ଜାତୀୟ

CEC Raw: ସିଇସି ଇସ୍ତଫା ଦାବିରେ ଦିଲ୍ଲୀରୁ ବେଙ୍ଗଲ ସବୁଠି ବିକ୍ଷୋଭ….ପାଣିମାଡ଼ କଲା ପୁଲିସ୍‌, ଅନେକ କଂଗ୍ରେସ ନେତା ଅଟକ

ନୂଆଦିଲ୍ଲୀ,୨୬/୦୯; ଭୋଟର ତାଲିକାର ଏସ୍ଆଇଆର (ସ୍ୱତନ୍ତ୍ର ସଘନ ସଂଶୋଧନ)କୁ ନେଇ ନିର୍ବାଚନ କମିଶନରେ ସୃଷ୍ଟି ହୋଇଥିବା ବିବାଦ ପରିପ୍ରେକ୍ଷୀରେ ମୁଖ୍ୟନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଜୋର୍ ଧରିଛି । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଓ ବିଭିନ୍ନ ନାଗରିକ ସମାଜ ପକ୍ଷରୁ ଦେଶବ୍ୟାପୀ ଗତକାଲି ବିକ୍ଷୋଭ କରାଯାଇଛି । ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ଜ୍ଞାନେଶକୁମାରଙ୍କ ବିରୋଧରେ ନାରାବାଜି କରିଛନ୍ତି । କେତେକ ସ୍ଥାନରେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାଲାଗି ପୁଲିସ ପାଣିମାଡ଼ କରିଛି ।ରାଜଧାନୀ ଦିଲ୍ଲୀ ସମେତ ସିମଲା, ଲକ୍ଷ୍ନୌ,ପାଟନା, ଡେରାଡୁନ, ଚଣ୍ଡିଗଡ଼, କୋଲକାତା,ଗୁଆହାଟୀ, ବେଙ୍ଗାଲୁରୁ, ରାୟପୁର ଓ ଶ୍ରୀନଗର ସମେତ ପ୍ରମୁଖ ସହରରେ ଆନ୍ଦୋଳନ ଦେଖିବାକୁ ମିଳିଛି ।

ଦିଲ୍ଲୀରେ କଂଗ୍ରେସ ଓଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ପୁଲିସ ବ୍ୟାରିକେଡ ଭାଙ୍ଗି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟକୁ ଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ପୁଲିସ ସେମାନଙ୍କୁ ବାଧା ଦେଇଥିଲା । ସେମାନଙ୍କ ଉପରେ ପାଣିମାଡ଼ କରିଥିଲା । ପରେ ଅନେକ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଥିଲା । ପ୍ରଦେଶ କଂଗ୍ରେସ କମିଟିସଭାପତି ଦେବେନ୍ଦ୍ର ଯାଦବ କହିଥିଲେ ଯେଜ୍ଞାନେଶ କୁମାର ତୁରନ୍ତ ଇସ୍ତଫା ଦେବା ଆବଶ୍ୟକ । ଭାରତର ଗଣତନ୍ତ୍ର ଏଭଳି ଭାବେ ନଷ୍ଟ ହେବାକୁ ଆମେ ଦେବୁ ନାହିଁ କିମ୍ବା ନିରବ ହୋଇ ବସି ରହିବୁ ନାହିଁ । ଯେଉଁମାନେ ଭୋଟର ତାଲିକାରେ ହେରଫେର କରିଛନ୍ତି ସେମାନଙ୍କୁ ଦଣ୍ଡିତ କରାଯିବା ଆବଶ୍ୟକ । ସେହିଭଳି ଜନ୍ତରମନ୍ତର ନିକଟରେ ମଧ୍ୟବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଆଇଏସ୍ଏଏହାର ନେତୃତ୍ୱ ନେଇଥିଲା ।ଏଥିରେ ଅନେକ ନାଗରିକ ସମାଜ ଓ ଗଣସଙ୍ଗଠନର ସଦସ୍ୟ ସାମିଲ ହୋଇଥିଲେ । ସେମାନେ ଜ୍ଞାନେଶ କୁମାରଙ୍କ ଇସ୍ତଫା ସହ ତାଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ଅଭିଯୋଗ କରିଥିଲେ ଯେ, ଭୋଟର ତାଲିକା ପ୍ରସ୍ତୁତିରେ ସେ ବ୍ୟାପକ ଜାଲିଆତି କରିଛନ୍ତି । ଜାଣିଶୁଣି ଅନେକ ବୈଧ ଭୋଟରଙ୍କ ନାମ ତାଲିକାରୁ ହଟାଇଛନ୍ତି । ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ ।

ପୁଲିସ ବିକ୍ଷୋଭକାରୀଙ୍କୁ ରୋକିବା ଲାଗି ପାଣିମାଡ଼ କରିଥିଲା । ଏଥିସହ ଏଆଇଏସ୍ଏ ଦିଲ୍ଲୀ ସଭାପତି ନେହା ବୋରା, ଆରଜେଡି ସାଂସଦ ମନୋଜ ଝା, ସାମାଜିକ କାର୍ଯ୍ୟକର୍ତ୍ତା ପ୍ରଶାନ୍ତ ଭୂଷଣ, ଅଞ୍ଜଳି ଭରଦ୍ୱାଜ ଓ ନନ୍ଦିତା ନାରାୟଣ ପ୍ରମୁଖଙ୍କୁ ପୁଲିସ ଗିରଫ କରିଥିଲା । ଆସାମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଗୌରବ ଗୋଗୋଇଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ସେମାନେ ରାଜ୍ୟ କାର୍ଯ୍ୟାଳୟ ରାଜୀବ ଭବନରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭଯାତ୍ରା କରିଥିଲେ । ସେଠାରେ ସେମାନେ ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କରିବାର ଯୋଜନା ଥିଲା । କିନ୍ତୁ ପୁଲିସ ବାଟରେ ସେମାନଙ୍କୁ ବ୍ୟାରିକେଡ ଲଗାଇ ରୋକିଥିଲା । କିନ୍ତୁ ସେମାନେ ବ୍ୟାରିକେଡ ଭାଙ୍ଗି ଯିବାକୁ ଉଦ୍ୟମ କରିବା ବେଳେ ପୁଲିସ ଗୌରବ ଗୋଗୋଇ ଓ ଅଖିଳ ଗୋଗୋଇଙ୍କ ସମେତ ବହୁ ନେତାଙ୍କୁ ଗିରଫ କରିଥିଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button