Assembly: ପୁଣି ଅଚଳ: ୧୪ ମିନିଟ୍ରେ ସୀମିତ ଗୃହକାର୍ଯ୍ୟ, ସ୍ବାଭାବିକ ହେବା ସମ୍ଭାବନା କମ୍
ଲଗାତାର ଦ୍ବିତୀୟ ଦିନ ପାଇଁ ବିଧାନସଭା ଚାଲିପାରିନି। ବନ୍ୟା ପରିଚାଳନାରେ ବିଫଳତା ଓ କୋଟିଆ ପ୍ରସଙ୍ଗରେ ଗୃହକାର୍ଯ୍ୟ ଠପ୍ ହୋଇଯାଇଛି। ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା କିଛି ହୋଇ ପାରିଲାନାହିଁ।

ଭୁବନେଶ୍ବର: ଲଗାତାର ଦ୍ବିତୀୟ ଦିନ ପାଇଁ ବିଧାନସଭା ଚାଲିପାରିନି। ବନ୍ୟା ପରିଚାଳନାରେ ବିଫଳତା ଓ କୋଟିଆ ପ୍ରସଙ୍ଗରେ ଗୃହକାର୍ଯ୍ୟ ଠପ୍ ହୋଇଯାଇଛି। ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା କିଛି ହୋଇ ପାରିଲାନାହିଁ। ଦୁଇ ଓଳିରେ ୧୪ ମିନିଟ୍ ଭିତରେ ଗୃହକାର୍ଯ୍ୟ ସୀମିତ ରହିଛି। ସେପଟେ ସର୍ବଦଳୀୟ ବୈଠକରେ ବି ନିର୍ଯ୍ୟାସ ବାହାରି ପାରିନାହିଁ। ହେଲେ ଗୃହ ବାହାରେ ଅଚଳାବସ୍ଥାକୁ ନେଇ ଶାସକ ଓ ବିରୋଧୀ ପରସ୍ପରକୁ ଦୋଷାରୋପ କରିଛନ୍ତି। ଶାସକ ଦଳ ଗୃହ ଚଳାଇବାକୁ ଚାହୁଁନି ବୋଲି ବିରୋଧୀ ଦଳ ଆରୋପ ଲଗାଇଛନ୍ତି। ବିରୋଧୀ ଦଳ ସଦସ୍ୟମାନେ ଆଲୋଚନାକୁ ନଆସି କେବଳ ବିରୋଧ କରିବା ପାଇଁ ବିରୋଧ ପ୍ରଦର୍ଶନ କରୁଛନ୍ତି ବୋଲି ଶାସକ ଦଳ ପାଲଟା ଅଭିଯୋଗ କରିଛି। କିନ୍ତୁ ଗୃହକାର୍ଯ୍ୟ ସ୍ବାଭାବିକ ହେବାର କୌଣସି ସମ୍ଭାବନା ଏ ଯାଏଁ ଦେଖାଯାଇ ନାହିଁ।
ଗତକାଲି ପରି ଆଜି ମଧ୍ୟ ବିରୋଧୀ ଦଳର ସଦସ୍ୟମାନେ ପ୍ରତିବାଦ କରିବା ପାଇଁ ସମସ୍ତ ପ୍ରସ୍ତୁତି କରି ଆସିଥିଲେ। ବିଜେଡି ସଭ୍ୟମାନେ ସାଙ୍ଗରେ ପ୍ଲାକାର୍ଡ ଆଣିଥିଲେ। କଂଗ୍ରେସ ସଭ୍ୟଙ୍କ ହାତରେ ଛୋଟ ବ୍ୟାନର୍ ଥିଲା। ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବା ମାତ୍ରେ ବିରୋଧୀ ଦଳ ସଭ୍ୟମାନେ ଗୃହ ମଧ୍ୟଭାଗକୁ ମାଡ଼ି ଆସିଥିଲେ। ପ୍ଲାକାର୍ଡ, ବ୍ୟାନର୍ ଦେଖାଇବା ସହ ନାରାବାଜି ଆରମ୍ଭ କରିଦେଲେ। ବନ୍ୟା ପରିଚାଳନା ବିଫଳତା ପାଇଁ ସରକାରଙ୍କୁ ଦାୟୀ କରି ବିଜେଡି ସଭ୍ୟମାନେ ସ୍ଲୋଗାନ୍ ଦେଇଥିଲେ। କୋଟିଆ ପ୍ରସଙ୍ଗରେ ଓଡ଼ିଆ ଅସ୍ମିତା କୁଆଡ଼େ ଗଲା ବୋଲି କଂଗ୍ରେସ ସଭ୍ୟମାନେ ପ୍ରଶ୍ନ କରିଥିଲେ। ହୋହଲ୍ଲା ଭିତରେ ବାଚସ୍ପତି ପ୍ରଶ୍ନକାଳ ଚଳାଇ ରଖିବାକୁ ଚେଷ୍ଟା କରିଥିଲେ। ବିରୋଧୀ ଦଳ ସଭ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବା ପାଇଁ ଅନୁରୋଧ କରିଥିଲେ ହେଁ ସେମାନେ ଶୁଣି ନଥିଲେ। ବରଂ ପ୍ରତିବାଦର ସ୍ବର ଆହୁରି ତୀବ୍ର ହୋଇଥିଲା। ତାରାପ୍ରସାଦ ବାହିନୀପତି, ଧ୍ରୁବ ସାହୁ ଓ ରୋମାଞ୍ଚ ରଞ୍ଜନ ବିଶ୍ବାଳ ପ୍ରମୁଖ ମଧ୍ୟ ଭାଗରେ ରିପୋର୍ଟସ ଟେବୁଲ୍ ଉପରେ ଠିଆ ହୋଇ ସ୍ଲୋଗାନ ଦେଇଥିଲେ। ମାତ୍ର ସାତ ମିନିଟ୍ ପରେ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।
୪ଟା ବେଳେ ସ୍ଥିତି କିଛି ବଦଳି ନଥିଲା। ଗୃହକାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିରୋଧୀ ଦଳ ସଭ୍ୟମାନେ ପୁଣି ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ଏହି ସମୟରେ ବିଭିନ୍ନ ରିପୋର୍ଟ ଉପସ୍ଥାପନ ହୋଇଥିଲା। ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ପୃଥ୍ବୀରାଜ ହରିଚନ୍ଦନ ରିପୋର୍ଟ ଉପସ୍ଥାପନ କରିଥିଲେ। ଅସ୍ବାଭାବିକ ସ୍ଥିତି ଲାଗି ରହିବାରୁ ବାଚସ୍ପତି ସାତ ମିନିଟ୍ ପରେ ସର୍ବଦଳୀୟ ବୈଠକ ଡାକି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।
ସୌଜନ୍ୟ ସମ୍ବାଦ




