଗ୍ୟ ଉନ୍ନତି ସହ କୃଷକଙ୍କ ସ୍ଥାୟୀ ଆୟ ବୃଦ୍ଧି ଉପରେ ଧ୍ୟାନ ଦେବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ବିଭିନ୍ନ ସହଯୋଗୀ ମନ୍ତ୍ରଣାଳୟ ଓ ବିଭାଗର ଅଂଶଗ୍ରହଣ କୃଷି ବିକାଶ ପାଇଁ ସମଗ୍ର ସରକାରଙ୍କ ସମନ୍ୱିତ ଉଦ୍ୟମର ଗୁରୁତ୍ୱକୁ ପ୍ରତିଫଳିତ କରିଥିଲା।

ସଫଳ ପଦକ୍ଷେପଗୁଡ଼ିକର ସମ୍ପ୍ରସାରଣ
ଶିବରାଜ ସିଂହ ଚୌହାନ କହିଥିଲେ ଯେ, ଜିଲ୍ଲାସ୍ତରୀୟ କାର୍ଯ୍ୟଯୋଜନାକୁ ବାସ୍ତବ ଫଳାଫଳରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ବୈଜ୍ଞାନିକ ପ୍ରତିଷ୍ଠାନ ଓ କୃଷକଙ୍କ ସହ ମିଶି କାର୍ଯ୍ୟ କରିବାକୁ ପ୍ରତିବଦ୍ଧ। ଆଗାମୀ ବର୍ଷରେ ସଫଳ ପଦକ୍ଷେପଗୁଡ଼ିକର ସମ୍ପ୍ରସାରଣ ଏବଂ ଚିହ୍ନଟ ହୋଇଥିବା ସମସ୍ତ ଜିଲ୍ଲାରେ ଉନ୍ନତ ଫଳାଫଳ ହାସଲ ଉପରେ ଗୁରୁତ୍ୱ ଦିଆଯିବ। ପିଏମ୍‌ଡିଡିକେୱାଇ ଅଧୀନରେ ଥିବା ସମସ୍ତ ୧୦୦ଟି ଜିଲ୍ଲାକୁ ପ୍ରକୃତ ଅର୍ଥରେ ‘ଧନ-ଧାନ୍ୟ’ ଅର୍ଥାତ୍ ଶସ୍ୟ ଓ ସମୃଦ୍ଧିରେ ଭରପୂର କରିବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଥିଲେ।

ଖେତ ବଚାଓ ଅଭିଯାନ
ଶ୍ରୀ ଚୌହାନ ଆହୁରି କହିଥିଲେ ଯେ, ୨୦୨୬ ଅକ୍ଟୋବର ୨୨ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ସମସ୍ତ ରାଜ୍ୟରେ ଆୟୋଜିତ ହେବାକୁ ଥିବା ‘ଖେତ ବଚାଓ ଅଭିଯାନ’ର ଲକ୍ଷ୍ୟ ହେଉଛି ସାରର ସନ୍ତୁଳିତ ଓ ଯୁକ୍ତିସଂଗତ ବ୍ୟବହାର ମାଧ୍ୟମରେ ମୃତ୍ତିକାର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା। ଏହି ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଏହାକୁ ସଫଳ କରିବା ପାଇଁ ସେ ସମସ୍ତ ରାଜ୍ୟ ସରକାର ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଆହ୍ୱାନ ଦେଇଥିଲେ। ମୃତ୍ତିକାର ଉର୍ବରତା ବଜାୟ ରଖିବା, ପରିବେଶର ସୁରକ୍ଷା ଏବଂ ଭବିଷ୍ୟତ ପିଢ଼ି ପାଇଁ ପ୍ରାକୃତିକ ସମ୍ପଦର ସଂରକ୍ଷଣ ନିମନ୍ତେ ସ୍ଥାୟୀ କୃଷି ପଦ୍ଧତି ଆପଣାଇବାର ଗୁରୁତ୍ୱ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button