Capital Hospital: କ୍ୟାପିଟାଲ ହସ୍ପିଟାଲରେ ବିଚିତ୍ର ବ୍ୟବସ୍ଥା, ଖଟରେ ରୋଗୀ, ତଳେ ଆବର୍ଜନା

- ସଂଜ ନଇଁଲେ ମିଳୁନାହାନ୍ତି ସଫେଇ କର୍ମଚାରୀ
- ଦୁର୍ଗନ୍ଧରେ ଫାଟୁଛି ପରିବେଶ, ବେସିନରେ ଗୁଟଖା ଛେପ
- ପେଡିଆଟ୍ରିକ୍ ୱାର୍ଡ ସମ୍ମୁଖରୁ ହଟୁନି ଡମ୍ପିଂୟାର୍ଡ
- ନୂଆ ସଫେଇ ସଂସ୍ଥାକୁ ଟେଣ୍ଡର ଦେବୁ: କର୍ତ୍ତୃପକ୍ଷ
ଭୁବନେଶ୍ୱର,୦୬\୧୦: ଖଟରେ ଶୋଇଛନ୍ତି ରୋଗୀ । ତଳେ ଗଦା ହୋଇଛି ଅଳିଆ, ଆବର୍ଜନା । ସାଲାଇନ ବୋତଲରୁ ପାଣି ବଟଲ, ବ୍ୟାଣ୍ଡେଜ୍ କନା, ଔଷଧ ଖୋଳ । ବେସିନରେ ପାନ ଛେପ ଆଉ ଗୁଟଖା ଖଦଡ଼ା । ଦୁର୍ଗନ୍ଧରେ ଫାଟିପଡ଼ୁଛି ପରିବେଶ । ନାକରେ ରୁମାଲ କି ଲୁଗାକାନି ଦେବା ଛଡ଼ା ଆଉ କୌଣସି ଚାରା ନାହିଁ । ଡାକିଲେ ବି କେହି ଶୁଣୁନାହାନ୍ତି । କର୍ମଚାରୀ ଓ କର୍ତ୍ତୃପକ୍ଷଙ୍କ ଭିତରେ ଚାଲିଥିବା ଝଗଡ଼ା ଭିତରେ ଏବେ ବଳି ପଡ଼ିଛନ୍ତି ରୋଗୀ । ଆଉ କେଉଁଠି ନୁହେଁ, ଖୋଦ୍ ରାଜଧାନୀର ବଡ଼ ମେଡିକାଲ ବୋଲାଉଥିବା କ୍ୟାପିଟାଲ ହସ୍ପିଟାଲରେ ଏବେ ଏମିତି ବିଚିତ୍ର ବ୍ୟବସ୍ଥା ଦେଖିବାକୁ ମିଳିଛି ।
ସଂଜ ନଇଁଲେ କାଳେ ଆଉ ୱାର୍ଡରେ ଝାଡ଼ୁ ବାଜୁନି, ତହିଁ ଆରଦିନ ସକାଳେ ଅଳିଆ ଉଠୁଛି ବୋଲି ଅନ୍ୟ କାର୍ଯ୍ୟରତ କର୍ମଚାରୀମାନେ କହିଛନ୍ତି । ଖାଲି ସେତିକିନୁହେଁ, କର୍ତ୍ତୃପକ୍ଷ ମଧ୍ୟ ସଫେଇକୁ ନେଇ ସନ୍ତୁଷ୍ଟ ନାହାନ୍ତି । କ୍ୟାପିଟାଲ ହସ୍ପିଟାଲ ଓପିଡିକୁ ଏବେ ଦୈନିକ ୩ହଜାର ରୋଗୀ ଆସୁଛନ୍ତି । ପ୍ରତିଦିନ କାଜୁଆଲିଟି(ଏମର୍ଜେନ୍ସି) ୨୦୦ରୁ ଅଧିକ ରୋଗୀଙ୍କ ଚିକିତ୍ସା କରାଯାଉଛି । ଦୁର୍ଘଟଣାଠୁ ନେଇ ଝାଡ଼ାବାନ୍ତି, ହୃଦରୋଗୀ ଏମର୍ଜେନ୍ସିକୁ ଆସୁଛନ୍ତି । ସେହି ଅନୁସାରେ, କାଜୁଆଲିଟି ୱାର୍ଡରେ ରୋଗୀଙ୍କ ଚିକିତ୍ସା କରାଯାଉଛି । ତେଣୁ ୱାର୍ଡ ସବୁବେଳେ ସଫା ରହିବା ଆବଶ୍ୟକ । ରୋଗୀଙ୍କ ଶରୀରରେ ଲାଗିସାରିଥିବା ଅବ୍ୟବହୃତ ସାଲାଇନ ବୋତଲ, ଗଜ୍ କପଡ଼ାକୁ ଡଷ୍ଟବିନରେ ଫିଙ୍ଗିବା କଥା, ହେଲେ ତାକୁ ଖଟ ତଳେ ଗଦା କରିଦିଆଯାଉଛି । ଏହା ପଛରେ କାଜୁଆଲିଟି କର୍ମଚାରୀଙ୍କୁ ଦାୟୀ କରୁଛନ୍ତି ରୋଗୀ ।
ସୌଜନ୍ୟ ପ୍ରମେୟ




